Odiapua.com

ସେୱା ପେପର ମିଲ କାର୍ଯ୍ୟକ୍ଷମ ପାଇଁ ଦାବି

କୋରାପୁଟ ୨୪-୦୬-୧୯ (ଓଡିଆ ପୁଅ/ରଂଜନ କୁମାର ଦାସ)୮୦ ଜଶକରେ ପ୍ରତିଷ୍ଠିତ ସେୱା ପେପେରମିଲ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାବେଳେ ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟରେ ସମୁଖୀନ ହୋଇ ୨୦୧୯ ଏପ୍ରିଲରୁ ବନ୍ଦ ହୋଇ ରହିଛି। ଯାହା ଫଳରେ କାଗଜ କଳରେ କାମ କରୁଥିବା ଦେଢ ହଜାର ଶ୍ରମିକ ଏବଂ ଏହା ଉପରେ ପରୋକ୍ଷ ଭାବେ ନିର୍ଭର୍ର କରୁଥିବା ପ୍ରାୟ ୫୦୦୦ ପରିବାର ବର୍ତମାନ ବେରୋଜଗାର ହୋଇବସିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ କାଗଜ କଳକୁ ପୁନର୍ବାର କାର୍ଯ୍ୟକ୍ଷମ କରି ନିବାଚନ ସଭାରେ ଜୟପୁରବାସୀଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷା କରନ୍ତୁ ବୋଲି ଶ୍ରମିକ ସଂଘ ଦାବି କରିଛି। ଘୋର ଆର୍ଥିକ ସଙ୍କଟ ଯୋଗୁଁ ଦେବାଳିଆ ଅବସ୍ଥାରେ ଥିବା ପେପରମିଲ ଚଳାଇବା ନିମନ୍ତେ ସମସ୍ତ ଶ୍ରମିକ ୨୦୧୭ରୁ ସେମାନଙ୍କ ପାରିଶ୍ରମିକ ଓ ଲାଭାଂଶରୁ ୧ପ୍ରତିଶତ ଅଂଶ କମ୍ପାନୀକୁ ଦେଇ ଆସୁଥିଲେ। କିନ୍ତୁ କ୍ଷତିରେ ଚାଲୁଥିବା କାରଣ ଦେଖାଇ ପରିଚାଳନା କର୍ତୂପକ୍ଷ ୨୦୧୯ ଏପ୍ରିଲରୁ ପୁନର୍ବାର କମ୍ପାନୀକୁ ବନ୍ଦ କରି ଦେଇଛନ୍ତି। ୨୦୧୯ ମାର୍ଚରୁ ଶ୍ରମିକ ମାନେ ଦରମା ନପାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ସେହିପରି କମ୍ପାନୀର ଦେବାଳିଆ ଅବସ୍ଥା ଦେଖି ଓ ସରକାର ଉପରେ ଜଳକର ଏବଂ ବିଦ୍ୟୁତ ବିଭାଗର ବକେୟା ଦେୟ ପ୍ରାୟ ୭୫୦ କୋଟି ଟଙ୍କା ଥିବାରୁ କମ୍ପାନୀକୁ ସହାୟତା ଦେଉଥିବା ଆର୍ଥିକ ସଂସ୍ଥା ଓ ଅନ୍ୟମାନେ ଦୂରେଇ ଯାଇଛନ୍ତି। ସାଢେ ସାତ ହଜାର ପରିବାରର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ପେପରମିଲ ଉପରେ ବକେୟା ଥିବା ସମସ୍ତ ଅର୍ଥ ଛାଡ କରିବା ସହ ପେପର ମିଲ ପୁନଃ ଉଦ୍ଧାର ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆର୍ଥିକ ଅନୁଷ୍ଠାନ ଗୁଡିକୁ ନିର୍ଦ୍ଦେଶ ଦିଅନ୍ତୁ ଓ ମୁଖ୍ୟମନ୍ତ୍ରୀ ୨୦୧୯ ନିର୍ବାଚନରେ ଦେଇଥିବା ପ୍ରତିଶୃତି ପାଳନ କରନ୍ତୁ ବୋଲି ଶ୍ରମିକ ସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ ଗ୍ରହଣ କରିଥିବାବେଳେ ଦାବିପତ୍ରର ନକଲ କୋରାପୁଟ, ନବରଙ୍ଗପୁର ସାଂସଦ, ଅବିଭକ୍ତ କୋରାପୁଟ ଜିଲାର ସମସ୍ତ ବିଧାୟକ, ବିରୋଧି ଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତାଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରା ଯାଇଥିବା ସଂଘ ସୂଚନା ଦେଇଛି।