Odiapua.com

ଚକ୍ରବ୍ୟୁହ ଭିତରେ ପଶିଛି ଭୁବନେଶ୍ୱରର ଆଇନ୍ କାନୁନ୍

ଭୁବନେଶ୍ୱର ୩-୯ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଗୋଟିଏ ରାଜ୍ୟର ରାଜଧାନୀ ହେଉଛି ସରକାରର ମାପକାଠି। ରାଜଧାନୀରେ କ’ଣ ଘଟୁଛି ତାହା ପ୍ରତିଫଳିତ ହୁଏ ରାଜ୍ୟର ଅନ୍ୟ ପ୍ରମୁଖ ସହର ଉପରେ। ରାଜନୈତିକ ପ୍ରତିଫଳନ ହେଉ ଅବା ଆଇନ୍ ଶୃଙ୍ଖଳା ପରିସ୍ଥିତିର ପ୍ରତିଫଳନ ହେଉ ସବୁର ଉଦାହରଣ ନିଆଯାଏ ରାଜଧାନୀର ପରିସ୍ଥିତିକୁ ଦେଖିକରି। ସେହି ଅନୁପାତରେ ଆଜି ଆମେ ରାଜଧାନୀ ଭୁବନେଶ୍ୱରର କିଛି ସମ୍ୟକ ଆଇନ୍ ଶୃଙ୍ଖଳା ପରିସ୍ଥିତି ବାବଦରେ ପାଠକଙ୍କ ନିକଟରେ ରୋଚକ ତଥ୍ୟ ଉପସ୍ଥାପନ କରୁଛୁ। ରାଜ୍ୟରେ ଶାସିତ ବିଜୁ ଜନତା ଦଳ ସରକାର ଦୃଢ଼ ସ୍ତରରେ ତଥ୍ୟ ଉପସ୍ଥାପନ କରୁଛି ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ। ବିଶେଷ କରି କଟକ ଭୁବନେଶ୍ୱରର କମିଶନରେଟ୍ ପୋଲିସ୍ ଦୈତ୍ୱ ନଗରୀର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସମ୍ପୂର୍ଣ୍ଣ ଭାବରେ ନିଜ ନିୟନ୍ତ୍ରଣକୁ ନେଇ ସାରିଛି। କେବଳ ଅସଡଡ଼ା ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣକୁ ଆଣିବା ପାଇଁ କମିଶନରେଟ୍ ପୋଲିସ୍ ଜଣେ ଡିସିପିଙ୍କୁ ପ୍ରଥମଥର ପାଇଁ ଟ୍ରାପିକ୍ ଦାୟୀତ୍ତ୍ୱ ନ୍ୟସ୍ତ କରିଛନ୍ତି। ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଏବଂ ଏହି ଦକ୍ଷ ମହିଳା ଆଇପିଏସ୍ ଅଫିସର ଜଣଙ୍କ ଟ୍ରାଫିକ୍ ଡିସିପି ହେବା ପରେ ଭୁବନେଶ୍ୱର କଟକ ଟ୍ରାଫିକ ପରିସ୍ଥିତିର ଅନେକ ସୁଧାର ପରିଲକ୍ଷିତ ହେଉଛି।

ଏହା ହେଉଛି, ଆଇନ୍ ଶୃଙ୍ଖଳା ପରିସ୍ଥିତି ରୋକିବାର ଗୋଟିଏ ଦିଗ। ମାତ୍ର ଅପର ଦିଗରେ ଯେଉଁ ଭୟାବହ ଏବଂ ଏତେ ମାରାତ୍ମକ ତାହା ପରିପ୍ରକାଶ କରିବାରେ ମଧ୍ୟ କୁଣ୍ଠାବୋଧ ଲାଗୁଛି। ଏହି ଖବର ଏକ ଖବର ନୁହେଁ। ଏହା ରାଜଧାନୀବାସୀଙ୍କ ପାଇଁ ଏକ ସଚେତନର ବାର୍ତ୍ତା।

୩୮ ଲକ୍ଷରୁ ଉର୍ଦ୍ଧ୍ୱ ପାଠକଙ୍କୁ ଧନ୍ୟବାଦ : ‘ଓଡ଼ିଆ ପୁଅ’ ପେଜ୍ ଭିଉଜ୍ ୫ ମିଲିୟନ୍ ଟପିଲା

ସ୍ଥିତି ବଦଳିଲାଣି, ପରିସ୍ଥିତି ମଧ୍ୟ ବଦଳିଲାଣି। ଆମେ ଅତ୍ୟାଧୁନିତ ହେଲେଣି। ମାତ୍ର ଅତ୍ୟାଧୁନିକ ହେବାର ଏକ ନିର୍ଦ୍ଧିଷ୍ଟ ସୀମାରେଖା ଥାଏ। ଏହି ଖବର ସହିତ ସଲଗ୍ନ କିଛି ଚିତ୍ର ଆମେ ପାଠକଙ୍କୁ ପରିବେଷଣ କରୁଛୁ। ଖୋଦ ରାଜଧାନୀ ଭୁବନେଶ୍ୱରରେ ଏହା ହେଉଛି ଦୁଇଟି ଡିସ୍କୋବାରର ଦୃଶ୍ୟ ଗୋଟିଏ ହେଉଛି ଖାରବେଳ ନଗର ଥାନା ଠାରୁ ଦୁଇଶହ ମିଟର ଭିତରେ ଏବଂ ଅନ୍ୟଟି ହେଉଛି ଚନ୍ଦ୍ରଶେଖର ପୁର ଥାନା ପରିଧି ମଧ୍ୟରେ। ପ୍ରତିଦିନ ସନ୍ଧ୍ୟା ୮ଟା ପରେ ଏହି ଡିସ୍କୋ ବାରରେ ଚାଲେ ରଙ୍ଗର ଆସର। ବେଶୀଠୁ ବେଶୀ ଏକ ହଜାର ସ୍କୋୟାର ଫୁଟ ଭିତରେ ଏହି ଡ୍ୟାନ୍ସ ବାରର ପରିଧି। ସଂଧ୍ୟା ୮ ଟା ପରେ ଏଠି ସମାଗମ ହୁଏ କୋମଳମତି କିଶୋର କିଶୋରୀଙ୍କର ସମାଗମ। ଡିଜେର ତାଳତାଳେ ଆରମ୍ଭ ହୁଏ ନୃତ୍ୟଗୀତର ଆସର। ଭିତରର ପରିବେଶ ବର୍ଣ୍ଣନା କରିବା ପାଇଁ ଅନିଚ୍ଛୁକ ସତ୍ତ୍ୱେ ବାଧ୍ୟ କରୁଛି ପରିସ୍ଥିତି। କେଲଜ୍ ପଢ଼ିବା ଝିଅ/ପୁଅ ଯେଉଁ ଆଚରଣରେ ସେହି ସ୍ଥାନରେ ନିଜକୁ ପ୍ରତିଫଳିତ କରୁଛନ୍ତି ତାହା କଳ‌ପନାର ବାହାରେ। ଯୁବତୀମାନେ ସ୍ୱଳ୍ପ ପୋଷାକ ପରିଧାନ କରି ଯେଉଁ ଅବସ୍ଥାରେ ଏହି ବାର ମଧ୍ୟରେ ପ୍ରବେଶ କରି ସମୟ ଅତିବାହିତ କରୁଛନ୍ତି ତାହା ଏହି ସମ୍ବାଦ ପଢ଼ି ପ୍ରତ୍ୟେକ ଅଭିଭାବକଙ୍କୁ ଚିନ୍ତା କରିବାର ସମୟ ଆସିଛି। ମଦ, ଗଞ୍ଜେଇ, ଚରସ୍ ପରି ଅନେକ ନିଶା ଦ୍ରବ୍ୟ ଏହି ଡିସ୍କୋ ବାରରେ ଉପଲବ୍ଧ। ତତ୍ ସହିତ ଅନେକ ପ୍ରକାର ଅନୈତିକ କାର୍ଯ୍ୟ ମଧ୍ୟ ଏହି ବାରରେ ଉପଲବ୍ଧ। ଗୋଟିଏ ପଟେ ରାସ୍ତା ଉପରେ ଆଇନ୍ ଶଃଙ୍ଖଳା ପରିସ୍ଥିତିକୁ ରୋକିବା ବାହାନାରେ କମିଶନରେଟ୍ ପୋଲିସ୍ ନେଉଥିବା ବିଭିନ୍ନ ପଦକ୍ଷେପ କେବଳ ଲୋକ ଦେଖାଣିଆ। ମାତ୍ର ଏହି ଦୁଇଟି ଡ୍ୟାନ୍ସ ବାର ଏବଂ ଏବଂ ତା ସହିତ ଏନେକ ଡ୍ୟାନ୍ସ ବାର ଉପରେ ପୋଲିସ୍ ର ପଦକ୍ଷେପ କ’ଣ ତାହା କ ବିରାଟ ପ୍ରଶ୍ନବାଚୀ। ଏହି ଦୁଇଟି ଡ୍ୟାନ୍ସବାରର ସ୍ୱତ୍ତ୍ୱାଧିକାରୀ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା। ଗତ ତିନି ମାସ ଧରି ଏହି ପ୍ରତିନିଧି ଜଣକ, ସମ୍ପୂର୍ଣ୍ଣ ତଥ୍ୟ ଜନମାନସରେ ପ୍ରକାଶ କରିବା ପାଇଁ ଅନେକ କଷ୍ଟ ସ୍ୱୀକାର କରିଥିଲେ। ପ୍ରାରମ୍ଭିକ ତଦନ୍ତରୁ ଯାହା ଖବର ମିଳିଛି ରାଜ୍ୟର ଅନେକ ପ୍ରଭାବଶାଳୀ ବ୍ୟୁରୋକ୍ରାଟ ଏବଂ ଶାସକ ଦଳର କିଛି ଆଗ ଧାଡ଼ିର ନେତାଙ୍କର କଳା ଧନରେ ଚାଲିଛି ଏହି ଡ୍ୟାନ୍ସବାର। ଜଣେ ଭୂତପୂର୍ବ ମୁଖ୍ୟ ଶାସନ ସଚିବଙ୍କ ପତ୍ନୀଙ୍କ ନାଁ ରେ ଏବଂ ଜଣେ ବର୍ତ୍ତମାନର ବ୍ୟୁରୋକ୍ରାଟଙ୍କର ଶ୍ୱଶୁରଙ୍କ ନାଁ ରେ ଏହି ଡିସ୍କୋ ବାର୍ ଚାଲିଥିବାର ଖବର ଶୁଣାଯାଉଛି। କାଗଜ ପତ୍ର ସହିତ ସମ୍ପୂର୍ଣ୍ଣ ତଥ୍ୟ ଖୁବ୍ ଶୀଘ୍ର ପ୍ରକାଶ କରାଯିବ। ତେଣୁ ହୋଇପାରେ ଏହା ଏକ ଅନୁସନ୍ଧାନ ମୂଳକ ଖବର ମାତ୍ର ଏହି ଖବର ପାଠ କରୁଥିବା ପ୍ରତିଟି ଅଭିଭାବକଙ୍କୁ ବିନମ୍ର ଅନୁରୋଧ ସଂଧ୍ୟା ସମୟରେ ମିଥ୍ୟା ତଥ୍ୟ ପ୍ରକାଶ କରି ଘରୁ ଯାଉଥିବା ସନ୍ତାନ ସନ୍ତତିଙ୍କ ଉପରେ ନଜର ରଖନ୍ତୁ।

https://twitter.com/odiapuanews/status/1168951317160714241