ଭୁବନେଶ୍ୱର: ଓଡ଼ିଶାର ପ୍ରଶାସନିକ ଅଧିକାରୀମାନେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଯେଉଁଭଳି ଭାବରେ ଭେଟି ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ, ଏହା ଓଡ଼ିଶାର ଗଣତନ୍ତ୍ରକୁ ଉପହାସ କଲା ଭଳି ମନେ ହେଉଛି। ଆମେ ଏହାକୁ କଡ଼ା ଶବ୍ଦରେ ନିନ୍ଦା କରୁଛୁ ବୋଲି ବିଜେପି ଓଡ଼ିଶା ପକ୍ଷରୁ କୁହାଯାଇଛି। ମୁଖ୍ୟ ଶାସନ ସଚିବ ଓ ଡ଼ିଜିପିଙ୍କ ସମେତ ଓଡ଼ିଶା ପ୍ରଶାସନିକ ସେବା ସଂଘ, ରେଭେନ୍ୟୁ ସର୍ଭିସ, ମେଡ଼ିକାଲ ସର୍ଭିସ ସଂଘ ତଥା ଅନ୍ୟ ସରକାରୀ ଅଧକାରୀ ବିଜେଡ଼ି ସଭାପତିଙ୍କୁ ଭେଟି ନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ, ଯାହା ଓଡ଼ିଶା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ଜରୁରୀକାଳୀନ ପରିସ୍ଥିତି ସମୟରେ ଅଫିସରମାନେ ସର୍ବେସର୍ବା ହୋଇ କାର୍ଯ୍ୟ କରୁଥିଲେ। ଆଜି ଓଡ଼ିଶାରେ ଠିକ୍ ସେହି ଭଳି ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ପ୍ରଶାସନିକ ଅଫିସରମାନେ ଯଦି ରାଜନୈତିକ ଦଳର ହାତବାରିଶି ହେବେ ତା’ ହେଲେ ରାଜ୍ୟରେ ଅବସ୍ଥା କଣ ହେବ? ଆଜି ଏହା ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପୋଲିସ ଡିଜି ହେଉଛନ୍ତି ରାଜ୍ୟ ପୋଲିସର ମୁଖିଆ। ପୋଲିସ ପ୍ରଶାସନକୁ ନିରପେକ୍ଷ ଭାବେ ସଂଚାଳନ କରିବା ଏବଂ ଗରିବ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ତାଙ୍କର ନୈତିକ ଦାୟିତ୍ୱ। ମାତ୍ର ଏତେ ବଡ଼ ଗୁରୁ ଦାୟିତ୍ୱରେ ରହି ନିଜ ଦାୟିତ୍ୱକୁ ଭୁଲି ବିଜେଡି ସଭାପତିଙ୍କୁ ଖୁସି କରିବା ପାଇଁ ଶୁଭେଚ୍ଛା ଜଣାଇବା ଉଚିତ୍ କି? ପୋଲିସ୍ ଡିଜି ନିଜ କାର୍ଯ୍ୟକୁ ସୁଚାରୁରୂପେ ପାଳନ ନ କରିବା ଭଳି ଅନେକ ଉଦାହରଣ ରହିଛି। ହିଞ୍ଜିଳିରେ ୪ଜଣଙ୍କ ହତ୍ୟା ହେଉ, ଖୋର୍ଦ୍ଧାରେ ବିଧାୟକ ଜନତାଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ ହେଉ ଅବା ଭୋଟ୍ ପାଇଁ ବିଜେଡି ଟଙ୍କା ବାଣ୍ଟିବା ହେଉ, ପୋଲିସ ଡିଜି ନିରବଦ୍ରଷ୍ଟା ସାଜିବା ଓଡ଼ିଶାବାସୀଙ୍କୁ କଷ୍ଟ ଦେଇଛି ବୋଲି ପୃଥ୍ୱୀରାଜ କହିଛନ୍ତି।
-/Dr