Odiapua.com

୨୪ ଘଣ୍ଟାରେ ୮୭୮ ମିମି ବର୍ଷା

କୋରାପୁଟ ୦୬-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ) ଗତ ୨୪ ଘଂଟା ମଧ୍ୟରେ କୋରାପୁଟ ଜିଲାରେ ୮୭୮.୨୦ ମିମି ବର୍ଷା ହୋଇଥିବାବେଳେ ଜଲାପୁଟରୁ ୨ଟି ଗେଟ ଖୋଲା ଯାଇ ବର୍ଷାଜଳ ନିଷ୍କାସନ କରା ଯାଉଛି। ସେହିପରି ଜୟପୁର ବ୍ଲକ ରାଣିଗଡରେ ଥିବା ତେଲେଙ୍ଗିରି ପ୍ରକଳ୍ପରେ ମଧ୍ୟ ଜଳ ପତନ ବୃଦ୍ଧି ଯୋଗୁଁ ଗତକାଲି ଠାରୁ ୨ଟି ଗେଟ ଖୋଲା ଯାଇ ବର୍ଷାଜଳ ଛଡା ଯାଉଛି। ଅନ୍ୟ ପକ୍ଷରେ ଉପର କୋଲାବ ଜଳ ଭଣ୍ଡାରର ବିପଦ ସଙ୍କେତ ୮୫୮ମିଟର ଥିବାବେଳେ ବର୍ତମାନ ଜଳସ୍ତର ୮୫୪.୭୫ମିଟର ରହିଛି। ତେବେ କୋଲାବ ଜଳ ଭଣ୍ଡାରର କୌଣସି ଗେଟ ଖୋଲା ଯାଇ ନାହିଁ। ଜିଲା ଜରୁରୀ କାଳୀନ ବିଭାଗ ଠାରୁ ହସ୍ତଗତ ସୂଚନା ଅନୁଯାୟୀ ଗତ ୨୪ ଘଂଟାରେ କୋରାପୁଟରେ ୭୦.୮ ମିମି ବର୍ଷା ହୋଇଥିବାବେଳେ ଲମତାପୁଟରେ ୬୯.୨ପଟ୍ଟାଙ୍ଗିରେ ୪୫.୨, ବନ୍ଧୁଗାଁରେ ୧୫, ନନ୍ଦପୁରରେ ୧୫୫.୪, ଦଶମନ୍ତପୁରରେ ୫୮ ମିମି ବର୍ଷା ହୋଇଛି। ସେହିପରି ନାରାୟଣପାଟଣାରେ ୧୦.୪ ମିମି ବର୍ଷା ହୋଇଥିବାବେଳେ ଲକ୍ଷ୍ମୀପୁରରେ ୮, ସେମିଲିଗୁଡାରେ ୫୯, ଜୟପୁରରେ ୫୪.୮, କୋଟପାଡରେ ୧୨୮, କୁନ୍ଦ୍ରାରେ ୪୪, ବୋରିଗୁମ୍ମାରେ ୧୦୦.୪ ଓ ବୈପାରିଗୁଡାରେ ୬୦ ମିମି ବର୍ଷା ହୋଇଥିବା ରେକର୍ଡ କରା ଯାଇଛି।
ଇନ୍ଦ୍ରାବତୀ ଡ୍ୟାମର ୪ ଟି ଗେଟ ଖୋଲାଯାଇଥିବା ବେଳେ କୋଟପାଡର ସୁରଳୀ ନଦୀରେ ନିଷ୍ଟାସନ ଜଳ ପ୍ରବେଶ କରୁଛି ବୋଲି ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟନାୟକ ସୂଚନା ଦେଇଛନ୍ତି।ଲୋକମାନଙ୍କୁ ନଦୀକୁ ନ ଯିବା ପାଇଁ ମାଇକ ଯୋଗେ ପ୍ରଚାର କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ।କୋରାପୁଟ ଜିଲ୍ଲାର କୋଟପାଡରେ ଏ ପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ଉପୁଜି ନାହିଁ ଯଦି ଉପୁଜିବ ତେବେ ଜିଲ୍ଲା ପ୍ରଶାସନ ସଂପୁର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ସେ ସୂଚନା ଦେଇଥିଲେ।ଯଦି ଦରକାର ପଡେ ତେବେ ଲୋକମାନଙ୍କୁ ସଡରଙ୍ଗା ବନ୍ୟା ଆଶ୍ରୟସ୍ଥଳୀ,  ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ସେ ପ୍ରକାଶ କରିଥିଲେ।ଚୁଡା,  ଗୁଡ, ଚିନି ଓ ଯଦି ଦରକାର ପଡେ ତେବେ ରନ୍ଧାଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସ୍ଥାନୀୟ ବିଡିଓ ଏବଂ ତହସିଲଦାରଙ୍କୁ ନିର୍ଦ୍ଦଶ ଦିଆଯାଇଥିବା ସେ ପ୍ରକାଶ କେରିଥିଲେ।ମୁରାନ ଡ୍ୟାମର ର ଜଳ ନିଷ୍ଟାସନ କରାଯାଇଥିବା ସେ ସୂଚନା ଦେଇଥିଲେ।