ଭୁବନେଶ୍ୱର: ଫସିଯିବେ କି ଅଭିମନ୍ୟୁ ଚକ୍ରବ୍ୟୁହରେ? ଭଦ୍ରକ ରଜନୀତିକୁ ଲକ୍ଷ କଲେ ବିଜେପି ନେତା ଅଭିମନ୍ୟୁ ସେଠୀ ଏକ ଭୟଙ୍କର ଚକ୍ରବ୍ୟୁହରେ ଫସିଗଲା ପରି ଅନୁଭବ ହେଉଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପୁଅ ତଥା ଗତ ସାଧାରଣ ନିର୍ବାଚନରେ ଭଦ୍ରକ ଲୋକସଭା ଆସନର ବିଜେପି ସାଂସଦ ପାର୍ଥି ତଥା ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀଙ୍କ ରାଜନୈତିକ ଭବିଷ୍ୟତ କାହିଁକି ଅନ୍ଧକାର ଆଡ଼କୁ ଗତି କଲା ପରି ଅନୁଭବ ହେଉଛି। ସଂରକ୍ଷିତ ଆସନ ପାଇଁ ସେମିତି ପାର୍ଥି ନଥିବା କାରଣରୁ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପୁଅ ହୋଇଥିବା କାରଣରୁ ଦଳରେ ସାମିଲ୍ କରାଇ ଅଭିମନ୍ୟୁ ସେଠୀଙ୍କୁ ଗତ ଥର ସିନା ବିଜେପି ଟିକେଟ ଦେଇଦେଲା, କିନ୍ତୁ ୨୦୨୪ କଥା କହିବା ମୁସ୍କିଲ୍। ଏମିତିରେ ଅଭିମନ୍ୟୁ ରାଜ୍ୟ ସମ୍ପାଦକ ହିସାବରେ ରାଜ୍ୟ ସ୍ତରରେ କ’ଣ ପାରିବେ, ନିଜ ଜିଲ୍ଲାରେ ନିଜର ସେମିତି ଏକ ପ୍ରଭାବ ବିସ୍ତାର କରିପାରି ନାହାଁନ୍ତି। ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ମାନଙ୍କ ସହ କେବଳ ତାଳି ପକାଇ ସତେ ଯେପରି ଭଦ୍ରକ ଜିଲ୍ଲା ବିଜେପି ରାଜନୀତି ଭିତରେ ନିଜକୁ ବଞ୍ଚାଇ ରଖିଛନ୍ତି ଅଭିମନ୍ୟୁ ସେଠୀ। ଯାହା ଜଣାପଡ଼ୁଛି, ୨୦୨୪ ନିର୍ବାଚନରେ ଦଳ ବଦଳ ମାତ୍ରା ବଢ଼ିବା ନିଶ୍ଚିତ ଏବଂ ଦଳ ବଦଳକାରୀ ମଧ୍ୟ ଟିକେଟ ପାଇବା ସମ୍ଭାବନା ଅଧିକ। ଏମିତିରେ ଭଦ୍ରକ ବିଜେଡି ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳ ଅଭିମନ୍ୟୁଙ୍କ ପାଇଁ କଣ୍ଟା ହେବାର ସମ୍ଭାବନା ରହିଛି ବୋଲି ଆଲୋଚନା ଜୋର୍ ଧରିଛି। ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳଙ୍କର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଭଲ ସଂପର୍କ ରହିଛି। ଦିଲ୍ଲୀ ଗସ୍ତ କାଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳଙ୍କର ରୀତିମତ ତଥା ଏକାନ୍ତରେ ସାକ୍ଷାତ ହୁଏ ଏବଂ ଆଗାମୀ ରାଜନୀତି ପାଇଁ ସେମାନଙ୍କ ମଧ୍ୟରେ ଡିଲ୍ ସରିଛି ବୋଲି ଆଲୋଚନା ହେଉଛି।
/-Dev@Dr