Odiapua.com

ହସପିଟାଲ ସମ୍ମୁଖରେ ମହିଳାଙ୍କ ପ୍ରସବ

କୋରାପୁଟ ; ତା୧୬-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ହସପିଟାଲ ପହଂଚିବା ପୂର୍ବରୁ ଜଣେ ଗର୍ଭବତୀ ମହିଳା ହସପିଟାଲ ସମ୍ମୁଖରେ ଶିଶୁପତ୍ରକୁ ଜନ୍ମ ଦେଇଥିଲେ। ବଡସୁକୁ ଗ୍ରାମର ସଦନ ଜାନୀଙ୍କ ପତ୍ନୀଙ୍କର ଆଜି ଭୋର ୩ ଟାରେ ପ୍ରସବ ଯଂନ୍ତ୍ରଣା ହୋଇଥିଲା। ବଡସୁକୁକୁ କୋରାପୁଟରୁ ଆମ୍ବୁଲାନ୍ସ ଯିବାକୁ ହେଲେ ନନ୍ଦପୁର ଦେଇ ପ୍ରାୟ ୮୦ କିଲୋମିଟର ଦେଇ ଯାଇଥାଏ, ତେଣୁ ଏତେବାଟ ବୁଲିକି ଯିବା ଅପେକ୍ଷା ଉପର କୋଲାବ ଜଳଭଣ୍ଡାରର ରେଳବ୍ରୀଜରେ ମୋଟର ସାଇକଲରେ ମାତ୍ର ୧୫ କିଲୋମିଟର ଗଲେ କୋରାପୁଟ ପହଂଚିବାର ସୁବିଧା ଥିବାରୁ ସଦନ ପତ୍ନୀକୁ ମୋଟର ସାଇକେଲରେ ରେଳପୋଲ ଦେଇ କୋରାପୁଟରେ ପହଂଚାଇଥିଲେ। ତେବେ ସଦନଙ୍କ ସ୍ତ୍ରୀ ଏସଏଲଏନ ମେଡିକାଲ କଲେଜର ମାତୃ ଓ ଶିଶୁ କେନ୍ଦ୍ରରେ ପହଂଚିବା ପୂର୍ବରୁ ସମୁଖରେ ଥିବା ବାଲି ଗଦାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଖବର ପାଇବା ପରେ ଏମସିଏଚ୍ କର୍ମଚାରୀ ଆସି ପ୍ରସୂତୀ ଓ ନବଜାତ ଶିଶୁପୁତ୍ରକୁ ଏମସିଏଚରେ ଭର୍ତି କରିଥିଲେ। ଜନ୍ମିତ ଶିଶୁପୁତ୍ର ଓ ମା ଭଲ ଥିବା ଜଣାପଡିଛି।

କୋରାପୁଟରୁ ଆମ୍ବୁଲାନ୍ସ ଆସିପାରିବ ନାହିଁ ତେଣୁ ନିଜ ମଟରସାଇକେଲରେ କୋରାପୁଟ ମେଡିକାଲକୁ ସ୍ତ୍ରୀକୁ ଆଣିଥିଲୁ ବୋଲି ସଦନ ଜାନି ସୂଚନା ଦେଇଥିଲେ।ଏକ ପୋଲ ନିର୍ମାଣ କରିବାକୁ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ବାରମ୍ବାର ଦାବି କରୁଥିଲେ ସୁଦ୍ଧା ବିପଦସଂକୁଳ ଅବସ୍ଥାରେ ନିଜ ସ୍ତ୍ରୀକୁ ସଦନ କୋରାପୁଟ ମଟରସାଇକେଲରେ ଆଣିଥିଲା ଓ ସ୍ତ୍ରୀ ହସପିଟାଲ ପହଂଚିବା ପୂର୍ବରୁ ହସପିଟାଲ ସମ୍ମୁଖରେ ଥିବା ବାଲିଗଦାରେ ପ୍ରସବ କରିବା ସରକାରଙ୍କ ବିକାଶ ଜଳଜଳ ହୋଇଦିଶୁଛି ବୋଲି ବିଧାୟକ ଶ୍ରୀ ସଗରିଆ କଟାକ୍ଷ କରି କହିଥିଲେ।