ଭୁବନେଶ୍ୱର: ସଂସଦରେ “ନାରୀଶକ୍ତି ବନ୍ଦନ ଅଧିନିୟମ-୨୦୨୩” ଗୃହିତ ହେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ପ୍ରଦାନ କରି ଦେଶବ୍ୟାପୀ ବିଜେପି ଆୟୋଜିତ କରୁଛି କାର୍ଯ୍ୟକ୍ରମ। ମହିଳା ସମ୍ବଦ୍ଧିତ ବିଷୟ ହୋଇଥିବାରୁ ବିଶେଷ କରି ବିଜେପି ମହିଳା ମୋର୍ଚ୍ଚା ଆୟୋଜିତ କରୁଛି ଏହି କାର୍ଯ୍ୟକ୍ରମ। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସିଟ୍ ସଂରକ୍ଷଣ “ନାରୀଶକ୍ତି ବନ୍ଦନ ଅଧିନିୟମ-୨୦୨୩” ଗୃହିତ ହେବା ପରେ ‘ଦେଶ କରୁଛି ନାରୀ ଶକ୍ତିଙ୍କୁ ପ୍ରଣାମ’ ଏବଂ ‘ନାରୀ ଶକ୍ତିଙ୍କ ନେତୃତ୍ୱରେ ବିକାଶର ସଂକଳ୍ପ ହୋଇଛି ଆହୁରି ସଶକ୍ତ’ ନାମରେ କାର୍ଯ୍ୟକ୍ରମ କରୁଛି ବିଜେପି ମହିଳା ମୋର୍ଚ୍ଚା। ଓଡ଼ିଶାରେ ମଧ୍ୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଛି ଏପରି ଏକ କାର୍ଯ୍ୟକ୍ରମ। ଯେଉଁଥିରେ ଯୋଗ ଦେଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କିନ୍ତୁ, ଯେଉଁ ସଂସଦରେ ଏହି ଅଧିନିୟମ ଗୃହୀତ ହେଲା ସେହି ସଂସଦକୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଦୁଇ ବିଜେପି ମହିଳା ସାଂସଦ ଅପରାଜିତା ଷଡ଼ଙ୍ଗୀ (ଭୁବନେଶ୍ୱର) ଏବଂ ସଙ୍ଗୀତା କୁମାରୀ ସିଂହଦେଓ ଏହି କାର୍ଯ୍ୟକ୍ରମରେ ଥିଲେ ଅନୁପସ୍ଥିତ! “ନାରୀଶକ୍ତି ବନ୍ଦନ ଅଧିନିୟମ-୨୦୨୩” ଭିତରେ ଏବେ ଶିକ୍ଷା ବିଭାଗକୁ ନେଇ ଏବଂ ପୂର୍ବରୁ ପେଟ୍ରୋଲିୟମ ବିଭାଗ ଉଜ୍ଜଲା ଗ୍ୟାସ୍ କଥା ନେଇ ମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ। ଲାଗୁଥିଲା ସତେ ଯେପରି ମୋଦୀଙ୍କୁ ନୁହେଁ, ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ!
-/Dev@DRath