Odiapua.com

ଦାଦନ ଖଟିବାକୁ ଯାଉଛନ୍ତି ଗଞ୍ଜାମର ମଜୁରିଆ; ବାଂଲାଦେଶୀ ମାରୁଛନ୍ତି ପେଟକୁ ଲାତ: ବିଜେପି ମୌନ!

କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ଓଡ଼ିଶାରେ ବିଜେପି କରୁଛି ଖାଲି ପ୍ରଳାପ
ଭୁବନେଶ୍ୱର: ୩୭୦ ଧାରା ଉଚ୍ଛେଦ ପରେ କେନ୍ଦ୍ର ସରକାର ଦେଶରେ ରହିଥିବା ଆଉ ଏକ ସମ୍ବେଦନଶୀଳ ସମସ୍ୟା ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।ତାହା ହେଲା ବେଆଇନ ଅନୁପ୍ରବେଶ କାରୀଙ୍କୁ ଦେଶରୁ ହଟାଇବା।ଆସାମରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି।ଆସାମରେ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜନ (ଏନଆରସି) ଲାଗୁ ହେବା ପରେ ଏହା ସମଗ୍ର ଦେଶରେ ଲାଗୁ ହେବାକୁ ଯାଉଛି।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ସାରା ଦେଶରେ ନ୍ୟାସନେଲ ରେଜିଷ୍ଟର ଅଫ ସିଟିଜେନ ବା ଏନଆରସି ଲାଗୁ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ।ସେ ପ୍ରଶ୍ନ କରିଛନ୍ତି, ଏମିତି କୌଣସି ଦେଶ ଅଛି ଯିଏ ନିଜ ଦେଶରେ ବେଆଇନ ଭାବେ ବିଦେଶୀଙ୍କୁ ରହିବାକୁ ଅନୁମତି ଦେବ?ଶାହା କହିଛନ୍ତି ଆମେରିକା, ବ୍ରିଟେନ ଅବା ଋଷରେ ବେଆଇନ ଭାବେ କେହି ବାସ କରି ପାରିବେନି।ତେବେ ଅନ୍ୟ ଦେଶର ନାଗରିକ ଭାରତରେ ବିନା ପରିଚୟ ପତ୍ରରେ କିପରି ରହିପାରିବ?ଖୁବଶୀଘ୍ର ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ ଗଠନ କରାଯିବ ବୋଲି ଶାହା କହିଛନ୍ତି।ଦେଶରେ ରହୁଥିବା ସମସ୍ତ ନାଗରିକଙ୍କ ଏକ ତାଲିକା ପ୍ରସ୍ତୁତ କରାଯିବ।ଏବଂ ସରକାର ପୁଣି ଥରେ ସିଟିଜେନସିପ ଆମେଣ୍ଡମେଣ୍ଟ ବିଲ ଆଗତ କରିବାକୁ ଯାଉଛନ୍ତି ବୋଲି ଶାହା କହିଛନ୍ତି।

ଧାରା ୩୭୦ ଉଚ୍ଛେଦ ପରେ ବେଆଇନ ଭାବରେ ରହୁଥିବା ଅନୁପ୍ରବେଶ କାରୀଙ୍କୁ ଦେଶରୁ ହଟାଇବା ଯୋଜନା କରୁଛନ୍ତି କେନ୍ଦ୍ର ସରକାର।ଏବେ ୩୭୦ ଧାରା ଉଚ୍ଛେଦ ପରେ ରାଷ୍ଟ୍ରୀୟ ଏକତା ଅଭିଯାନ କରି ଜନ ଜାଗରଣ ସଭା ମାଧ୍ୟମରେ ବିଜେପି ଏ’ନେଇ ଜନ ସଚେତନତା ସୃଷ୍ଟି କରାଉଛି।ଓଡ଼ିଶାରେ ମଧ୍ୟ ଜନସଭା ହେଉଛି।ଏନଆରସି ଲାଗୁ ନେଇ ମଧ୍ୟ ବିଜେପି ଏପରି ଜନ ଜାଗରଣ କାର୍ଯ୍ୟକ୍ରମ କରିପାରେ।କିନ୍ତୁ, କେନ୍ଦ୍ର ସରକାର କରୁଥିବା ଯୋଜନାକୁ ନେଇ କେବଳ ଓଡ଼ିଶା ଲୋକଙ୍କ ଆଗରେ ପ୍ରଚାର କରାଇବା ନାମରେ ନିଜର ପ୍ରଚାର କରାଇବା ବ୍ୟତୀତ ଓଡ଼ିଶା ବିଜେପି ନେତା ନିଜେ କିଛି କରିବାର ଦେଖାଯାଉ ନାହାଁନ୍ତି।ବାଂଲାଦେଶୀ ଅନୁପ୍ରବେଶ ଓଡିଶାରେ ମଧ୍ୟ ଏକ ବଡ଼ ସମସ୍ୟା ହୋଇ ରହିଛି।ବିଜେପି ସମେତ ଆରଏସଏସ, ଭିଏଚପି, ବଜରଙ୍ଗ ଦଳ ଆଦି ଏ’ ନେଇ ଓଡ଼ିଶାରେ କେତେଥର ବିକ୍ଷୋଭ, ଆନ୍ଦୋଳନ କରିଛନ୍ତି।କିନ୍ତୁ ଏହାର ପ୍ରତିକାର ପାଇଁ କିଛି କରୁ ନାହାଁନ୍ତି।ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଭଞ୍ଜ ବିହାରରେ ଏବେ ଜୋରସୋରରେ ଚାଲିଛି କଂଷ୍ଟ୍ରକ୍ସନ କାମ।କିନ୍ତୁ, ଦେଖିବାକୁ ମିଳୁଛି ଏଠି ବଙ୍ଗଳା ଭାଷୀ ମାନେ ଆସି କାମ କରୁଛନ୍ତି।ସେମାନଙ୍କ ମଧ୍ୟରେ ଅନେକ ବାଙ୍ଗଳାଦେଶୀ ଅନୁପ୍ରେବଶ କାରୀ ଅଛନ୍ତି ବୋଲି ସନ୍ଦେହ ସୃଷ୍ଟି ହେଉଛି।କେବଳ ଭଞ୍ଜ ବିହାରରେ କାମ ନୁହଁ, ବ୍ରହ୍ମପୁରରେ ଅନ୍ୟାନ୍ୟ କଂଷ୍ଟ୍ରକ୍ସନ କାମରେ ମଧ୍ୟ ଦେଖିବାକୁ ମିଳୁଛି ଏମାନଙ୍କୁ।ଏଣେ ରୋଜଗାର ନ’ପାଇ ଗଞ୍ଜାମ, ବ୍ରହ୍ମପୁରରୁ ଅନେକ ଲୋକ ବାହାର ରାଜ୍ୟକୁ ଯାଉଛନ୍ତି ଦାଦନ ଖଟିବାକୁ।କିନ୍ତୁ, ଗଞ୍ଜାମରେ ଆସି କାମ କରୁଛନ୍ତି ବାଙ୍ଗଳାଦେଶୀ।ଓଡ଼ିଶା ଲୋକ ରାଜ୍ୟରେ କାମ ନ’ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି, କହି ନବୀନ ସରକାରଙ୍କୁ ଆକ୍ଷେପ କରି ଭାଷଣ ବାଜି କରୁଥିବା ବିଜେପି ନେତାଙ୍କୁ ବୋଧେ ଏହା ଦେଖାଯାଉନି।ଗୋପାଳପୁର ବିଧାନସଭା କ୍ଷେତ୍ରରେ ଯାଉଥିବା ଏଠାକାର ବିଧାୟକ ବିଭୁତି ଜେନା, ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଲେଙ୍କା ବ୍ରହ୍ମପୁରରୁ ସାଂସଦ ଭାବେ ନିର୍ବାଚନ ଲଢ଼ିଥିବା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କୁ ଏହା ଜଣାପଡ଼ୁନି।ଭୃଗୁଙ୍କର ନିର୍ବାଚନ ପରେ ଆଉ ବ୍ରହ୍ମପୁରରେ ଦେଖା ନାହିଁ।ଟିଭିରେ ବାହାରିବାକୁ ଭୁବନେଶ୍ୱର ପାର୍ଟି ଅଫିସରେ ବୋଧେ ପଡ଼ି ରହୁଛନ୍ତି।କେବଳ ଏଇ ରାଷ୍ଟ୍ରୀୟ ଏକତା ଅଭିଯାନ ଭଳି କାର୍ଯ୍ୟକ୍ରମରେ ଚାଲି ଆସୁଛନ୍ତି ଭାଷଣ ମାରିବାକୁ, ଟିଭିରେ ବାହାରିବାକୁ।ଏହି କାରଣ ଯୋଗୁଁ ଓଡ଼ିଶା ଲୋକ ମୋଦୀଙ୍କୁ ସିନା ଭଲ ପାଉଛନ୍ତି, କିନ୍ତୁ ଓଡ଼ିଶା ବିଜେପିକୁ ନୁହେଁ।ଓଡ଼ିଶା ବିଜେପି ନେତା କେବଳ ମୋଦୀଙ୍କ ନାଁ ଏବଂ କେନ୍ଦ୍ର ସରକାରଙ୍କ ଯୋଜନା କଥା କହି ଭାବୁଛନ୍ତି ଓଡ଼ିଶାରେ ସରକାର କରିଦେବେ।କିନ୍ତୁ, ତାହା ହୋଇ ପାରୁନାହିଁ।କାରଣ ଓଡ଼ିଶାରେ ନିଜ ନିଜ ଅଞ୍ଚଳରେ ଥିବା ସମସ୍ୟାକୁ ନେଇ ଲୋକଙ୍କ ପାଖରେ ପହଞ୍ଚି ତାର ସମାଧାନ କରିବାର କୌଣସି ପ୍ରକାର ପ୍ରୟାସ କରୁ ନାହାଁନ୍ତି ଏହି ନେତାଗଣ।//ଦେବଦତ୍ତ ରଥ