Odiapua.com

ଜିଲ୍ଲାପାଳ କ୍ଷମତା; ଅପରାଧୀ ମାନସିକତା: କରୋନା ଯୋଦ୍ଧାଙ୍କ ମଦ କାରବାର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ବଡ଼ କ୍ଷମତା ଦେଲେ। ନିଷ୍ଠା ଏବଂ ଦାୟିତ୍ୱର ସହ କରୋନା ମୁକାବିଲା ଦିଗରେ କାମ କରିବାକୁ ସରପଞ୍ଚ ମାନେ ଶପଥ ନେଲେ। ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଗଲା। ତେବେ, ଏହାକୁ ନେଇ କେତେକ ସ୍ତରରେ ସ୍ୱାଗତ କରାଯିବା ବେଳେ କେତେକ ସ୍ତରରେ ସମାଲୋଚନା ମଧ୍ୟ କରାଗଲା। ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯିବାକୁ ନେଇ କେହି ମାଙ୍କଡ଼ ହାତରେ ଶାଳଗ୍ରାମ ବୋଲି କହିଲା ତ’ କିଏ ଭୂତ ହାତରେ ନିଆଁ ଡାଙ୍ଗ କହି କଟାକ୍ଷ କଲା।

କ୍ଷମତା ଏବଂ ଦାୟିତ୍ୱ ଭିତରେ ଅନେକ ଫରକ ରହିଛି। କ୍ଷମତାର ଉପଯୋଗ ବା ଦୂରପଯୋଗ କରାଯାଏ। କିନ୍ତୁ, ଦାୟିତ୍ୱ ତୁଲିଆ ଯାଇଥାଏ। କିଏ ଠିକ୍ ଭାବରେ ତୁଲାଇ ପାରେ, ଆଉ କିଏ ଠିକ୍ ଭାବରେ ତୁଲାଇ ପାରେନି। ବାସ୍ତବରେ ମୁଖ୍ୟମନ୍ତ୍ରୀ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ନୁହେଁ, ବରଂ ଦାୟିତ୍ୱ ଦେବାର ଉଚିତ୍ ଥିଲା। ଅବଶ୍ୟ କ୍ଷମତା ପାଇବା ଭିତରେ ଅନେକ ସରପଞ୍ଚ ସେମାନଙ୍କ ଦାୟିତ୍ୱ ଠିକ୍ ଭାବରେ ତୁଲାଇ ଥିବା ବେଳେ କେତେଜଣ ଦୃଷ୍ଟାନ୍ତମୂଳକ କାମ ମଧ୍ୟ କରିଛନ୍ତି। ସେହିପରି କେତେଜଣ ସରପଞ୍ଚ କ୍ଷମତାର ଅପବ୍ୟବହାର କରିଥିବା ବେଳେ କେତେ ଜଣ ସରପଞ୍ଚ ଅପରାଧ କରୁଛନ୍ତି।

ଭୂତ ହାତରେ ନିଆଁ ଡାଙ୍ଗ –
ଏହିପରି ଏକ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ପଞ୍ଚାୟତରେ। କରୋନା ମୁକାବିଲା ଦିଗରେ କରୋନା ଯୋଦ୍ଧା ଭାବରେ କାମ କରିବାକୁ ଅପରାଧୀଙ୍କୁ ଚୟନ କରିଛନ୍ତି ସରପଞ୍ଚ। ବିନା ପ୍ରତିବନ୍ଧକରେ ତାଙ୍କ ପାଇଁ କରୋନା ଯୋଦ୍ଧା ଭାବରେ ଯାତାୟତ ପାଇଁ ପାସ୍ ଇସ୍ୟୁ କରାଇ ଦେଇଛନ୍ତି ସରପଞ୍ଚ। ଏହାର ସୁଯୋଗରେ ସଂପୃକ୍ତ ଅପରାଧୀ ଲକ୍ ଡାଉନ୍ ଭିତରେ ନିର୍ବିଘ୍ନରେ ଚଲାଇ ଆସିଥିଲେ ଚୋରା ମଦ କାରବାର। ଏବେ କିନ୍ତୁ କଥା ଧରା ପଡ଼ିଯାଇଛି। ଜିଲ୍ଲାପାଳ କ୍ଷମତାଧାରୀ ସରପଞ୍ଚଙ୍କ ସ୍ଵୀକୃତରେ ଚୋରା ମଦ କାରବାର କରି ଆସୁଥିବା ଛଦ୍ମ କରୋନା ଯୋଦ୍ଧା ଅପରାଧୀ ବିଜୟ ସାମନ୍ତରାୟ ଧରାପଡ଼ି ଯାଇଛନ୍ତି। ପୋଲିସ୍ ତାଙ୍କ ସ୍କୁଟି ଡିକି ଭିତରୁ ଏବଂ ଘରୁ ଚୋରା ଦେଶୀ ମଦ ଜବତ କରିଛି। କିନ୍ତୁ ଅପରାଧୀ, ଛଦ୍ମ କରୋନା ଯୋଦ୍ଧା ଫେରାର ହୋଇଯାଇଛନ୍ତି। ବଡ଼ କଥା ହେଲା ସଂପୃକ୍ତ ଅଞ୍ଚଳରେ ସହଜରେ ଚୋରା ବିଦେଶୀ ମଦ ମିଳୁନଥିବା ବେଳେ ସରପଞ୍ଚଙ୍କ ଏହି ଛଦ୍ମ କରୋନା ଯୋଦ୍ଧା ସେଠାରେ ପ୍ରଥମ ଥର ପାଇଁ ଦେଶୀ ପାଉଚ୍ ମଦ ଲଞ୍ଚ୍ କରାଇଛନ୍ତି। ୧୫ ଟଙ୍କାର ମଦ ପାଉଚ ଆଣି ଏଠାରେ ୪୦ ଟଙ୍କାରୁ ୭୦ ଟଙ୍କାରେ ବିକ୍ରି କରାଯାଉଛି। ମୋଟା ଆକାରରେ ଲାଭ ହେଉଛି, ଏବଂ ଏହି ବ୍ୟବସାୟ ପଛରେ କିଛି ରାଜନୈତିକ ଏବଂ ପ୍ରଭାବୀ ଲୋକଙ୍କର ସଂପୃକ୍ତି ରହିଛି। ବିଜୟ ଜଣେ ଅଭ୍ୟାସଗତ ଅପରାଧୀ। ପୂର୍ବରୁ ସେ ଅନେକ ଅପରାଧରେ ଜଡ଼ିତ ଥିବା ବେଳେ କିଛିଦିନ ତଳେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଆଖି ଫୋଡ଼ି ଦେଇଥିଲେ ଏହି ବିଜୟ ସାମନ୍ତରାୟ। ତେଣୁ, ଏପରି ଜଣେ ଅଭ୍ୟାସଗତ ଅପରାଧୀଙ୍କୁ କରୋନା ଯୋଦ୍ଧା ଭାବରେ ନିଯୁକ୍ତି ଦେଇ ବାସ୍ତବରେ ସରପଞ୍ଚ ଜଣେ ଗୁଣ୍ଡାକୁ ପାଖରେ ରଖି ତାଙ୍କ ମାଧ୍ୟମରେ ନିଜ ସ୍ୱାର୍ଥ ହାସଲ କରୁଥିଲେ ବୋଲି କୁହାଯାଉଛି। ଯିଏକି ବୁଲି ବୁଲି ସିନା ଅନ୍ୟ ଦୋକାନୀ ମାନଙ୍କୁ ଦୋକାନ ବନ୍ଦ୍ କରିବାକୁ ଧମକକାଉ ଥିଲେ, କିନ୍ତୁ ନିଜେ ଏଣେ ଚୋରା ମଦ କାରବାରରେ ଲିପ୍ତ ଥିଲେ। /-ଦେବଦତ୍ତ ରଥ

ବିଜେପି ଯୁବା ନେତ୍ରୀଙ୍କ ଆପତ୍ତିଜନକ ଭାଇରାଲ୍ ଫଟୋ ..