Odiapua.com

ଏୟାରବେସ ଉପରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଛି ଜୈଶ! ହାଇଆଲର୍ଟରେ ଏଆରଫୋର୍ସ

ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ଗୁଇନ୍ଦା ଏଜେନ୍ସି ତରଫରୁ ଜାମ୍ମୁ-କାଶ୍ମୀର ଏବଂ ତା’ର ଆଖ-ପାଖ ଅଞ୍ଚଳ ସ୍ଥିତ ସୈନ୍ୟ ପ୍ରତିଷ୍ଠାନ ଉପରେ ଆତ୍ମଘାତୀ ଆକ୍ରମଣର ଆଲର୍ଟ ଜାରୀ କରାଯାଇଛି। ଖବର ଅନୁସାରେ, ଜୈଶ-ଏ-ମୋହମ୍ମଦର ଆଠ ରୁ ୧୦ ଆତଙ୍କୀ ଜାମ୍ମୁ-କାଶ୍ମୀର ଏବଂ ତା’ର ଆଖ-ପାଖ ସ୍ଥିତ ଭାରତୀୟ ବାୟୁସେନାର ଠିକଣା ଉପରେ ଆତ୍ମଘାତୀ ଆକ୍ରମଣ କରିପାରନ୍ତି। ଗୁଇନ୍ଦା ସଂସ୍ଥା ଗୁଡ଼ିକ ଏନେଇ ଆଲର୍ଟ ଜାରୀ କରିଛନ୍ତି। ଏହା ପରେ ଅନେକ ସୈନ୍ୟ ପ୍ରତିଷ୍ଠାନର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ହାଇଆଲର୍ଟରେ ଉତ୍ତର ଭାରତର ପାଞ୍ଚଟି ଏୟାରବେସ

ଗୁଇନ୍ଦା ସଂସ୍ଥା ତରଫରୁ ହାଇ ଆଲର୍ଟ ପରେ ବାୟୁସେନା ଉତ୍ତର ଭାରତର ପାଞ୍ଚ ଏୟାରବେସ ଶ୍ରୀନଗର, ଅବନ୍ତିପୁରା, ଜାମ୍ମୁ, ପଠାନକୋଟ ଏବଂ ହିଣ୍ଡନ ଏୟାରବେସ୍ ରେ ହାଇଆଲର୍ଟ ଜାରୀ କରିଛି। ବାୟୁସେନାର ବଡ଼ ଅଧିକାରୀ ପ୍ରତ୍ୟେକ ସମୟରେ ସ୍ଥିତି ଉପରେ ନଜର ବନାଇ ରଖିଛନ୍ତି। ସମ୍ଭାବିତ ବିପଦର ସମ୍ମୁଖୀନ ହେବାପାଇଁ ସେନା, ବାୟୁସେନା ଏବଂ ସ୍ଥାନୀୟ ପୁଲିସର ସହାୟତା ନିଆଯାଇଛି।

 

ପିଏମ ମୋଦୀ ଏବଂ ଏନଏସଏ ଡୋଭାଲଙ୍କ ଉପରେ ଆକ୍ରମଣ କରିବା ପାଇଁ ବିଶେଷ ଦସ୍ତା ପ୍ରସ୍ତୁତ କରୁଛି ଜୈଶ-ଏ-ମୋହମ୍ମଦ

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜୀତ ଡୋଭାଲଙ୍କ ଉପରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନଙ୍କର ଏକ ବିଶେଷ ଟିମ୍ ପ୍ରସ୍ତୁତ କରୁଛି। ଗୁଇନ୍ଦା ସଂସ୍ଥାର ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଜୈଶ-ଏ-ମୋହମ୍ମଦ ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବାପରେ ପ୍ରତିଶୋଧ ନେବା ପାଇଁ ଭାରତ ଉପରେ ବଡ଼ ଆକ୍ରମଣ କରିବା ପାଇଁ ପ୍ରୟାସ ଜାରି ରଖିଛି। ସୂଚନା ଅନୁସାରେ ପାକିସ୍ଥାନ ଖୁଫିଆ ଏଜେନ୍ସୀ ଆଇଏସଆଇର ଜଣେ ଅଧିକାରୀ ମଧ୍ୟ ଏଥିରେ ଜୈଶକୁ ସହାୟତା କରୁଛନ୍ତି।

 

ଏହି ସମ୍ବନ୍ଧରେ ଜୈଶର ଆତଙ୍କୀ ଶମଶେର ବାନୀ ଏବଂ ତା’ର ମୁଖିଆ ମଧ୍ୟରେ ହୋଇଥିବା ଲିଖିତ କଥାବାର୍ତ୍ତାର ସୂଚନା ଏକ ବିଦେଶୀ ଗୁଇନ୍ଦା ସଂସ୍ଥାକୁ ମିଳିଥିଲା। ସେଠାରୁ ଏହି ସୂଚନା ଭାରତୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀଙ୍କୁ ମିଳିଛି। ଏହି ସୂଚନା ଅନୁସାର ଆତଙ୍କୀ ସେପ୍ଟେମ୍ବରରେ ବଡ଼ ଆତଙ୍କୀ ଆକ୍ରମଣର ଯୋଜନା ବନାଉଥିଲେ। ସୂଚନା ମିଳିବା କ୍ଷଣି ଜାମ୍ମୁ, ପଠାନକୋଟ, ଜୟପୁର, ଗାନ୍ଧୀନଗର ଏବଂ ଲକ୍ଷ୍ନୌ ସମେତ ସର୍ବମୋଟ ୩୦ଟି ଅତିସମ୍ବେଦନଶୀଳ ସହରଗୁଡ଼ିକ ପୁଲିସକୁ ଆଲର୍ଟ ଜାରୀ କରି ଦିଆଯାଇଛି।

 

ଅପରପକ୍ଷରେ, ଏନଏସଏ ଡୋଭାଲ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରୁଛନ୍ତି। କୁହାଯାଇପାରେଯେ, ଭାରତୀୟ ସେନା ଉରୀ କ୍ୟାମ୍ପ ଉପରେ ଆତଙ୍କୀ ଆକ୍ରମଣ ପରେ ପାକ ସୀମାରେ ପଶି ସର୍ଜିକାଲ ସ୍ଟ୍ରାଇକ ଏବଂ ବାଲାକୋଟରେ ଜୈଶର ପ୍ରଶିକ୍ଷଣ ଶିବିର ଉପରେ ଏୟାର ସ୍ଟ୍ରାଇକର ରଣନୀତି ବନାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବାଲାକୋଟରେ ଜୈଶ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଦ୍ଵାରା ଆକ୍ରମଣ କରାଯାଇ ତାକୁ ଧ୍ୱସ୍ତବିଧ୍ୱସ୍ତ କରି ଦିଆଯିବା ପରେ ଜୈଶ-ଏ-ମୋହମ୍ମଦର ମୁଣ୍ଡ ଖରାପ ହୋଇଯାଇଛି ଏବଂ ବାଉଳା ହେଉଛି।