Odiapua.com

ଏଣେ ଶାହାଙ୍କ ଗସ୍ତ ବାତିଲ୍, ତେଣେ ବଦଳିଗଲେ ସଭାପତି: ସବୁ ଅଙ୍କ ଭୁଲ୍ ହେଇଗଲା ..

ଭୁବନେଶ୍ୱର: ଆସନ୍ତା ୨୬ ତାରିଖ, ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ତେବେ, ହଠାତ୍ ତାହା ବାତିଲ୍ ହୋଇଗଲା। ସେହିପରି ଗତ ୨୩ ତାରିଖ ସକାଳୁ ହଠାତ୍ ରାଜ୍ୟ ସଭାପତିଙ୍କୁ ବଦଳାଇ ଦିଆଗଲା। ସମୀର ମହାନ୍ତିଙ୍କୁ ଅପସାରିତ କରାଯାଇ ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି କରିଦିଆଗଲା। ଅବଶ୍ୟ ସମୀରଙ୍କ କାର୍ଯ୍ୟକାଳ ସରି ଯାଇଥିଲା, ତଥାପି ଏବେ ହଠାତ୍ ଏପରି ଘୋଷଣା ଅପ୍ରୟାସିତ ଥିଲା। କେନ୍ଦ୍ରୀୟ କାର୍ଯ୍ୟାଳୟରୁ ହଠାତ୍ ଯେତେବେଳେ ରାଜ୍ୟ କାର୍ଯ୍ୟାଳୟକୁ ଏହି ସୂଚନା ଆସିଲା, ତାହା ବୋଧହୁଏ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ବ୍ୟତୀତ ସମସ୍ତଙ୍କ ପାଇଁ ଅପ୍ରୟାସିତ ଥିଲା। ଖୋଦ୍ ସମୀର ମହାନ୍ତି ମଧ୍ୟ କୁଆଡ଼େ ପୂରା ଅପ୍ରସ୍ତୁତ ହୋଇ ପଡ଼ିଥିଲେ। ବର୍ତ୍ତମାନ ସମୟରେ ରାଜ୍ୟ ସଭାପତି ପାଇଁ ମନମୋହନ ସାମଲ ହିଁ ସର୍ବୋକୃଷ୍ଟ ବୋଲି ରାଜ୍ୟ ସାରା ବିଜେପିରେ ପ୍ରାୟ ଏକମତ ଥିଲେ ଏବଂ ଖୁସି ପ୍ରକଟ କରୁଥିଲେ ସୁଧା ସମସ୍ତେ ପ୍ରାୟ ଉଣା ଅଧିକ ଅନୁଭବ କରୁଛନ୍ତି, କିଛି ଗୋଟେ ବଡ଼ ଖେଳ ହୋଇଗଲା! ତେବେ, ସେ ଯାହା ହେଉ ଏବେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଥିବା ବେଳେ ସାଙ୍ଗକୁ ଆସିଗଲେ ରାଜ୍ୟ ସଭାପତି ମନମୋହନ ସାମଲ। ଉଭୟ ଅଭିଜ୍ଞ, ଦକ୍ଷ ଏବଂ ଆଗ୍ରେସିଭ୍ ନେତା ଭାବରେ ପରିଚିତ। ଜୟ ନାରାୟଣ ବିରୋଧୀ ଦଳ ନେତା ହେବା ପର ଠାରୁ ନବୀନ ସରକାର ନାକରେ ଦମ୍ ପୁରାଇ ରଖିଛନ୍ତି। ଆଉ ଏବେ ମନମୋହନ ଆସିଗଲେ ଉଭୟ ମିଶି ନବୀନ ସରକାରକୁ ପାଣି ପିଆଇ ଦେବେ ବୋଲି ସଙ୍ଗଠନ ଭିତରେ ତୃଣମୂଳ ସ୍ତରରେ ଏକ ଆଶା ଜନ୍ମିଛି।ତେବେ କୁହାଯାଉଛି, ମନମୋହନ ସାମଲ ରାଜ୍ୟ ସଭାପତି ହେବା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଏକ ବଡ଼ ଝଟକା। ମନ୍ତ୍ରୀ କୁଆଡ଼େ ଚାହୁଁଥିଲେ ସମୀର ମହାନ୍ତିଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଯାଏଁ ସେମିତି ଚାଲୁ। ନଚେତ୍ ଯଦି ବଦଳୁଛି ତେବେ ପୃଥ୍ୱୀରାଜ ହରିଚନ୍ଦନ ନହେଲେ କୁଆଡ଼େ ସୁରମା ପାଢ଼ୀ ରାଜ୍ୟ ସଭାପତି ହୁଅନ୍ତୁ। ଆଜି ଯାଏଁ ମନ୍ତ୍ରୀ ଯାହା ଚାହୁଁଥିଲେ, ତାହା ହେଉଥିଲା କିନ୍ତୁ ଏଥର ସେମିତି ହେଲା ନାହିଁ। ଏକଦା ଧର୍ମେନ୍ଦ୍ରଙ୍କ ବାଟରେ ସବୁଠାରୁ ବଡ଼ କଣ୍ଟା ସାଜିଥିବା ମନମୋହନ ସାମଲ ହେଲେ ରାଜ୍ୟ ସଭାପତି। ସେ ତ’ ଆଦୌ ରବର୍ ଷ୍ଟାମ୍ପ୍ ସଭାପତି ହୋଇ ପାରିବେନି? ମେଣ୍ଟ ସରକାର ସମୟରେ ଦିନେ ନବୀନ ପଟ୍ଟନାୟକଙ୍କ ପରେ ସେକେଣ୍ଡ ପାୱାରଫୁଲ୍ ମିନିଷ୍ଟର ବୋଲାଉଥିବା ମନମୋହନ ସାମଲ ଆଜି ବିଜେପି ରାଜ୍ୟ ସଭାପତି। ସୁନୀଲ ବଂଶଲ ମନ୍ତ୍ରୀଙ୍କ ସବୁ ଖେଳ ବିଗାଡ଼ି ଦେଲେ! ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ କ୍ଷେତ୍ରିୟ ପ୍ରଭାରୀ ଭାବରେ ଓଡ଼ିଶା ଦାୟିତ୍ୱ ନେବା ପରଠାରୁ ଓଡ଼ିଶା ବିଜେପିକୁ ଧୀରେ ଧୀରେ ସଜାଡୁଛନ୍ତି। ଏମିତିରେ ରାଷ୍ଟ୍ରୀୟ ମହାମନ୍ତ୍ରୀ ବି. ଏଲ ସନ୍ତୋଷଙ୍କ ଓଡ଼ିଶା ଗସ୍ତ ସମୟରେ ଦଳରେ ରହିଥିବା ଭୟଙ୍କର ଗୋଷ୍ଠୀ ବିବାଦ ଏବଂ ବିଶୃଙ୍ଖଳା ବାବଦରେ ଖୁବ୍ ଭର୍ତ୍ସନା କରି ଯାଇଥିଲେ। ଏବେ ବୋଧେ ଧୀରେଧୀରେ ରାଜ୍ୟ ବିଜେପିକୁ ସଜଡ଼ା ଯାଉଛି। ଆଉ, ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କର ଏଥିରେ ବଡ଼ ଭୂମିକା ରହିଛି। ତେବେ, ଏହା ଭିତରେ ବଡ଼ ପ୍ରଶ୍ନ ରହି ଯାଉଛି ଶାହାଙ୍କ ଗସ୍ତ କାହିଁକି ବାତିଲ୍ ହେଲା? କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ହେଉ ଅବା ରାଜ୍ୟ ସଭାପତି ବଦଳିବା କଥା ହେଉ, ଏ ଯୋଜନା ବା ନିଷ୍ପତ୍ତି କେବେ ଦିନକର ନୁହେଁ। ତେବେ, ଏମିତି କାହିଁକି ହେଲା?ସୂଚନା ମୁତାବକ ଅମିତ ଶାହାଙ୍କ ଭଦ୍ରକ ଜିଲ୍ଲା ଧାମନଗର ଗସ୍ତ ସମୟରେ ଏକ ବଡ଼ ମିଶ୍ରଣ ପର୍ବ ହୋଇଥାଆନ୍ତା। ସେ ମିଶ୍ରଣ ପର୍ବରେ ଏପରି ଏକ ମିଶ୍ରଣ ଘଟି ଥାଆନ୍ତା, ଯାହା ବିଜେଡିକୁ ତ’ ଏକ ବଡ଼ ଝଟକା ଦେଇଥାଆନ୍ତା, ତେବେ ତା’ ସାଙ୍ଗରେ କିଛି ବିଜେପି ନେତୃତ୍ୱଙ୍କୁ ମଧ୍ୟ ଝଟକା ଲାଗି ଥାଆନ୍ତା! ଭଦ୍ରକ ବିଜେପି ରାଜନୀତି ସଂପୂର୍ଣ୍ଣ ବଦଳି ଯାଇଥାଆନ୍ତା। ଭଦ୍ରକ ବିଜେପିର କ୍ଷମତା କେନ୍ଦ୍ର ଏକ ଭିର୍ଣ୍ଣ ହାତକୁ ଚାଲି ଯାଇଥାଆନ୍ତା! ଖବର ଅନୁଯାୟୀ ଭଦ୍ରକ ବିଜେଡି ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳ ସେହି ମିଶ୍ରଣ ପର୍ବରେ ବିଜେପିରେ ଯୋଗଦେଇ ଥାଆନ୍ତେ! ଆଉ ଦଳ ନ’କାଢ଼ିଲା ଯାଏଁ ମଞ୍ଜୁଲତା ସେହିପରି ସେମିତି ବିଜେଡିରେ ରହି ଥାଆନ୍ତେ। ଭଦ୍ରକ ସଂସଦୀୟ କ୍ଷେତ୍ର ଆସନ ବ୍ୟତୀତ ଏକ ନିର୍ଦ୍ଦିଷ୍ଟ ବିଧାନସଭା ଆସନ ଟିକେଟ୍ ପାଇଁ କୁଆଡ଼େ ମନ୍ତ୍ରୀ ଏବଂ ମଣ୍ଡଳ ଦମ୍ପତ୍ତିଙ୍କ ମଧ୍ୟରେ ଡିଲ୍ ସରିଥିଲା! ସେପରି ହୋଇଥିଲେ ମନମୋହନ ସାମଲ ରାଜ୍ୟରେ କ’ଣ, ନିଜ ଜିଲ୍ଲାରେ ନିଜର ପ୍ରଭାବ ହରାଇ ବସିଥାଆନ୍ତେ। ରାଜ୍ୟରେ କେବଳ ଧର୍ମେନ୍ଦ୍ର ଆଉ ଭଦ୍ରକରେ ମଣ୍ଡଳ ଦମ୍ପତ୍ତିଙ୍କ ହୁକୁମତ ଚାଲି ଥାଆନ୍ତା। କିନ୍ତୁ, ସବୁ ଓଲଟ ପାଲଟ ହୋଇଗଲା। ମେଣ୍ଟ ସରକାର ସମୟରେ ସେକେଣ୍ଡ ପାୱାରଫୁଲ୍ ମିନିଷ୍ଟର ବୋଲାଉଥିବା ମନମୋହନ ଆଜି ରାଜ୍ୟ ବିଜେପିର ମୁଖିଆ। ଦେଖାଯାଉ ଆଗକୁ କ’ଣ ହେଉଛି!!

ଧନ୍ୟ ତୁମେ ଧର୍ମେନ୍ଦ୍ର! ରାହୁଲଙ୍କ ଗାଳି ଶୁଭିଲା, ସୁରଙ୍କ ଗାଳି ଶୁଭୁନି?


-/Dev@DRath