ଭୁବନେଶ୍ୱର: ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ସ୍ମୃତି ପଟ୍ଟନାୟକ ଆନୁଷ୍ଠାନିକ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି। କିଛି ଦିନ ତଳେ ତାଙ୍କୁ ସଭାନେତ୍ରୀ ଭାବେ ଦାୟୀତ୍ୱ ଦିଆଯାଇଥିଲା। ତେବେ ସୋମବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ଏବେକାର ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ନବ ନିଯୁକ୍ତ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କୁ କାର୍ଯ୍ୟଭାର ଅର୍ପଣ କରିଛନ୍ତି। ଏହି ଅବସରରେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ନୂତନ ସଭାନେତ୍ରୀଙ୍କୁ ଶୁଭେଚ୍ଛା, ସମ୍ବର୍ଦ୍ଧନା ଜଣାଇଥିଲେ। ମହିଳାମାନେ ରାଜ୍ୟରେ ସୁରକ୍ଷିତ ନାହାଁନ୍ତି। ପ୍ରତିଦିନ ମହିଳାଙ୍କ ସହ ଅସଦାଚରଣ ଘଟଣା ସାମ୍ନାକୁ ଆସୁଛି। ଅନେକ ଯୋଜନା ମହିଳାଙ୍କ ପାଇଁ ଲାଗୁ ହୋଇଥିଲେ ବି ସେମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ରହୁଛନ୍ତି ବୋଲି କହିବା ସହ ଆଗାମୀ ଦିନରେ ମହିଳା ମୋର୍ଚ୍ଚା ସଙ୍ଗଠନକୁ ତୃଣମୂଳ ସ୍ତରରେ ସଶକ୍ତ କରିବା, ମହିଳା ଓ ନାବାଳିକାଙ୍କୁ ସୁରକ୍ଷା ଯୋଗାଇବା ଦିଗରେ କାର୍ଯ୍ୟ କରିବା ସହ ମୋଦି ସରକାରଙ୍କ ମହିଳା କଲ୍ୟାଣ ଯୋଜନା ଗୁଡ଼ିକୁ ରାଜ୍ୟର ସମସ୍ତ ମହିଳାଙ୍କ ପାଖରେ ପହଞ୍ଚାଇବାକୁ ପ୍ରାଥମିକତା ଦିଆଯିବ ବୋଲି ସ୍ମୃତି ପଟ୍ଟନାୟକ କହିଥିଲେ। ଏହାସହ ମହିଳା ମୋର୍ଚ୍ଚାକୁ ପ୍ରଭାବଶାଳୀ ନେତୃତ୍ୱ ଦେଇଥିବା ପୂର୍ବତନ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଧନ୍ୟବାଦ ଦେବା ସହ ଆମେ ସମସ୍ତେ ଏକାଠି ହୋଇ ଭବିଷ୍ୟତରେ ତାଙ୍କର ସେହି ପ୍ରଭାବଶାଳୀ କାର୍ଯ୍ୟଧାରା ଜାରୀ ରଖିବୁ ବୋଲି କହିଛନ୍ତି ସ୍ମୃତି ପଟ୍ଟନାୟକ।
-@DevDr