ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଉଠାଇ ଆସୁଥିବା ଦୁଇଟି ପ୍ରସଙ୍ଗ, ଜିଲ୍ଲାରେ ବେଆଇନ ଗୋଚାଲାଣ ଏବଂ ଧଳାଜହର (ଡ୍ରଗ୍ସ) କାରୋବାର ବୃଦ୍ଧି ପ୍ରସଙ୍ଗ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଉତ୍ଥାପିତ ହୋଇଛି। ମଙ୍ଗଳବାର ଦିନ ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁଙ୍କ ଦ୍ୱାରା ଆଗତ ରାଜନୈତିକ ଚିଠା ପ୍ରସ୍ତାବରେ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା, ଧାମରାରେ ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ଗୁରୁତ୍ୱ ଦେବା ସହ କୁଆଁସ ନିକଟରେ ଅର୍ଜୁନ ସେତୁକୁ ତରବରିଆ ଭାବେ ଭାଙ୍ଗି ନିର୍ମାଣରେ ବିଳମ୍ବ, ନିର୍ବାଚିତ ଜନପ୍ରତିନିଧିଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଓ ଅସହଯୋଗକୁ ନିନ୍ଦା ଏବଂ ଭଦ୍ରକରେ ଧଳା ଜହର କାରବାର, ଗୋଚାଲାଣ ରୋକିବାରେ ବିଫଳତାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଅନ୍ୟତମ ଉପସଭାପତି ଦୁର୍ଗା ଚରଣ ନାୟକ ଏହି ଚିଠା ପ୍ରସ୍ତାବକୁ ସମର୍ଥନ କରିବା ପରେ ତାହା କାର୍ଯ୍ୟକାରିଣୀରେ ପାରିତ ହୋଇଛି।