Odiapua.com

ବ୍ୟକ୍ତି, ମାର୍ଗ ଓ ଜୀବନ ଲକ୍ଷ୍ୟ ..

ବ୍ୟକ୍ତି ସଦା ସର୍ବଦା ଲକ୍ଷ୍ୟ କେନ୍ଦ୍ରିତ ଜୀବନ ଜୀଇଁବାର କଳା ଶିଖିବା ଉଚିତ୍l ମନୁଷ୍ୟ ଲକ୍ଷ୍ୟ ଆଡକୁ ଧାବମାନ ହେଲା ବେଳେ ବାଧା- ବିଘ୍ନ, ସୁଖ – ଦୁଃଖ, ନିନ୍ଦା- ପ୍ରଶଂସା ସମ୍ମୁଖୀନ ହୁଏ। ବ୍ୟକ୍ତି ନିନ୍ଦାରେ କେବେ କେବେ ପ୍ରତିକ୍ରିୟାଶୀଲ କିମ୍ବା ଭୟଭୀତ ହୋଇ ରାସ୍ତା ଭୁଲି ଯାଏl ପ୍ରତିଶୋଧ ପରାୟଣ ହୋଇ ନିନ୍ଦାର ସ୍ରୋତକୁ ବନ୍ଦ୍ କରିବା କାର୍ଯ୍ୟରେ ଲାଗିପଡ଼େl ପୁଣି ମୁଖ୍ୟ ରାସ୍ତାରୁ ନିନ୍ଦା ଏକ ଶାଖା ରାସ୍ତା ନିର୍ମାଣ କରି ମନୁଷ୍ୟକୁ ନିଜ ବଳୟ ଭିତରକୁ ଟାଣିନିଏ l ନିଜର ଦମ୍ଭ ଅହଂକାରକୁ ଚରିତାର୍ଥ କରିବା ପାଇଁ ବ୍ୟକ୍ତି ମୁଖ୍ୟ ରାସ୍ତାକୁ ନିଜ ଅଗୋଚରରେ ଅଣଦେଖା କରେ l ଦମ୍ଭ ଓ ଅହଂକାର ବ୍ୟକ୍ତି ଭିତରେ ମାୟାର ଆସ୍ତରଣ ନିର୍ମାଣ କରେl ବିବେକ ଶକ୍ତି ମାୟାଚ୍ଛନ୍ନ ହୋଇଯାଏl ମାୟାର ପ୍ରଭାବ କାରଣରୁ ବ୍ୟକ୍ତି ମୁଖ୍ୟରାସ୍ତା ଓ ଶାଖା ଭିତରେ ପ୍ରଭେଦ ଜାଣିପାରେ ନାହଁ। ମାୟା ପ୍ରଭାବିତ ବ୍ୟକ୍ତି ରାସ୍ତା ଥରେ ପରିବର୍ତ୍ତନ କରିବା ପରେ ପୁନଃ ମୁଖ୍ୟ ରାସ୍ତାକୁ ଫେରିବା ସମ୍ଭବପର ହୁଏ ନାହଁ। ଆଉ କିଛି ବ୍ୟକ୍ତି ପ୍ରଶଂସାର ମୋହରେ ସମ୍ମୋହିତ ହୋଇଯାଆନ୍ତିl ରାସ୍ତାରେ ଚାଲୁ ଚାଲୁ ପ୍ରଶଂସା ଗୋଟେଇବା ଆରମ୍ଭ କରନ୍ତି। ପ୍ରଶଂସା ସେମାନଙ୍କ ମନକୁ ଉତଫୁଲ୍ଲିତ କରିବା ଆରମ୍ଭ କରେ। ମୋହରେ ପଡ଼ି ମୁଖ୍ୟ ବନ୍ଧୁର ରାସ୍ତା ଛାଡ଼ି ପ୍ରଶଂସାର ମସୃଣ ଓ ଚିକ୍କଣ ରାସ୍ତାରେ ଚାଲିବା ଆରମ୍ଭ କରନ୍ତିl ବ୍ୟକ୍ତି ଭିତରେ ପ୍ରତିଷ୍ଠାକାଂକ୍ଷା ଯେତେ ବଡ଼ିବାରେ ଲାଗେ ବ୍ୟକ୍ତି ସେତିକି ମୁଖ୍ୟ ରାସ୍ତାରୁ ଦୂରେଇ ଦୂରେଇ ଯାଏ। ପ୍ରତିଷ୍ଠାର ମଧୁର ଅନୁଭବ ବ୍ୟକ୍ତିକୁ ଏତେ ଭାବବିହ୍ୱଳ କରିଦିଏ ଯେ ବ୍ୟକ୍ତି ପ୍ରଶଂସାର ଶାଖା ମାର୍ଗକୁ ମୁଖ୍ୟ ମାର୍ଗ ଭାବରେ ବିବେଚନା କରିବା ଆରମ୍ଭ କରିଦିଏl ବିବେକକୁ ଅଣଦେଖା କରି ବୁଦ୍ଧିରେ ପରିଚାଳିତ ହେବା ଆରମ୍ଭ କରେ। ବିବେକବାନ ହେବା ବଦଳରେ ବୁଦ୍ଧିମାନ ହୋଇ ସାଂସାରିକ ପ୍ରତିଷ୍ଠା ପଛରେ ଦୌଡ଼ିବା ଆରମ୍ଭ କରେ। ପ୍ରତିଷ୍ଠାର ମାୟା ଜାଲରୁ ମୁକୁଳିବା ଅସମ୍ଭବ ହୋଇଯାଏ l ପ୍ରତିଷ୍ଠାକାଂକ୍ଷା ଜୀବନ ଲକ୍ଷ୍ୟ ଠାରୁ ବ୍ୟକ୍ତିକୁ ବହୁତ ଦୁରକୁ ନେଇଯାଏ।ଜୀବନର ମହାନ କାଳଖଣ୍ଡ ନିନ୍ଦା- ପ୍ରଶଂସାର ଚକ୍ରବ୍ୟୁହ ଭିତରେ ସମାପ୍ତ ହୋଇଯାଏ। ଯେପରି କୃଷ୍ଣ ଗର୍ତ୍ତ (ବ୍ଲାକ୍ ହୋଲ୍) ଭିତରେ ଉଜ୍ୱଳ ଓ ଶକ୍ତିଶାଳୀ ନକ୍ଷତ୍ରମାନେ ପ୍ରବେଶ କରିବା ପରେ ସମାପ୍ତ ହୋଇଯାଆନ୍ତି। ନିନ୍ଦା- ପ୍ରଶଂସା ମନୁଷ୍ୟ ଜୀବନର କୃଷ୍ଣଗର୍ତ୍ତl ମନୁଷ୍ୟ ଥରେ ଏହାର ଆକର୍ଷଣ ବଳୟ ଭିତରକୁ ଆସିଗଲେ ତାର ସ୍ବ-ପ୍ରଭାବ ସମାପ୍ତ ହୋଇଯାଏl କୃଷ୍ଣଗର୍ତ୍ତ ଭିତରେ ଅନ୍ତର୍ଧ୍ୟାନ ହେବାର ସମ୍ଭାବନା ନିଶ୍ଚିତ ହୋଇଯାଏ। ଏହି କାରଣରୁ ସାଧନା ଲବ୍ଧ ନିଜର ସୁନ୍ଦର ପରିଚୟ ନିଜ ହାତରେ ସମାପ୍ତ କରିଦିଅନ୍ତିl ମୋହ ଓ ମାୟାର ପ୍ରଭାବରୁ ଧୀରେ ଧୀରେ ବ୍ୟକ୍ତି ବ୍ୟବହାରରେ ପରିବର୍ତ୍ତନ ଆସିଯାଏ। ବ୍ୟବହାରର ପରିବର୍ତନକୁ ଦୃଷ୍ଟିରେ ରଖି ଶୁଭାକାଂକ୍ଷୀଙ୍କ ସୁଧାର କରିବାର ପ୍ରୟାସ ଏମାନଙ୍କୁ ଅସହ୍ୟ ଅନୁଭବ ହୁଏ। ଶୁଭାକାଂକ୍ଷୀ ମାନଙ୍କୁ ସ୍ଥଳବିଶେଷରେ ଶତ୍ରୁ ଭାବରେ ବିବେଚନା କରନ୍ତିl ଅନୁଗତ ମାନଙ୍କ ସହାଚାର୍ଯ୍ୟ ନିତ୍ୟ ପ୍ରୟୋଜନ ହୋଇପଡ଼େ। ରାଜନେତା ମାନଙ୍କ ନିକଟରେ ଏହି ଦୃଷ୍ଟାନ୍ତ ସର୍ବାଧିକ ଦେଖିବାକୁ ମିଳିଥାଏ। ଜୀବନ ଲକ୍ଷ୍ୟ ନିକଟରେ ପହଞ୍ଚିବାକୁ ହେଲେ ନିନ୍ଦା- ପ୍ରଶଂସାର ଗର୍ତ୍ତକୁ ସାବଧାନ୍ ହେବାକୁ ପଡ଼ିବ। ଯଦିବା କେବେ ଭୁଲବଶତଃ ମନୁଷ୍ୟ ଗର୍ତ୍ତର ନିକଟବର୍ତ୍ତୀ ହୋଇଯାଏ ତା’ହେଲେ ସେଠାରୁ ମୁକୁଳିବାର ଶିକ୍ଷା ଆରମ୍ଭରୁ ଗ୍ରହଣ କରିନେଇଥିବା ଉଚିତ୍। ପ୍ରତିକ୍ରିୟାଶୀଳ ବୁଦ୍ଧି ସହଜରେ ପଥଭ୍ରଷ୍ଟ ହେବାର ସମ୍ଭାବନା ନିର୍ମାଣ କରିଥାଏl ସଂସାରର ସମସ୍ତ କାର୍ଯ୍ୟ ଓ ବ୍ୟବହାରକୁ ଅନ୍ତଃଦୃଷ୍ଟି ଓ ବିବେକ ଦ୍ୱାରା ସମ୍ପାଦିତ କଲେ ପତ୍ତନ ସମ୍ଭାବନା କମିଯାଏ। ସମ୍ଭତଃ ଶୂନ୍ୟ ହୋଇଯାଏ। ଜୀବନ ଲକ୍ଷ୍ୟକୁ ସଦାସ୍ମରଣ ଓ ସର୍ବଦା ପରିସ୍କୃତ କରିବାର ଅଭ୍ୟାସ ପ୍ରତିଷେଧକ ଭାବରେ କାର୍ଯ୍ୟ କରିଥାଏ। ସେଇଥି ପାଇଁ ନିଦିଧ୍ୟାସନ ସର୍ବତ୍କୃଷ୍ଟ ମାର୍ଗ ଭାବରେ ଅନାଦି କାଳରୁ ବିବେଚିତ ହୋଇ ଆସିଛି।
– ରବିନାରାୟଣ ପଣ୍ଡା, ପ୍ରଚାର ପ୍ରସାର ପ୍ରମୂଖ
ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ପୂର୍ବ ପ୍ରାନ୍ତ