Odiapua.com

ଭଦ୍ରକ ରାଜନୀତି: ବଳି ପଡ଼ିଯିବେ କି ଆଉ ବଦ୍ରୀ?

ଭୁବନେଶ୍ୱର/ଭଦ୍ରକ: ବଳି ପଡ଼ିଯିବେ କି ବଦ୍ରୀ? ଭଦ୍ରକ ବିଜେପି ରାଜନୀତିକୁ ଅନୁଧ୍ୟାନ କଲେ ଏପରି କିଛି ଆଶଙ୍କା ସୃଷ୍ଟି ହେଉଛି। ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ନିର୍ବାଚନ ମଣ୍ଡଳୀରୁ ଲଗାତାର ୩ ଥର ହାରି ହାଟ୍ରିକ୍ କରି ସାରିଛନ୍ତି ବଦ୍ରୀ ନାରାୟଣ ଧଳ। ୨୦୦୯ ନିର୍ବାଚନରେ ବଦ୍ରୀ ଧଳ କଂଗ୍ରେସରୁ ପାର୍ଥି ହୋଇ ଦ୍ଵିତୀୟ ସ୍ଥାନରେ ରହିଥିଲେ। ବିଜେଡି ପାର୍ଥି ପ୍ରଫୁଲ କୁମାର ସାମଲ ଏଠାରୁ ବିଜୟ ହୋଇଥିବା ବେଳେ ବିଜେପି ପାର୍ଥି ମନମୋହନ ସାମଲ ତୃତୀୟ ସ୍ଥାନରେ ରହିଥିଲେ। ଏହାପରେ ୨୦୧୪ ନିର୍ବାଚନରେ ପ୍ରଫୁଲ ସାମଲ ପୁଣି ବିଜୟୀ ହେଲେ। କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇ ତଥା ବିଜେପି ପାର୍ଥି ହୋଇ ବଦ୍ରୀ ଧଳ ଏଥର ତୃତୀୟ ସ୍ଥାନରେ ରହିଲେ। କଂଗ୍ରେସ ପାର୍ଥି ସୁବ୍ରତ କୁମାର ଦାସ ଏଠି ଦ୍ଵିତୀୟ ସ୍ଥାନରେ ରହିଥିଲେ। ୨୦୧୯ ନିର୍ବାଚନରେ ଏଠାରୁ ବିଜେଡି ପାର୍ଥି ପ୍ରଫୁଲ ସାମଲ ପୁଣି ବିଜୟୀ ହେଲେ। କଂଗ୍ରେସ ପାର୍ଥି ନିରଞ୍ଜନ ପଟ୍ଟନାୟକ ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ବଦ୍ରୀ ଧଳ ପୁଣି ତୃତୀୟ ସ୍ଥାନରେ ରହିଲେ। ତିନି ଥର ଲଢ଼ିଲେ, ତିନି ଥର ହାରିଲେ। ଅର୍ଥାତ ବଦ୍ରୀ ଧଳ ବିଜୟୀ ହେବେ ବା କ’ଣ? ଲଢ଼େଇ କରି ସେ ଦ୍ଵିତୀୟ ସ୍ଥାନରେ ମଧ୍ୟ ରହି ପାରୁନାହାଁନ୍ତି। ଏମିତିରେ ଦୁଇ ଦୁଇ ଥର ପରାଜିତ ହୋଇଥିବା ପାର୍ଥିଙ୍କୁ ୨୦୨୪ରେ ବିଜେପି ଟିକେଟ୍ ଦେଇନପାରେ ବୋଲି ଆଲୋଚନା ହେଉଛି। ପୂର୍ବରୁ ଭଣ୍ଡାରପୋଖରୀ ଆସନରୁ ଟିକେଟ୍ ଆଶାୟୀ ରହି ଆସିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଙ୍ଗଠନ ସମ୍ପାଦକ ପଞ୍ଚାନନ ରାଉତ। ତେବେ, ପଞ୍ଚାନନ ରାଉତଙ୍କୁ ବଦ୍ରୀ ଧଳ ସହଜରେ ପୂରାଇ ଦେଉନଥିଲେ। କାରଣ ଏମିତିରେ ତ’ ଏହା ପୂର୍ବରୁ ବଦ୍ରୀ ଜିଲ୍ଲା ସଭାପତି ଥିଲେ। ଏହା ସହ ଜିଲ୍ଲାର ତୁଙ୍ଗ ନେତୃତ୍ୱଙ୍କ ସହ ବୁଝାବଣା କରି ସେ ଯେମିତି ଯାହା କରି ଅନ୍ତତଃପକ୍ଷେ ନିଜ ନିର୍ବାଚନ ମଣ୍ଡଳୀରେ ନିଜର ଏକ ଚାଟିଆ ପ୍ରଭାବ ରଖି ଆସିଥିଲେ।ଏବେ କିନ୍ତୁ ଜିଲ୍ଲାରେ ସ୍ଥିତି ବଦଳି ଯାଇଛି। ଗୁପ୍ତରେ ଗୁପ୍ତରେ କ୍ଷମତା କେନ୍ଦ୍ର ଏବଂ ପ୍ରଭାବ ଅନ୍ୟ ହାତକୁ ଯାଉଛି! ସେହିପରି ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାନନ ରାଉତଙ୍କ ମଧ୍ୟରେ ସଂପର୍କରେ ତିକ୍ତତା ଥିବା କାରଣରୁ ବଦ୍ରୀଙ୍କ ପାଇଁ ସ୍ଥିତି ସହଜ ଥିଲା। ଏବେ କିନ୍ତୁ ମନ୍ତ୍ରୀଙ୍କ ସହିତ ପଞ୍ଚାନନଙ୍କ ସମ୍ପର୍କରେ ସୁଧାର ଆସିଯାଇଛି। ପଞ୍ଚାନନ ଏବେ ଖୁବ୍ ସକ୍ରିୟ ହୋଇ ଉଠିଛନ୍ତି। ପୂର୍ବରୁ ଜିଲ୍ଲା କାର୍ଯ୍ୟକ୍ରମ ଗୁଡ଼ିକରେ ତାଙ୍କୁ ଏକ ପ୍ରକାର ବାସନ୍ଦ କରି ରଖା ଯାଉଥିବା ବେଳେ ଏବେ କିନ୍ତୁ ଧୀରେ ଧୀରେ ଏଣ୍ଟ୍ରି ମାରି ସାରିଲେଣି ଏବଂ ୨୦୨୪ ନିର୍ବାଚନରେ ବଦ୍ରିଙ୍କ ପାଇଁ ପଞ୍ଚାନନ କଣ୍ଟା ହୋଇ ଉଭା ହୋଇ ସାରିଲେଣି। ତେଣୁ, ୨୦୨୪ରେ ବଦ୍ରୀ ବଳି ପଡ଼ିଯାଇ ପାରନ୍ତି ବୋଲି ଭଣ୍ଡାରପୋଖରୀ ନିର୍ବାଚନ ମଣ୍ଡଳୀରେ ଆଲୋଚନା ଏବେ ଜୋର୍ ଧରିଛି!
-/DevDr

ପିସି ବିରୋଧରେ ଏକ ହେବା, ହକ୍ ନେବା ବୋଲି କହିବା; ପିସି ପ୍ରତିନିଧିଙ୍କୁ ଧରି ବୁଲିବା!