ଭୁବନେଶ୍ୱର: ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁର ଥାନା ଅଧିକାରୀ ନାବାଳିକା ସହ ଦୁଷ୍କର୍ମ କରିବା ଘଟଣାକୁ ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ କିଛି ଦାବୀ ଉପସ୍ଥାପନା କରିବା ପରେ ତଥ୍ୟ ଅନୁସନ୍ଧାନ ପାଇଁ ବିଜେପିର ଏକ ପ୍ରତିନିଧି ଦଳ ଉଭୟ ସ୍ଥାନକୁ ଯିବା ନେଇ ଦଳ ଘୋଷଣା କଲା। ମାଲକାନଗିରିକୁ ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା ଏବଂ ବୀରମିତ୍ରପୁରକୁ ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଯିବା ନେଇ ଦଳ ପକ୍ଷରୁ କୁହାଯିବା ପରେ ବୀରମିତ୍ରପୁର ଅଭିମୁଖେ ତୁରନ୍ତ ବାହାରି ପଡ଼ିଥିଲେ ଲେଖାଶ୍ରୀ। ସାଙ୍ଗରେ ଥିଲେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ। ତେବେ ଅଧାବାଟ ନହେଉଣୁ ଗାଡ଼ି ଅଟକାଇ ସେଲ୍ଫି ଉଠାଇ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ଲେଖାଶ୍ରୀ। ପୋଷ୍ଟରେ ଲେଖାଶ୍ରୀ ଲେଖିଛନ୍ତି, “ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ଓ ମୋ ସହିତ ଆମ ପ୍ରତିନିଧି ଦଳ ପୋଲିସ ଥାନାରେ ଅଧିକାରୀଙ୍କ ଦ୍ୱାରା ଆଦିବାସୀ ନାବାଳିକା ଝିଅ ଗଣଦୁଷ୍କର୍ମ ଘଟଣାର ଫ୍ୟାକ୍ଟ ଫାଇଣ୍ଡିଂ ପାଇଁ ଏବେ ବିରମିତ୍ରପୁର/ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କଲୁ”। ଫଟୋରେ ଭାରି ଖୁସି ଖୁସି ଜଣା ପଡ଼ୁଛନ୍ତି ଲେଖାଶ୍ରୀ। ସତେ ଯେପରି ପିକନିକ୍ କରିବାକୁ ଯାଉଛନ୍ତି।
କିଛି ଘଟଣାକୁ ଦେଖିଲେ ଏପରି କିଛି ନେତ୍ରୀ ମାନଙ୍କର ଯେ ପିଡ଼ୀତାଙ୍କ ପାଇଁ ମନରେ ବ୍ୟଥା ନୁହଁ ଏ’ସବୁ ନିଜ ପ୍ରଚାର ପାଇଁ କରୁଥିବା ପରି ଅନୁଭବ ହୁଏ। ବିଜେପି ପକ୍ଷରୁ ନାରୀ ସୁରକ୍ଷା ଯାତ୍ରା ଚାଲିଥିବା ସମୟରେ ଭଦ୍ରକରେ ଜଣେ ପିଡ଼ୀତା ଲେଖାଶ୍ରୀଙ୍କୁ ଭେଟି ଅଭିଯୋଗ କରିଥିବା ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପିଡ଼ୀତାଙ୍କୁ ପୋଲିସ ଟଙ୍କା ଯାଚିବା, ଗାଡ଼ି ଚଢ଼େଇ ମାରିଦେବା ପରି ଧମକ ଦେବା ପରି ସଙ୍ଗୀନ ଅଭିଯୋଗ ଆଣି ଲେଖାଶ୍ରୀ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ବାସ୍ ସୋସିଆଲ ମିଡିଆରେ ପୋଷ୍ଟ କରି ରହିଗଲେ। ପିଡ଼ୀତାଙ୍କ ପାଇଁ କିପରି କଣ ସହାୟତା କରାଯାଇ ପାରିବ କି କ’ଣ ସେ ନେଇ ଆଉ ତାଙ୍କର ଚିନ୍ତା ରହିଲା ନାହିଁ। ଏହାପରେ ସତେ ଯେପରି ବାହାରି ପଡିଲେ ଆଉ ଜଣେ ଦୁଷ୍କର୍ମ ପିଡ଼ୀତା ସନ୍ଧାନରେ, ନିଜ ପ୍ରଚାର ଯୋଜନାରେ ବାଲେଶ୍ୱର ଅଭିମୁଖେ। ବାଲେଶ୍ୱର ଜିଲ୍ଲାରେ ଜୁଆ ଖେଳରେ ନିଜ ସ୍ତ୍ରୀଙ୍କୁ ବାଜି ଲଗାଇବା ଭଳି ଏକ ଘଟଣା ଘଟିଥିଲା। ଜୁଆ ଖେଳରେ ହାରି ସମ୍ପୃକ୍ତ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ରାତି ଅଧରେ ଘରୁ ଡାକିନେଇ ବିଲ ମଝିରେ ଜୁଆ ଜିତିଥିବା ବ୍ୟକ୍ତିଙ୍କ ପାଖରେ ଛାଡ଼ି ଦେବାରୁ ସେଠାରେ ତାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରେ ଘଟିଥିବା ଏହି ଘଟଣା ସେତେବେଳେ ସେଠାରେ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଥିଲା। ଲେଖାଶ୍ରୀ ସାମନ୍ତସିଂହାର ଏବଂ କିଛି ନାରୀନେତ୍ରୀ ଯାଇ ସଂପୃକ୍ତ ପିଡ଼ୀତାଙ୍କୁ ଭେଟିଥିଲେ ଏବଂ ପିଡ଼ୀତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ। ତେବେ ଲେଖାଶ୍ରୀ ଏପରି ଦାବି କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ବେଳେ ନିଜ ସହ ପିଡ଼ୀତାଙ୍କ ଫଟୋ ପୋଷ୍ଟ କରିଥିଲେ। ଆଇନ ଅନୁଯାୟୀ ପିଡ଼ୀତାଙ୍କ ପରିଚୟ ସାଧାରଣରେ ପ୍ରକାଶ କରିବା ଅନୁଚିତ। ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୨୮(ଏ) ଅନୁଯାୟୀ ପିଡ଼ୀତାଙ୍କ ନାମ/ପରିଚୟ ପ୍ରକାଶ କରିବା ଏକ ଦଣ୍ଡନୀୟ ଅପରାଧ। କିନ୍ତୁ, ପିଡ଼ୀତା ପାଇଁ ମନରେ ବ୍ୟଥା ନୁହଁ ବୋଧେ ନିଜ ପ୍ରଚାରରେ ମଗ୍ନ ରହି ଲେଖାଶ୍ରୀ ଏପରି କରିଥିଲେ। ଏବେ ମଧ୍ୟ ସେହି ଧାରା ଲାଗି ରହିଛି। ଯେତେ ବୁଝାଇଲେ ବୁଝୁନି ଓଡ଼ିଶା ବିଜେପି।