ଭୁବନେଶ୍ୱର/ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଗନ୍ଧର୍ବବିନ୍ଧା ଆଦିବାସୀ ସାହିରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ବସବାସ କରୁଥିବା ୪୫ଟି ପରିବାର ପ୍ରଶାସନିକ ଅବହେଳା ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଛନ୍ତି। ଆର୍ଥିକ ଅନାଟନ କାରଣରୁ ଘର ଛାଉଣୀ କରିପାରୁନଥିବା ଏହି ଆଦିବାସୀ ପରିବାର ପଲିଥିନ ତଳେ ବସବାସ କରୁଥିବା ବେଳେ ରାଜନୈତିକ ହୀନ ଉଦ୍ଦେଶ୍ୟ ରଖି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ ଦିଆଯାଇଛି ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ନେତା ବଦ୍ରି ନାରାୟଣ ଧଳ ଅଭିଯୋଗ କରିଛନ୍ତି। ଗନ୍ଧର୍ବବିନ୍ଧା ଆଦିବାସୀ ସାହିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଦ୍ରୀ ଧଳ ପ୍ରଶାସନକୁ ତୀବ୍ର ସମାଲୋଚନା କରିବା ସହିତ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ଆଜି ଗରୀବ ଆଦିବାସୀ ମାନେ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗ, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ, ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଗତ ରାସନ କାର୍ଡ, ଭୋଟର ପରିଚୟପତ୍ର ପାଇଥିବା ବେଳେ ଘରଡିହ ପଟା ନଥିବା ଦର୍ଶାଇ ସେମାନଙ୍କୁ ସରକାରୀ ଆବାସ ଯୋଜନାରୁ ବାଦ ଦିଆଯାଇଛି ବୋଲି କହିଛନ୍ତି। ସରକାରୀ ଅର୍ଥରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଓ ନଳକୂପ ଖୋଲାଯାଇଥିବା ବେଳେ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ପ୍ରଶାସନର ଟାଳଟୁଳ ନୀତିକୁ ସମାଲୋଚନା କରିଛି ବିଜେପି। ସରକାର ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଘରଡିହ ଯୋଗାଉଥିବା ବେଳେ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ବହୁ ଗରିବ ଆଦିବାସୀ ଏଥିରୁ ବାଦ ପଡ଼ିଛନ୍ତି। ଘରଡିହ ପଟା ନଥିବାରୁ ଏମିତିକି ଛାତ୍ରଛାତ୍ରୀ ମାନେ ଜାତି ପ୍ରମାଣ ପତ୍ର ବିଦ୍ୟାଳୟ ରେ ଦାଖଲ ନକରିପାରି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
-@Dr