Odiapua.com

 ୩୦ ତାରିଖରେ କୋରାପୁଟରେ ନିମୋକୋକାଲ କଞୁଗେଟ ଭ୍ୟାକ୍ସିନର ଶୁଭାରମ୍ଭ

କୋରାପୁଟ ୨୯-୦୬(ଓଡିଆ ପୁଅ /ରଂଜନ ଦାସ) ଆସନ୍ତାକାଲି କୋରାପୁଟ ଗାନ୍ଧିନଗର ୟୁପିଏଚସିରେ ନିମୋକୋକାଲ କଞୁଗେଟ ଭ୍ୟାକ୍ସିନର ଶୁଭାରମ୍ଭ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରା ଏକ ସାମ୍ବାଦିକ ସମ୍ମିଲନୀରେ ପ୍ରକାଶ କରିଛନ୍ତି ।ଏହି ଟୀକା ନିମୋକୋକସ ଦ୍ୱାରା ହେଉଥିବା ଉତ୍କଟ ଶ୍ୱସନତନ୍ତ୍ର ଜନିତ ସଂକ୍ରମଣକୁ ରୋକିପାରିବ ଓ ତାହାଦ୍ୱାରା ହେଉଥିବା ରୋଗ ଜନିତ ଅସୁସ୍ଥତା ଓ ମୃତ୍ୟୁରୁ ରକ୍ଷା କରିପାରିବ ବୋଲି ସେ ପ୍ରକାଶ କରିଛନ୍ତି ।ଜୀବନର ପ୍ରଥମ ବର୍ଷରେ ଏହି ରୋଗର ଆଶାଙ୍କା ଅଧିକା ରହିଥାଏ ବୋଲି ସେ ପ୍ରକାଶ କରିବା ସହ ନବଜାତଙ୍କର ଟୀକାକରଣ ଦ୍ୱାରା ସେମାନଙ୍କୁ ରକ୍ଷା କରିଥାଏ ବୋଲି ସେ ସୂଚନା ଦେଇଛନ୍ତି ।ଏହି ରୋଗ ଜଣଙ୍କଠାରୁ ଆଉଜଣକୁ କାଶିବା ଓ ଛିଙ୍କିବା ଦ୍ୱାରା ବ୍ୟାପି ଥାଏ ବୋଲି ସେ ସୂଚନା ଦେଇଛନ୍ତି ।ନିମୋକୋକାଲ ରୋଗ ଜନସ୍ୱାସ୍ଥ୍ୟ ସମସ୍ୟାର ଏକ ପ୍ରମୁଖ କାରଣ ଅଟେ ଯାହାକି ନିମୋନିଆ କରିଥାଏ ବୋଲି ଏଡିପିଏଚଓ(ପରିବାର କଲ୍ୟାଣ) ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ  ପ୍ରକାଶ କରିଛନ୍ତି । ଏହାଦ୍ୱାରା ଜୀବନର ପ୍ରଥମ ବର୍ଷ ଗୁଡିକରେ ବହୁତ ଶିଶୁ ମୃତ୍ୟୁମୁଖରେ ପଡନ୍ତି ବୋଲି ସେ ସୂଚନା ଦେଇଛନ୍ତି ।୫ ବର୍ଷରୁ କମ ପିଲା ,କମ ରୋଗ ପ୍ରତିଷେଧକ ଶକ୍ତି ଥିବା ପିଲା , ଅପପୃଷ୍ଟି,ସ୍ତନ୍ୟପାନର ଅଭାବ,ଗହଳିପୂର୍ଣ୍ଣ ଆବାସ ,ବାୟୁ ପ୍ରଦୂଷଣ  ଓ ସ୍ୱାସ୍ଥ୍ୟସେବାରୁ ବଂଚିତ ପିଲାମାନେ ଏହି ରୋଗ ଦ୍ୱାରା ପୀଡିତ ହେବାର ଆଶଙ୍କା ସର୍ବାଧିକ ଥାଏ ବୋଲି ସେ ପ୍ରକାଶ କରିଛନ୍ତି ।ଏହି ଟୀକା ୬ ସପ୍ତାହରୁ ଆରମ୍ଭ କରି ନବଜାତ ଶିଶୁୁଙ୍କୁ ସୁରକ୍ଷା ଦେଇଥାଏ । ଏହି ଟୀକା ସଂପୁର୍ଣ୍ଣ ସୁରକ୍ଷିତ ବୋଲି ସେ ପ୍ରକାଶ କରିଛନ୍ତି ।୨୦୧୭ ମସିହାରୁ ଉତରପ୍ରଦେଶ ,ହିମାଚଳପ୍ରଦେଶ ,ମଧ୍ୟପ୍ରଦେଶ  , ବିହାର ଓ ରାଜସ୍ଥାନ ରାଜ୍ୟଗୁଡିକରେ ଏହି ଟୀକା ପ୍ରଦାନ କରାଯାଇଥିବା  ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାର ୨୫ ହଜାରରୁ ଅଧିକ ଶିଶୁ ପ୍ରତିବର୍ଷ ଉପକୃତ ହେବେ ବୋଲି ସେ ସୂଚନା ଦେଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ ,କିଶୋର ଚନ୍ଦ୍ର ସାହୁ ,ଏନ.ସନ୍ତୋଷ କୁମାର , ବିଷ୍ଣୁ ପ୍ରସାଦ ସାହୁ ,ଅଭିଷେକ ମିଶ୍ର , ଏ.ଗୋରାଚାନ୍ଦ  ଓ ସାଗର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।