Odiapua.com

ବିଜୟ ଛାଡ଼ିବେ ଦିଲ୍ଲୀପ

ଭୁବନେଶ୍ୱର ୧୬-୩ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଦୀର୍ଘଦିନର ରାଜନୈତିକ ବନ୍ଧୁତ୍ୱର ଅବସାନ ଘଟିବାକୁ ଯାଉଛି। ରାଜନୀତିରେ ବିଜୟ ମହାପାତ୍ରଙ୍କୁ ଗୁରୁ ବୋଲି ମାନୁଥିବା ଦିଲ୍ଲୀପ ରାୟ ଏବେ ତାଙ୍କ ହାତ ଛାଡ଼ିବାକୁ ଯାଉଛନ୍ତି। ପାରୁ ପର୍ଯ୍ୟନ୍ତ ବିଜୟ ମହାପାତ୍ରଙ୍କୁ ସାଥ୍ ଦେଇଆସୁଥିବା ଦିଲ୍ଲୀପ ରାୟ ବର୍ତ୍ତମାନ ବିଜୁ ଦନତା ଦଳରେ ଯୋଗ ଦେବାକୁ ଯାଉଛନ୍ତି ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ସୋମବାର କିମ୍ବା ମଙ୍ଗବାର ଦିନ ସେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ଯୋଗ ଦେବେ। ଭାରତୀୟ ଜନତା ପାର୍ଟୀରୁ ସେ ଏବଂ ବିଜୟ ମହାପାତ୍ର ଇସ୍ତପା ଦେବା ପରେ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ଉପରେ ନିର୍ଦ୍ଧିଷ୍ଟ ସିଦ୍ଧାନ୍ତରେ ଉପନୀତ ହୋଇପାରୁନଥିଲେ। ଏହାର ମୁଖ୍ୟ କାରଣ ଥିଲେ ବିଜୟ ମହାପାତ୍ର। ଏକରେ, ବିଜେଡ଼ି ସୁପ୍ରୀମୋ ନବୀନ ପଟ୍ଟନାୟକ ଦିଲ୍ଲୀପ ରାୟଙ୍କୁ ବିଜେଡ଼ିରେ ମିଶିବା ପାଇଁ ଗ୍ରୀନ ସିଗନାଲ୍ ଦେଇଥିଲେ, ମାତ୍ର ବିଜୟ ମହାପାତ୍ରଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ନାସ୍ତି ବାଣୀ ଶୁଣାଇ ଦେଇଥିଲେ। ସେହିଦିନଠାରୁ ଦିଲ୍ଲୀପ ରାୟ ମଧ୍ୟ ବିଜୟଙ୍କୁ ବିଜେଡ଼ିରେ ମିଶିବା ପାଇଁ ବିଭିନ୍ନ ମାଧ୍ୟମରେ ଉଦ୍ୟମ କରିଆସୁଥିଲେ। ବିଜେଡ଼ିରେ ବିଜୟ ମହାପାତ୍ରଙ୍କର ଯୋଗଦାନକୁ ନେଇ ଦଳ ତରଫରୁ ଅନେକ ପ୍ରସ୍ତାବ ରଖାଯାଇଥିଲା। ମାତ୍ର ଏ ସବୁକୁ ଗ୍ରହଣ କରିନଥିଲେ ବିଜୟ। ଦିଲ୍ଲୀପ ରାୟ ମଧ୍ୟ ବିଜୟଙ୍କୁ ବୁଝାଇବାରେ ସକ୍ଷମ ହୋଇପାରିଲେ ନାହିଁ। ସକାଳେ ଗୋଟେ କଥା ଏବଂ ସଂଧ୍ୟାରେ ଆଉ ଗୋଟେ କଥା କହିଚାଲିଲେ ବିଜୟ ମହାପାତ୍ର। ତେଣୁ ଶେଷରେ ବାଧ୍ୟ ହୋଇ ନିଜର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ବିଜୟଙ୍କ ହାତ ଛାଡ଼ୁଛନ୍ତି ଦିଲ୍ଲୀପ। ବିଜେଡ଼ିରେ ଯୋଗ ଦେଲାପରେ ଦୁଇଗୋଟି ସଂସଦୀୟ କ୍ଷେତ୍ରରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ। ପ୍ରସ୍ତାବ ଦିଆଯାଇଛି ଦିଲ୍ଲୀପଙ୍କୁ। ଗୋଟିଏ ହେଉଛି କେନ୍ଦ୍ରାପଡ଼ା ଓ ଅନ୍ୟଟି ହେଉଛି ବରଗଡ଼ ସଂସଦୀୟ କ୍ଷେତ୍ର। ଏହି ଦୁଇଟି ଲୋକସଭା ଆସନ ଭିତରୁ ଗୋଟିକକୁ ଚୟନ କରିବାକୁ ଦିଲ୍ଲୀପ ରାୟ ସମୟ ମାଗିଥିଲେ। ବୋଧ ହୁଏ ଆଜି କିମ୍ବା କାଲି ସେ ତାଙ୍କର ନିଷ୍ପତି ବିଜେଡ଼ିକୁ ଜଣାଇବେ। ଏହାପରେ ତାଙ୍କ ଯୋଗଦାନ ପର୍ବରେ ପୂର୍ଣ୍ଣ ମୋହର ବାଜିବ।