Odiapua.com

ସିଟିସ୍କାନ ମେସିନ ଅଚଳକୁ ନେଇ ଅସନ୍ତୋଷ

କୋରାପୁଟ ୦୧-୦୪-୧୯ (ଓଡିଆ ପୁଅ/ରଂଜନ କୁମାର ଦାସ) ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଥିବା ସିଟିସ୍କାନ ମେସିନ୍ ଗତମାସ ୨୭ତାରିଖରୁ ଅଚଳ ହୋଇ ପଡିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଅବିଭକ୍ତ କୋରାପୁଟ ଜିଲାର ରୋଗୀ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଜିଲା ସଦର ମହକୁମା ହସ୍ପିଟାଲରେ ସିଟିସ୍କାନ୍ ମେସିନ୍ କାର୍ଯ୍ୟକାରୀ କରିଥିଲେ। ଜିଲା ହସ୍ପିଟାଲ୍ ଜୟପୁର ସ୍ଥାନାନ୍ତର ପରେ ମଧ୍ୟ ଜନସାଧାରଣଙ୍କ ଆବଶ୍ୟକତାକୁ ଦେଖି ଜିଲା ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ସିଟିସ୍କାନ୍ ମେସିନ୍ କୋରାପୁଟ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପରିସରରେ ରଖି ଗତବର୍ଷ ମଇ ୨୯ରୁ ପିପିପି ମୋଡରେ ରୋଗୀ ସେବା ଯୋଗାଇ ଦେଉଛନ୍ତି। ସ୍ୱନ୍ଦନ ନାମକ ଏକ ଅନୁଷ୍ଠାନ ସହ ମିଳିତ ଭାବେ ମେସିନ୍ ପ୍ରତିଷ୍ଠା କରା ଯାଇ ଲୋକଙ୍କୁ ଏହି ସେବା ସପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆ ଯାଉଥିଲା। କିନ୍ତୁ ଗତ କିଛି ଦିନ ହେଲା ମେସିନ୍ ଖରାପ ହୋଇଥିବାରୁ ଲୋକେ ନାନା ଅସୁବିଧାର ସମୁଖୀନ ହେଉଥିବାବେଳେ ସ୍ଥାନୀୟ ଅଂଚଳରେ କୌଣସି ବିକଳ୍ପ ନଥିବାରୁ ଏଠାକାର ରୋଗୀ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଦୈନିକ କୋରାପୁଟରେ ୧୨-୧୫ଜଣ ରୋଗୀଙ୍କର ସିଟିସ୍କାନ କରା ଯାଇଥାଏ, ମେସିନ୍ ଖରାପ ହେବା ପରଠାରୁ କେତେକ ବ୍ୟକ୍ତି ବିଶାଖାପାଟଣା ଯାଉଥିବାବେଳେ ଅନେକ ରୋଗୀ ଅର୍ଥାଭାବରୁ ସିଟିସ୍କାନ୍ କରାଇ ପାରୁନଥିବା ଜଣା ପଡିଛି। ବିଶାଖାପାଟଣାରେ ସିଟିସ୍କାନ୍ ନିମନ୍ତେ ୨୦୦୦-୨୫୦୦ ଟଙ୍କା ଫିଜ୍ ନେଉଥିବାବେଲେ ଅନ୍ୟାନ୍ୟ ଖର୍ଚ ସହ ପ୍ରାୟ ୧୦ ହଜାର ଟଙ୍କା ଖର୍ଚ ହେଉଥିବା ଜଣା ପଡିଛି। ସିଟିସ୍କାନ ମେସିନ ଖରାପ ହୋଇଥିବା ସତ୍ୱେ ଆଜି ଜଣେ ରୋଗୀ ସଂପର୍କିୟ ଆସି ସ୍କାନ କରିବାକୁ ଡାକ୍ତର କହିଛନ୍ତି ତୁମେ କର ବୋଲି କହିଥିଲେ ଓ ମେସିନ ଖରାପ ହୋଇଥିବା କହିବା ସତ୍ୱେ ମଧ୍ୟ ନ ଶୁଣି ପାଟିତୁଣ୍ଡ କରିଥିଲେ ବୋଲି ସିଟିସ୍କାନ ମେସିନ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରୀ ଅଜିତ କୁମାର ପ୍ରଧାନ ସୂଚନା ଦେଇଥିଲେ। ଏହାପରେ ସେମାନେ ମ୍ୟାନେଜର ଶୁଭେନ୍ଦୁ ପଣ୍ଡାଙ୍କ ପାଖକୁ ଯାଇ ପାଟିତୁଣ୍ଡ କରିଥିଲେ।ମେସିନ ଖରାପ ହୋଇଥିବା କହିଲେ ମଧ୍ୟ ପାଟିତୁଣ୍ଡ କରି ଜିଲ୍ଲାପାଳଙ୍କ ପାଖକୁ ଯିବୁ ବୋଲି ପ୍ରକାଶ କରିଥିଲେ ବୋଲି ମ୍ୟାନେଜର ଶ୍ରୀ ପଣ୍ଡା ସୂଚନା ଦେଇଥିଲେ।ମେସିନର ଟ୍ୟୁବଟି ଖରାପ ହୋଇଯାଇଥିବା ବେଳେ ଆସନ୍ତାକାଲି ବେଙ୍ଗାଲୁରରୁ ମେସିନ ଆସିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ।