Odiapua.com

ସ୍ମାର୍ଟ ଯୁଗ ରେ “୧୦୨ ନଟ୍ ଆଉଟ୍ ”

ସାଂକେତିକ ଫଟୋ

ପ୍ରତିଦିନ କେଉଁଠି ନା କେଉଁଠି ଦେଖିବାକୁ କିମ୍ବା ଶୁଣିବାକୁ ମିଳେ ବାପ ପୁଅ ଙ୍କ କଳି। କେଉଁଠି ପୁଅ ବାପାକୁ ହାଣି ଦେଲାଣି ତ’, କେଉଁଠି ଦାଣ୍ଡରେ ବାପାକୁ ଘୋଷାଡ଼ି ପୁଅ ମାରୁ ଥିବାର ଦୃଶ୍ୟ। କେଉଁଠି ପୁଅ ବୋହୂ ମିଶି ମାଡ଼ ମାରୁ ଥିବାର ଖବର ତ, ପୁଣି କେଉଁଠି ପୁଅ କୁ ମଦ ପିଇବା କୁ ଟଙ୍କା ନଦେବାରୁ, ବାପ ଉପରେ ମାଡ଼। କେଉଁଠି ବୁଢା ବାପ ରୋଜଗାର ରେ ପୁଅ ଅୟସ କରୁଛି, ବାପ ପ୍ରତିବାଦ କଲେ ମାଡ଼ ଖାଉଛି। ଯେତେବେଳେ ପୁଅ ଚାକିରୀ କରି ଭଲ ରେ ରୁହେ, ମା’ବାପା ଙ୍କୁ ଟିକେ ଖୁସିରେ ରଖିବା ପାଇଁ ତା ପାଖରେ ସମୟ ମିଳେ ନାହିଁ। କିନ୍ତୁ ପାର୍କ ରେ ବୁଲିବାକୁ ଆଉ ସିନେମା ଦେଖିବାକୁ ସମୟର ଅଭାବ ନଥାଏ। ଅଫିସ କୁ ମାସ ରେ କେତେ ଥର ଆସନ୍ତି ଓ କେତେ କାମ କରନ୍ତି ଭଗବାନ ଙ୍କୁ ଜଣା। କିନ୍ତୁ ଅଫିସ ର କାର୍ଯ୍ୟ ବ୍ୟସ୍ତତା ଦେଖାଇ ମା’ବାପା ଙ୍କୁ ଅଣଦେଖା କରିଥାନ୍ତି। କେଉଁଠି ମା’ବାପା ଙ୍କୁ ଆମ୍ବୁଲାନ୍ସରେ ମେଡିକାଲ ପଠାଇ ଦେଇ ପୁଅ-ବୋହୂ ନିଜର କର୍ତ୍ତବ୍ୟ ସରିଗଲା ବୋଲି ଭାବନ୍ତି। କେଉଁଠି ପୁଅ ମାନେ, ପରିଣତ ବୟସରେ ମା’ବାପା ଙ୍କୁ ଛାଡିଦେଇ ଯାଆନ୍ତି ବୃଦ୍ଧାଶ୍ରମରେ। ପିତୃ ସତ୍ୟ ପାଳି ପ୍ରଭୁ ଶ୍ରୀରାମ ବନବାସ କୁ ଯାଇଥିଲେ। କିନ୍ତୁ ଏ ସ୍ମାର୍ଟ ଯୁଗର ପୁଅ ମାନେ ନିଜେ ଘରେ ରହି, ମା’ବାପା ଙ୍କୁ ଵୃଦ୍ଧାଶ୍ରମ ରେ ଛାଡି ଦେଉଛନ୍ତି। ଏମିତି ଅନେକ ହୃଦୟ ବିଦାରକ ଘଟଣା ସବୁ ଦେଖିବାକୁ ମିଳୁଛି। ଆଜି କେତେ ଯେ ମା’ବାପା ମାନେ, ନିଜ ମନର ଦୁଃଖକୁ ମନରେ ମାରି ଦୁଃଖରେ ଦିନ କାଟୁଛନ୍ତି। ସେମାନଙ୍କ ବିଷୟରେ ଯେତେ ଲେଖିଲେ ବି କମ୍ ହେବ। ଏହା କ’ଣ ଆମ ସଂସ୍କୃତି ? ଏହା କ’ଣ ଆମ ସଭ୍ୟତା ? ହଜିଗଲାଣି ଆମ ସଂପର୍କର ମାନେ, ବଦଳିଗଲାଣି ପରମ୍ପରା, କେବଳ ସ୍ୱାର୍ଥ ରେ ସବୁ କିଛି ଚାଲିଛି। ଟିଭି, ଖବର କାଗଜ, ସାମାଜିକ ଗଣ ମାଧ୍ୟମ ଓ ବିଭିନ୍ନ ପ୍ରକାର ସଭା ସମିତିରେ ସଚେତନତା କରାଯାଉଛି ଯେ ମା’ବାପା ଙ୍କ ସେବା କରିବା ପାଇଁ, ସେମାନଙ୍କୁ ବୃଦ୍ଧ ଅବସ୍ଥାରେ ଅବହେଳା ନକରିବା ପାଇଁ କିନ୍ତୁ ଯଥା ପୂର୍ବଂ ତଥା ପରଂ। ଯଦି ବାସ୍ତବ ରେ ବୃଦ୍ଧ ମା’ବାପା ଙ୍କ ପାଇଁ ଟିକେ ବି ଦରଦ ଥାଆନ୍ତା, ତେବେ ଏମିତି ଲଜ୍ୟାକର ଘଟଣା ମାନ ଦେଖିବାକୁ କିମ୍ବା ଶୁଣିବାକୁ ମିଳନ୍ତା ନାହିଁ।

ଭୁବନେଶ୍ୱର ରୁ ପଟ୍ଟାମୁଣ୍ଡାଇ ଯିବା ପାଇଁ, ମୁଁ ବସ ଷ୍ଟାଣ୍ଡରେ ଛିଡା ହୋଇଥାଏ। କିଛି ଦୂରରେ ବୁଢା ମଉସା ଜଣକ ଛିଡା ହୋଇ କାନ୍ଦୁ ଥିବାର ଦୃଶ୍ୟ ଦେଖି, ତାଙ୍କ ପାଖକୁ ଗଲି। ବହୁ ଚେଷ୍ଟା କଲି ତାଙ୍କର କାନ୍ଦିବାର କାରଣ କ’ଣ ଜାଣିବା ପାଇଁ। ବୁଢା ମଉସା ଟି ନିଜର ପରିଚୟ ଦେବାକୁ କୁଣ୍ଠା ବୋଧ କରୁଥିଲେ। କିନ୍ତୁ ତାଙ୍କ ସହିତ ଯେଉଁ କିଛି ମୁହୂର୍ତ୍ତ କଥା ହେଲି, ଜାଣିବାକୁ ପାଇଲି ଯେ, ସେ ତାଙ୍କର ପୁଅ ପାଖକୁ ଆସିଥିଲେ। ପୁଅ ୪ ମାସ ହେଲା ଟଙ୍କା ପଠେଇ ନାହିଁ, ସେ ଚଳିବେ କେମିତି ? କହୁ କହୁ କାନ୍ଦି ପକାଉଥିଲେ। ସେ କହୁଥିଲେ କଉଠୁ ଆରମ୍ଭ କରିବି, ଆଉ କଉଠି ଶେଷ କରିବି। ଖଜୁରୀ ଗଛ ର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ। ପୁଅ ର ପାଠ ପଢା ସମୟରେ କେତେ କଷ୍ଟ କରି ତାକୁ ପଢ଼େଇ ଥିଲି। ତାର ପ୍ରତିଟି ଆବଶ୍ୟକତା କୁ ପୂରଣ କରିବା ପାଇଁ ନିସ୍ଵାର୍ଥପର ଏବଂ ନିଷ୍ଠାପର ଭାବେ ଚେଷ୍ଟା କରିଥିଲି। ପୁଅ କୁ ଠିକ୍ ଭାବେ ଗଢ଼ି ତୋଳିବା, ମଣିଷ ପରି ମଣିଷ କରିବା ହିଁ ବାପର ସବୁଠାରୁ ବଡ଼ ପୁଞ୍ଜି ହୋଇଥାଏ। ସ୍କୁଲ ରୁ ନେଇ କଲେଜ ପର୍ଯ୍ୟନ୍ତ ଅବିରତ ଚେଷ୍ଟା କରିଥିଲି, ସେ ପାଠ ପଢି ଭଲ ଚାକିରୀ କରୁ, ଭଲ ମଣିଷ ଟିଏ ହଉ। କିନ୍ତୁ ପୁଅ ଚାକିରୀ ପାଇବା ପରେ, ଦୁଃଖ ଆଉ ଯନ୍ତ୍ରଣା ରେ ମୋର ଦିନ ସରୁଛି। ଏ ବୁଢା ବୟସ ରେ ମୋର ଭଗବାନ ହିଁ ସାହା ଭରସା, ତେଣୁ ଏ ଭଳିଆ ପୁଅ କୁ ଭୁଲି ଯିବା ପାଇଁ ଚେଷ୍ଟା କରୁଛି। ବୁଢା ମଉସା ର ଏ ପ୍ରକାର ବାକ୍ୟ ଶୁଣି ମୋର ମନେ ପଡିଗଲା ଗୋଟେ କଥା। “ଅଉଲାଦ୍ ନାଲାୟକ୍ ହୋ ତୋ ଉସ୍କୋ ଭୁଲ୍ ଯାନା ଚାହିଏ, ସିର୍ଫ ଉସ୍କା ବଚ-ପନ୍ ୟାଦ୍ ରଖନା ଚାହିଏ”- ଏହା ହେଉଛି ୨୦୧୮ ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଫିଲ୍ମ “୧୦୨ ନଟ୍ ଆଉଟ୍” ର କାହାଣି। ଉମେଶ ଶୁକ୍ଳାଙ୍କ ଦ୍ୱାରା ନିର୍ଦେଶିତ ଏହି ଫିଲ୍ମ ରେ, ଆଧୁନିକ ସମାଜରେ ବାପ, ପୁଅ ଓ ନାତିର ସଂପର୍କ କିଭଳି ସ୍ୱାର୍ଥପରତା ମଧ୍ୟରେ ସୀମିତ ତାହା ଦର୍ଶା ଯାଇଛି। ଏହା ସିନା ଫିଲ୍ମ ରେ ଥିଲା, କିନ୍ତୁ ବାସ୍ତବ ଜୀବନରେ ବାପା କ’ଣ ତାର ପୁଅ କୁ ଭୁଲି ପାରିବ ?। ଏହି ଭଳି ଅନେକ ମା’ବାପା ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ସବୁ ପୁଅ ସମାନ ନୁହନ୍ତି. ସମାଜ ରେ ବହୁତ ପୁଅ ଅଛନ୍ତି, ସେମାନେ ତାଙ୍କର ମା’ବାପା ଙ୍କୁ ଖୁସି ରେ ରଖିଛନ୍ତି।

ସ୍ମାର୍ଟ ଯୁଗରେ “ମଦର୍ସ ଡେ” ଆଉ “ଫାଦର୍ସ ଡେ” ପାଳନ କରାଯାଉଛି। ଏହି ଦିନରେ ବିଭିନ୍ନ ପ୍ରକାର ଫଟୋ, କେତେ ନୀତିବାଣୀ ଓ ହିତବାଣୀ ସାମାଜିକ ଗଣ ମାଧ୍ୟମ ରେ ପୋଷ୍ଟ କରାଯାଉଛି, କ’ଣ ରହିଛି ତାହାର ମୂଲ୍ୟ ? ଏହା କେବଳ ଏକ ଫ୍ୟାସନ୍। ଏଗୁଡିକ ସାମାଜିକ ଗଣ ମାଧ୍ୟମ ରେ ଦେଖିଲେ ଲାଗେ ଯେମିତି ସବୁ ପୁଅ ଶ୍ରବଣ କୁମାର ହୋଇଯାଇଛନ୍ତି। ହେଲେ ବାସ୍ତବ ରୂପଟା ଅତି ଭୟଙ୍କର। କାଲି ବି ଘରର ବୃଦ୍ଧ ମା’ବାପା ଅବହେଳିତ ଅବସ୍ଥାରେ ଥିଲେ, ଆଉ ଆଜି ବି ପୁଅ ବୋହୂଙ୍କ ନିର୍ଯ୍ୟାତନା ର ଶିକାର ହେଉଛନ୍ତି।

ପୁଅ ଟିଏ ଜନ୍ମ ହେଲେ ମା’ବାପା ଙ୍କ ର ଖୁସିର ସୀମା ନଥାଏ। ସେମାନେ ପୁଅକୁ ବଡ ମଣିଷ କରିବା ପାଇଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିଶ୍ରମ କରିଥାନ୍ତି। ମା’ବାପା ଙ୍କ ର ଋଣ, ଆମେ ଜନ୍ନ ଜନ୍ମରେ କେବେବି ସୁଝି ପାରିବା ନାହିଁ। ସେମାନେ ଙ୍କ ତ୍ୟାଗ ର ତୁଳନା ନାହିଁ। ଆମ ସଂସ୍କୁତି ରେ ମା’ବାପା ଙ୍କ ସ୍ଥାନ ସବୁଠୁ ଉର୍ଦ୍ଧରେ। ଆଜି ଯେଉଁ ମାନେ ମା’ବାପା ଙ୍କୁ ହତାଦର କରୁଛନ୍ତି, କାଲି ସେମାନଙ୍କର ବି ବାର୍ଦ୍ଧକ୍ୟ ଆସିବ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ

ପଟାମୁଣ୍ଡାଇ , କେନ୍ଦ୍ରାପଡା