ଭୁବନେଶ୍ୱର: ଆଜି ବାଲେଶ୍ୱରରେ ଗସ୍ତରେ ଯାଇ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ମାର୍ଟ କାର୍ଡ ଦ୍ୱାରା ଜିଲ୍ଲାର ୫ ଲକ୍ଷ ୧୩ ହଜାର ୩୫୨ ପରିବାର ଉପକୃତ ହେବେ। ଜିଲ୍ଲା ପାଇଁ ବିଏସକେୱାଇ ସ୍ମାର୍ଟ କାର୍ଡ ଶୁଭାରମ୍ଭ କରିବା ସହ ୧ ହଜାର ୪୭୬ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ। ୩୭୬ କୋଟି ଟଙ୍କାର ୭୭ଟି ପ୍ରକଳ୍ପର ଉଦଘାଟନ କରିବା ସହିତ ୧୧୦୦ କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି। ତେବେ, ମୁଖ୍ୟମନ୍ତ୍ରୀ ଭଦ୍ରକ ଗସ୍ତରେ ମଧ୍ୟ ଯିବାର ଥିଲା ବୋଲି କୁହାଯାଉଥିଲା। ମାତ୍ର ତାହା ବାତିଲ୍ ହୋଇଯାଇଛି। ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ଭଦ୍ରକ ଗସ୍ତରେ ଯାଇ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଏଥିରେ ଯୋଗଦେବେ ବୋଲି ଜଣାପଡ଼ିଛି।
-/DevDr