Odiapua.com

ଅମିତ ଶାହାଙ୍କ ନାମରେ ଫେକ୍ ଟ୍ୱିଟ୍ ଭାଇରାଲ୍ କରିଥିବା ୪ ଅଭିଯୁକ୍ତ ଅଟକ; ଖୋଜା ଚାଲିଛି ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାମରେ ଫେକ୍ ଟୁଇଟ୍ ଭାଇରାଲ୍ ଘଟଣାରେ ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସେମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ନକଲି ପୋଷ୍ଟ ଭାଇରାଲ୍ କରୁଥିଲେ। ନକଲି ପୋଷ୍ଟ କରିଥିବା ଦୁଇ ଅଭିଯୁକ୍ତ ଅହମ୍ମଦାବାଦର ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଭବନଗରର। ଏମାନଙ୍କୁ ପଚରାଉଚରା କରି ଗୃହମନ୍ତ୍ରୀଙ୍କ ବିଷୟରେ ନକଲି ପୋଷ୍ଟ କରିଥିବା ମୂଳ ଅଭିଯୁକ୍ତକୁ ଏବେ ପୋଲିସ ଖୋଜୁଛି।

ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁଜବକୁ ଖଣ୍ଡନ କରି କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ସେ କୌଣସି ରୋଗରେ ପୀଡିତ ନୁହଁନ୍ତି। ଶାହା ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଏକ ଗୁଜବ ସୋସିଆଲ ମିଡିଆ ମାଧ୍ୟମରେ ବ୍ୟାପିଛି। ଟ୍ୱିଟରରେ ଏହି ବିବୃତ୍ତି ସେୟାର କରି ସେ କହିଛନ୍ତି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ମୋର କୌଣସି ରୋଗ ନାହିଁ।

ମୁଁ ସୁସ୍ଥ ଅଛି, ଆପଣଙ୍କୁ ମଧ୍ୟ ଧନ୍ୟବାଦ: ଅମିତ ଶାହା
ସୋସିଆଲ ମିଡିଆରେ ପ୍ରକାଶିତ ବାର୍ତ୍ତାରେ ଅମିତ ଶାହା ଲେଖିଛନ୍ତି, “ଗତ କିଛି ଦିନ ହେବ କିଛି ବନ୍ଧୁ ସୋସିଆଲ୍ ମିଡିଆ ମାଧ୍ୟମରେ ମୋ ସ୍ୱାସ୍ଥ୍ୟ ବିଷୟରେ ଅନେକ ରୋଚକ ଗୁଜବ ପ୍ରଚାର କରିଥିଲେ। ଏପରିକି ଅନେକ ଲୋକ ଟୁଇଟ୍ କରି ମୋ ମୃତ୍ୟୁ ପାଇଁ ପ୍ରାର୍ଥନା କରିଛନ୍ତି। ଦେଶ ବର୍ତ୍ତମାନ କରୋନା ପରି ଏକ ବୈଶ୍ୱିକ ମହାମାରୀ ସହ ଲଢ଼ୁଛି। ଦେଶର ଗୃହମନ୍ତ୍ରୀ ଭାବରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋ କାର୍ଯ୍ୟରେ ମୁଁ ବ୍ୟସ୍ତ ରହୁଥିବାରୁ ଏସବୁ ପ୍ରତି ଧ୍ୟାନ ଦେଇନଥିଲି। ଯେତେବେଳେ ଏହା ମୋର ଜ୍ଞାନକୁ ଆସିଲା, ମୁଁ ଭାବିଲି ଯେ ଏହି ସମସ୍ତ ଲୋକ ସେମାନଙ୍କର କାଳ୍ପନିକ ଚିନ୍ତାଧାରାକୁ ନେଇ ଆନନ୍ଦ ନେଉଛନ୍ତି। ତେଣୁ ମୁଁ କୌଣସି ସ୍ପଷ୍ଟୀକରଣ ଦେଲି ନାହିଁ। କିନ୍ତୁ, ମୋର ପାର୍ଟି କର୍ମୀ ଏବଂ ମୋର ଶୁଭେଚ୍ଛୁମାନେ ଗତ ଦୁଇ ଦିନ ଧରି ମୋ ପାଇଁ ବହୁତ ଚିନ୍ତା ପ୍ରକଟ କରିଛନ୍ତି। ମୁଁ ସେମାନଙ୍କ ଚିନ୍ତାକୁ ଅଣଦେଖା କରିପାରିବି ନାହିଁ। ତେଣୁ ଆଜି ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ମୋର କୌଣସି ରୋଗ ନାହିଁ। ହିନ୍ଦୁ ବିଶ୍ୱାସ ଅନୁଯାୟୀ, ଏପରି ଗୁଜବ ସ୍ୱାସ୍ଥ୍ୟକୁ ଆହୁରି ଅଧିକ ମଜବୁତ କରେ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ମୁଁ ଏପରି ସମସ୍ତ ଲୋକଙ୍କଠାରୁ ଆଶା କରୁଛି ଯେ ସେମାନେ ଏପରି ବ୍ୟର୍ଥ ବିଷୟ ଛାଡ଼ି ମୋତେ ମୋର କାମ କରିବାକୁ ଦେବେ ଏବଂ ସେମାନେ ମଧ୍ୟ ସେମାନଙ୍କର କାମ କରିବେ। ମୋ ହାଲଚାଲ୍ ବାବଦରେ ବୁଝୁଥିବା ଏବଂ ମୋ ପାଇଁ ଚିନ୍ତା କରିଥିବାରୁ ମୁଁ ମୋର ଶୁଭେଚ୍ଛୁ ଏବଂ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି। ଏହି ଗୁଜବ ପ୍ରଚାର କରିଥିବା ଲୋକଙ୍କ ପ୍ରତି ମୋର କୌଣସି ଦୁର୍ଭାବନା କିମ୍ବା ଦ୍ବେଷ ନାହିଁ। ଆପଣଙ୍କୁ ମଧ୍ୟ ଧନ୍ୟବାଦ।” -ଅମିତ ଶାହା /- ଦେବଦତ୍ତ ରଥ

ମୁଁ ସୁସ୍ଥ ଅଛି, ଆପଣଙ୍କୁ ଧନ୍ୟବାଦ: ଅମିତ ଶାହା