ବ୍ୟକ୍ତି ସଦା ସର୍ବଦା ଲକ୍ଷ୍ୟ କେନ୍ଦ୍ରିତ ଜୀବନ ଜୀଇଁବାର କଳା ଶିଖିବା ଉଚିତ୍l ମନୁଷ୍ୟ ଲକ୍ଷ୍ୟ ଆଡକୁ ଧାବମାନ ହେଲା ବେଳେ ବାଧା- ବିଘ୍ନ, ସୁଖ – ଦୁଃଖ, ନିନ୍ଦା- ପ୍ରଶଂସା ସମ୍ମୁଖୀନ ହୁଏ। ବ୍ୟକ୍ତି ନିନ୍ଦାରେ କେବେ କେବେ ପ୍ରତିକ୍ରିୟାଶୀଲ କିମ୍ବା ଭୟଭୀତ ହୋଇ ରାସ୍ତା ଭୁଲି ଯାଏl ପ୍ରତିଶୋଧ ପରାୟଣ ହୋଇ ନିନ୍ଦାର ସ୍ରୋତକୁ ବନ୍ଦ୍ କରିବା କାର୍ଯ୍ୟରେ ଲାଗିପଡ଼େl ପୁଣି ମୁଖ୍ୟ ରାସ୍ତାରୁ ନିନ୍ଦା ଏକ ଶାଖା ରାସ୍ତା ନିର୍ମାଣ କରି ମନୁଷ୍ୟକୁ ନିଜ ବଳୟ ଭିତରକୁ ଟାଣିନିଏ l ନିଜର ଦମ୍ଭ ଅହଂକାରକୁ ଚରିତାର୍ଥ କରିବା ପାଇଁ ବ୍ୟକ୍ତି ମୁଖ୍ୟ ରାସ୍ତାକୁ ନିଜ ଅଗୋଚରରେ ଅଣଦେଖା କରେ l ଦମ୍ଭ ଓ ଅହଂକାର ବ୍ୟକ୍ତି ଭିତରେ ମାୟାର ଆସ୍ତରଣ ନିର୍ମାଣ କରେl ବିବେକ ଶକ୍ତି ମାୟାଚ୍ଛନ୍ନ ହୋଇଯାଏl ମାୟାର ପ୍ରଭାବ କାରଣରୁ ବ୍ୟକ୍ତି ମୁଖ୍ୟରାସ୍ତା ଓ ଶାଖା ଭିତରେ ପ୍ରଭେଦ ଜାଣିପାରେ ନାହଁ। ମାୟା ପ୍ରଭାବିତ ବ୍ୟକ୍ତି ରାସ୍ତା ଥରେ ପରିବର୍ତ୍ତନ କରିବା ପରେ ପୁନଃ ମୁଖ୍ୟ ରାସ୍ତାକୁ ଫେରିବା ସମ୍ଭବପର ହୁଏ ନାହଁ। ଆଉ କିଛି ବ୍ୟକ୍ତି ପ୍ରଶଂସାର ମୋହରେ ସମ୍ମୋହିତ ହୋଇଯାଆନ୍ତିl ରାସ୍ତାରେ ଚାଲୁ ଚାଲୁ ପ୍ରଶଂସା ଗୋଟେଇବା ଆରମ୍ଭ କରନ୍ତି। ପ୍ରଶଂସା ସେମାନଙ୍କ ମନକୁ ଉତଫୁଲ୍ଲିତ କରିବା ଆରମ୍ଭ କରେ। ମୋହରେ ପଡ଼ି ମୁଖ୍ୟ ବନ୍ଧୁର ରାସ୍ତା ଛାଡ଼ି ପ୍ରଶଂସାର ମସୃଣ ଓ ଚିକ୍କଣ ରାସ୍ତାରେ ଚାଲିବା ଆରମ୍ଭ କରନ୍ତିl ବ୍ୟକ୍ତି ଭିତରେ ପ୍ରତିଷ୍ଠାକାଂକ୍ଷା ଯେତେ ବଡ଼ିବାରେ ଲାଗେ ବ୍ୟକ୍ତି ସେତିକି ମୁଖ୍ୟ ରାସ୍ତାରୁ ଦୂରେଇ ଦୂରେଇ ଯାଏ। ପ୍ରତିଷ୍ଠାର ମଧୁର ଅନୁଭବ ବ୍ୟକ୍ତିକୁ ଏତେ ଭାବବିହ୍ୱଳ କରିଦିଏ ଯେ ବ୍ୟକ୍ତି ପ୍ରଶଂସାର ଶାଖା ମାର୍ଗକୁ ମୁଖ୍ୟ ମାର୍ଗ ଭାବରେ ବିବେଚନା କରିବା ଆରମ୍ଭ କରିଦିଏl ବିବେକକୁ ଅଣଦେଖା କରି ବୁଦ୍ଧିରେ ପରିଚାଳିତ ହେବା ଆରମ୍ଭ କରେ। ବିବେକବାନ ହେବା ବଦଳରେ ବୁଦ୍ଧିମାନ ହୋଇ ସାଂସାରିକ ପ୍ରତିଷ୍ଠା ପଛରେ ଦୌଡ଼ିବା ଆରମ୍ଭ କରେ। ପ୍ରତିଷ୍ଠାର ମାୟା ଜାଲରୁ ମୁକୁଳିବା ଅସମ୍ଭବ ହୋଇଯାଏ l ପ୍ରତିଷ୍ଠାକାଂକ୍ଷା ଜୀବନ ଲକ୍ଷ୍ୟ ଠାରୁ ବ୍ୟକ୍ତିକୁ ବହୁତ ଦୁରକୁ ନେଇଯାଏ।
– ରବିନାରାୟଣ ପଣ୍ଡା, ପ୍ରଚାର ପ୍ରସାର ପ୍ରମୂଖ
ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ପୂର୍ବ ପ୍ରାନ୍ତ