Odiapua.com

“ମୁଁ ହିରୋ”: ଅନୁଭବଙ୍କୁ “ନକଲି ହିରୋ” ସାବ୍ୟସ୍ତ କରି ଦେଲେ ବୈଜୟନ୍ତ!

ଭୁବନେଶ୍ୱର:କେନ୍ଦ୍ରାପଡା ବିଜେପିର ସାଂସଦ ପାର୍ଥି ବୈଜୟନ୍ତ ପଣ୍ଡା ତାଙ୍କ ପ୍ରତିପକ୍ଷ ବିଜେଡି ପାର୍ଥି ଅଭିନେତା ଅନୁଭବ ମହାନ୍ତିଙ୍କୁ “ନକଲି ହିରୋ” ସାବ୍ୟସ୍ତ କରି ଦେଇଛନ୍ତି।ବୈଜୟନ୍ତ ବିଜେପିରୁ କେନ୍ଦ୍ରାପଡା ଆସନ ପାଇଁ ପାର୍ଥି ହେବା ପରଠାରୁ କେନ୍ଦ୍ରାପଡା ଆସନଟି ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଯାଇଛି।ବୈଜୟନ୍ତଙ୍କୁ ବିଜେଡି ଏବେ ସବୁଠାରୁ ବଡ଼ ଶତ୍ରୁ ଭାବୁ ଥିବାରୁ କୌଣସି ପରିସ୍ଥିତିରେ ତାଙ୍କୁ କ୍ଷମତାକୁ ଅଣାଇ ନ’ ଦେବା ବିଜେଡିର ଉଦ୍ଦେଶ୍ୟ।ତେଣୁ ବୈଜୟନ୍ତଙ୍କ ବିରୋଧରେ ବହୁ ଚିନ୍ତା କରି ବିଜେଡି ରାଜ୍ୟ ସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ପାର୍ଥି କରିଛି।କାରଣ ଓଡ଼ିଶାର ଜଣେ ପ୍ରତିଷ୍ଠିତ ସିନେ ଆକ୍ଟର୍ ଭାବରେ ଅନୁଭବ ଖୁବ୍ ପପୁଲାର।ତେଣୁ ଏଠାରେ କଡ଼ା ଲଢ଼େଇ ହେବା ଅନୁମାନ କରାଯାଉଛି।

ଅନୁଭବଙ୍କୁ ପାର୍ଥି କରାଯିବା ପରେ ସେ କହିଥିଲେ, ମୁଁ ମୋ ନେତାଙ୍କୁ କେବେ ଠକିବିନି କି ବେଇମାନ କରିବି ନାହିଁ।ଏହା ସେ ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ ହିଁ କହିଥିଲେ।”ବିଜୁ ବାବୁ” ଚଳଚିତ୍ରରେ ଅନୁଭବଙ୍କ ଅଭିନୟ ଏବଂ ଏବେ ତାର ଟ୍ରେଲର ପ୍ରସାରଣ, ଅନୁଭବଙ୍କର “ମୁଁ କଳିଙ୍ଗ ଷଣ୍ଢ” ଡାଇଲଗ, ଏବଂ ପୂର୍ବରୁ “ମୁଁ ହିରୋ,ମୁଁ ଓଡ଼ିଶା” କ୍ୟାମ୍ପେନ ଆଦି ଯୋଗୁଁ ଅନୁଭବ ବିଜେଡି କର୍ମୀଙ୍କ ଭିତରେ ଖୁବ୍ ପପୁଲାର ହୋଇ ଯାଇଛନ୍ତି।ସୋସିଆଲ ମିଡିଆରେ ଏହାର ସବୁ ଖୁବ୍ ପ୍ରଚାର ହେଉଛି।

କିନ୍ତୁ,ଏବେ ବୈଜୟନ୍ତ ଗୋଟିଏ ଝଟକାରେ ଅନୁଭବଙ୍କୁ ନକଲି ହିରୋ ସାବ୍ୟସ୍ତ କରି ଦେଇଛନ୍ତି।କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ନିର୍ବାଚନୀ ପ୍ରଚାର ସଭାରେ ଯୋଗ ଦେଇ ଅନ୍ୟତମ ପପୁଲାର ଓଡ଼ିଆ ସିନେ ଆକ୍ଟର ବାବୁସାନ ମହାନ୍ତି ପରୋକ୍ଷରେ ବୈଜୟନ୍ତଙ୍କୁ “ଅସଲି ହିରୋ” ଏବଂ ଅନୁଭବଙ୍କୁ “ନକଲି ହିରୋ” କହିଛନ୍ତି।ବାବୁଶାନ କହିଛନ୍ତି, “ମୁଁ ସତ କଥା ଗୋଟେ କହିବି,ରାଜନୀତି ଜାଣିନାହିଁ।ଯେଉଁଠି ସ୍ୱାଭିମାନର କଥା ଆସିବ, ଯେଉଁଠି ଇଜ୍ଜତର କଥା ଆସିବ, ଯେଉଁଠି ସମ୍ମାନର କଥା ଆସିବ, ସେଠି ଆଜ୍ଞା ଡାଏଲଗ୍‌ ବାଜି ଚଳିବ ନାହିଁ।ସେଠି ରିଅଲ୍‌ ହିରୋ ଦରକାର,ସେଠି ମାଟିର ପୁଅ ଦରକାର।ସେଠି ବୈଜୟନ୍ତ ପଣ୍ଡା ଦରକାର।”//ଦେବଦତ୍ତ