Odiapua.com

ହସପିଟାଲରେ ଲାଂଚ ମାଗିବା ଘଟଣା – ଶିଶୁପୁତ୍ରର ଅପରେସନ ହେଲା ;ତଦନ୍ତ ଚାଲିଛି

କୋରାପୁଟ ୨୮-୦୭ (ଓଡିଆ ପୁଅ /ରଂଜନ କୁମାର ଦାସ)ଜଣେ ଶିଶୁର ଅପରେସନ ପାଇଁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଡାକ୍ତର ୪ ହଜାର ଟଙ୍କା ଲାଂଚ ମାଗିବା ଘଟଣାରେ ପ୍ରଶାସନ ହସ୍ତକ୍ଷେପ କରିବା ପରେ ଶିଶୁର ଆଜି ଅପରେସନ କରାଯାଇଛି।ମାଗଣାରେ ଏହି ଅପରେସନ ହୋଇଥିବା ବେଳେ ପ୍ରଶାସନ ତରଫରୁ ସମସ୍ତ ସହାୟତା ଯୋଗାଇଥିବା ଜଣାପଡିଛି।ଘଟଣାର ତଦନ୍ତ ଚାଲିଥିବା ଜଣାପଡିଛି।ରାୟଗଡା ଜିଲ୍ଲା କଲମା ପଂଚାୟତର କରୁଥିଲ ଗ୍ରାମର ମୋହନ କରକରିଆଙ୍କ ୨ ବର୍ଷ ୬ମାସର ଶିଶୁପୁତ୍ରର ହାରନିଆ ଅପରେସନ ନିମନ୍ତେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଗତ ୨୩ ତାରିଖରେ ଭର୍ତି କରିଥିଲେ।ଅପରେସନ ନିମନ୍ତେ ଡାକ୍ତର ୪ ହଜାର ଟଙ୍କା ଲାଂଚ ମାଗିଥିଲେ।ଟଙ୍କା ନ ଦେବାରୁ ଫେରାଇ ଦେଇଥିଲେ।ଏ ନେଇ ଅଭିଯୋଗ ହେବା ପରେ ପ୍ରଶାସନ ଦ୍ୱାରା ଶିଶୁପୁତ୍ର ପୁଣି ହସପିଟାଲରେ ଭର୍ତି ହୋଇଥିଲେ।ଆଜି ଶିଶୁପୁତ୍ରର ଅପରେସନ କରାଯାଇଛି।ସେ ଏବେ ସୁସ୍ଥ ଥିବା ଡାକ୍ତର ଏସ.କେ.ମାଝି ସୂଚନା ଦେଇଛନ୍ତି।କୋରାପୁଟ ଜିଲ୍ଲାପାଳ ଡାକ୍ତର ପୋମା ଟୁଡୁଙ୍କ ନିର୍ଦ୍ଦେଶକ୍ରମେ ଶିଶୁପୁତ୍ରର ଅପରେସନ ମାଗଣାରେ କରାଯାଇଥିଲା ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ ସୂଚନା ଦେଇଥିଲେ।କିଏ କେଉଁ ପରିସ୍ଥିତିରେ ଲାଂଚ ମାଗିଲେ ତାହା ସିସିଟିଭି ଫୁଟେଜ ଯାଂଚ କରାଯାଇ ତଦନ୍ତ କରାଯିବ ଓ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହସପିଟାଲ ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇ ସୂଚନା ଦେଇଛନ୍ତି।