Odiapua.com

ଓଟ କ୍ଷୀର ପରେ ଅମୁଲ୍ ଲଞ୍ଚ କଲା ହଳଦୀ କ୍ଷୀର

ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କ ଭିତରେ ଗୁଜୁରାଟ ସମବାୟ କ୍ଷୀର ମାର୍କେଟିଂ ଫେଡେରେସନ୍ ଲିମିଟେଡ୍ (ଜିସିଏମ୍ଏମ୍ଏଫ୍) ଅଧୀନରେ କାର୍ଯ୍ୟ କରୁଥିବା ଅମୁଲ୍ କମ୍ପାନୀ ହଳଦୀ କ୍ଷୀର ଲଞ୍ଚ କରିଛି। ୨୦୦ ମି.ଲି ହଳଦୀ କ୍ଷୀର ବୋତଲର ମୂଲ୍ୟ ୩୦ ଟଙ୍କା ରହିଛି। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ହଳଦୀ ମିଶା କ୍ଷୀର ବେଶ୍ ଉପଯୋଗୀ ହୋଇଥାଏ। ଏହାସହ ଆଗାମୀ ଦିନରେ ଅଦା, ତୁଳସୀ ସହିତ ଅନେକ ପ୍ରକାରର କ୍ଷୀର ମଧ୍ୟ ଅମୁଲ୍ ଲଞ୍ଚ କରିପାରେ ବୋଲି ଜଣାପଡ଼ିଛି।

ଗତବର୍ଷ ଅମୁଲ୍ ଓଟ କ୍ଷୀର ଲଞ୍ଚ କରିଥିଲା। ଓଟ କ୍ଷୀର ହଜମ ଶକ୍ତି ବଢ଼ାଇବାରେ ସହାୟକ ହେବା ସହ ଏହାର ଅନ୍ୟାନ୍ୟ ଅନେକ ଲାଭ ଦାୟକ ଗୁଣ ମଧ୍ୟ ରହିଛି। ଏଥିରେ ଅଧିକ ପରିମାଣର ଇନସୁଲିନ୍ ପ୍ରୋଟିନ୍ ଥିବାରୁ ଏହା ଡାଇବେଟିସ୍
(ମଧୁମେହ)ରେ ପୀଡ଼ିତ ଲୋକଙ୍କ ପାଇଁ ବେଶ୍ ଲାଭଦାୟକ ଅଟେ। ବିଭିନ୍ନ ସଂସ୍କୃତିରେ ହଜାର ହଜାର ବର୍ଷ ଧରି ଓଟ କ୍ଷୀର ବ୍ୟବହାର କରାଯାଇ ଆସୁଛି।

କରୋନା ଭୂତାଣୁ ସଂକ୍ରମଣ ଭିତରେ କମ୍ପାନୀର ଚଳିତ ଆର୍ଥିକ ବର୍ଷରେ କାରୋବାର ୨୭% ବୃଦ୍ଧି ପାଇ ୩୮,୫୫୦ କୋଟିରେ ପହଞ୍ଚିଛି। କମ୍ପାନୀ ୨୦୧୮ – ୧୯ ଆର୍ଥିକ ବର୍ଷରେ ୩୨,୯୬୦ କୋଟି ଟଙ୍କାର କାରୋବାର କରିଥିଲା। ଅମୁଲ୍ ଫେଡେରେସନର ୧୮ ସଦସ୍ୟ ବିଶିଷ୍ଟ ୟୁନିଅନରେ ଗୁଜୁରାଟର ୧୮,୭୦୦ ଗ୍ରାମରେ ୩୬ ଲକ୍ଷରୁ ଅଧିକ କୃଷକ ସଦସ୍ୟ ଅଛନ୍ତି। କମ୍ପାନୀ ଗତ ୧୦ ବର୍ଷ ମଧ୍ୟରେ ୧୭ ପ୍ରତିଶତରୁ ଅଧିକ କମ୍ପାଉଣ୍ଡ ବାର୍ଷିକ ଅଭିବୃଦ୍ଧି ହାର (CAGR) ହାସଲ କରିବାରେ ସଫଳ ହୋଇଛି। ବଜାରରେ ସବୁଠାରୁ ଅଧିକ ଅମୁଲ୍ ଦୁଗ୍ଧ ବିକ୍ରି ହେଉଛି। ଏହା ସହିତ ନୂତନ ବଜାର ଏବଂ ନୂତନ ଉତ୍ପାଦ ମଧ୍ୟ ଏହାର ଅଭିବୃଦ୍ଧିର ଏକ ଅଂଶ। -ଦେବଦତ୍ତ ରଥ

ଆଶାର କିରଣ: ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବ ଭାରତରେ ପ୍ରସ୍ତୁତ କୋଭିଡ୍- ୧୯ ଟିକା; ମୂଲ୍ୟ ରହିବ ମାତ୍ର ..