Odiapua.com

ସାମାଜିକ ସମୀକ୍ଷା ବୈଠକ- ପଟ୍ଟାଙ୍ଗୀ ବ୍ଲକରେ ୭୨ ଜଣ ହିତାଧିକାରୀଙ୍କ ପେନସନ ଭୂତ ଖାଉଛନ୍ତି

କୋରାପୁଟ ; ତା୦୨-୦୮-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକର ୭୨ ଜଣ ହିତାଧିକାରୀଙ୍କ ପେନସନ ଭୂତ ଖାଉଥିବା ସାମାଜିକ ସମୀକ୍ଷା ବୈଠକରୁ ଜଣାପଡିଛି ।ବ୍ଲକର ଆମ୍ପାବାଲି ,ପେଟ୍ରୁ , ଶୁଙ୍ଗୀ , ରାଲେଗଡା ଓ ତଲଗୋଲୁର ଗ୍ରାମପଚାଂୟତରେ ମନରେଗା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ଉପରେ ସାମାଜିକ ସମୀକ୍ଷା କରାଯାଇଥିଲା ।ଗତ ୨ ବର୍ଷରୁ ୩ ବର୍ଷ ମଧ୍ୟରେ ହିତାଧିକାରୀ ମୃତ୍ୟୁବରଣ କରିଥିଲେ ସୁଦ୍ଧା ସେମାନଙ୍କୁ ପେନସନ ପ୍ରଦାନ କରାଯାଉଥିବା ସମୀକ୍ଷାରୁ ଜଣାପଡିଥିଲା ।ଆମ୍ପାବାଲି ଗ୍ରାମପଚାଂୟତରେ ୧୮ ଜଣ ହିତାଧିକାରୀ ମୃତ୍ୟୁବରଣ କରିଥିଲେ ସୁଦ୍ଧା ପେନସନ ଦିଆଯାଇଥିବା ବେଳେ ତଳଗୋଲୁରର ୫ ,ପେଟ୍ରୁର ୧୩ , ଶୁଙ୍ଗୀର ୮ ଓ ରାଲେଗଡାର ୨୮ ଜଣ ଏହିପରି ୫ଟି ଗ୍ରାମପଚାଂୟତରେ ସମୁଦାୟ ୭୨ ଜଣ ହିତାଧିକାରୀ ମୃତ୍ୟୁବରଣ କରିଥିଲେ ସୁଦ୍ଧା ପେନସନ ପ୍ରଦାନ କରାଯାଉଥିବା ଜଣାପଡିଥିଲା ବୋଲି ବ୍ଲକ ସାମାଜିକ ସମୀକ୍ଷକ ରଘୁରାମ ବାଙ୍କା ସୂଚନା ଦେଇଥିଲେ ।ହିତାଧିକାରୀ ମୃତ୍ୟୁବରଣ କରିଥିଲେ ସୁଦ୍ଧା ସଂପୂକ୍ତ ପଚାଂୟତ ନିର୍ବାହୀ ଅଧିକାରୀ କିପରି ଜାଣିପାରିଲେ ନାହିଁ ତାହା ଏବେ ସନେ୍ଦହ ପ୍ରକାଶ ପାଇଛି ।ଏହି ଅର୍ଥ ସଂପୂକ୍ତ ପଚାଂୟତ ନିର୍ବାହୀ ଅଧିକାରୀଙ୍କଠାରୁ ଆଦାୟ କରିବାକୁ ଦାବି ହେଉଛି ।ସେହିପରି ମନରେଗା କାର୍ଯ୍ୟରେ ମଦ୍ୟ ବ୍ୟାପକ ଅନିୟମିତତା ହୋଇଥିବା ଶ୍ରୀ ବାଙ୍କା ସୂଚନା ଦେଇଥିଲେ ।୫ ଟି ପଚାଂୟତରୁ ମନରେଗା କାର୍ଯ୍ୟରେ ୩୦ ଗୋଟି ଅଭିଯୋଗ ଆସିଥିଲା ବୋଲି ସେ ପ୍ରକାଶ କରିଥିଲେ ।ତଳଗୋଲୁର ଗ୍ରାମପଚାଂୟତର ଚିକାପାରୁ ଗ୍ରାମରେ ୭୦ ହଜାର ଟଙ୍କାର ଫିଲ୍ଡ ଚାନେଲ ,ବୋତ ଗୋଲୁର ଗ୍ରାମରେ ଫିଲ୍ଡ ଚାନେଲ ନିମନ୍ତେ ୬୫ ହଜାର ଟଙ୍କା ,ପେଦାଗୁଡି ଗ୍ରାମରେ ଫିଲ୍ଡ ଚାନେଲ ନିମନ୍ତେ ୪୦ ହଜାର ଟଙ୍କା ଏହିପରି ସମୁଦାୟ ୧ ଲକ୍ଷ ୭୫ ହଜାର ଟଙ୍କାର କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ଶ୍ରମିକନେତାମାନେ ଶ୍ରମିକମାନଙ୍କଠାରୁ ଟଙ୍କା ଆଦାୟ କରିଥିବା ସମୀକ୍ଷା ବୈଠକରେ ଅଭିଯୋଗ ଆସିଥିଲା ବୋଲି ସେ ସୂଚନା ଦେଇଥିଲେ ।୧୫ ଦିନ ମଧ୍ୟରେ ଉକ୍ତ ଟଙ୍କା ଆଦାୟ କରାଯିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ ।ମନରେଗା କାର୍ଯ୍ୟ ୨ ବର୍ଷରୁ ୩ ବର୍ଷ ହେବ ସରିଯାଇଥିଲେ ସୁଦ୍ଧା ସଂପୂକ୍ତ କନିଷ୍ଢ ଯନ୍ତ୍ରୀମାନେ ମେଟେରିଆଲ ବିଲ କରୁ ନ ଥିବା ବୈଠକରେ ଅଭିଯୋଗ ହୋଇଥିଲା ।ଆମ୍ପବାଲି ଗ୍ରାମପଂଚାୟତର ନିର୍ବାହୀ ଅଧିକାରୀ ଭୟରେ ସାମାଜିକ ସମୀକ୍ଷା ବୈଠକରେ ଯୋଗ ଦେଇ ନ ଥିବାରୁ ସଭ୍ୟମାନେ କ୍ଷୋଭ ପ୍ରକାଶ କରିବା ସହ ଉକ୍ତ ଗ୍ରାମସଭାକୁ ବାତିଲ କରି ଅନ୍ୟ ଗୋଟିଏ ତାରିଖରେ ଗ୍ରାମସଭା କରିବାକୁ ନିଷ୍ପତି ନେଇଥିଲେ ବୋଲି ସେ ସୂଚନା ଦେଇଥିଲେ ।ରାଲେଗଡା ଗ୍ରାମପଂଚାୟତରେ ଓଟିଇଏଲପି ଦ୍ୱାରା ୧ ବର୍ଷ ହେବ କାର୍ଯ୍ୟ ଶେଷ ହୋଇଯାଇଥିଲେ ସୁଦ୍ଧା ଶ୍ରମିକମାନେ ଟଙ୍କା ପାଇ ନ ଥିବା ସମୀକ୍ଷା ବୈଠକରୁ ଜଣାପଡିଛି ।ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୈାଦାମିନୀ ପ୍ରଧାନ , ବଜାର ନିୟନ୍ତ୍ରକ ଏସ.ଖରା , ଗ୍ରାମ୍ୟ ସାଧନ କର୍ମୀ ରାଧିକା ତାମାଲ ,ମିତା ବାଉଲି , ରାଧିକା ଦିସାରୀ , ଜମୁବତୀ ଖିଲ , ସୁକଲଦେଇ ଗୁଣ୍ଠା ,ଗାଙ୍ଗେଶ୍ୱରୀ ବାଙ୍କା ପ୍ରମୁଖଙ୍କ ସହ ପଂଚାୟତରାଜ ପ୍ରତିନିଧି ଓ ଗ୍ରାମବାସୀମାନେ ସାମାଜିକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।୫ ଟି ଗ୍ରାମପଂଚାୟତରେ ଯଦି ୭୨ ଜଣ ହିତାଧିକାରୀଙ୍କ ପେନସନ ଭୂତ ଖାଇଦେଲେ ତେବେ ସମୁଦାୟ ବ୍ଲକରେ କେତେଜଣ ହିତାଧିକାରୀ ମୃତ୍ୟୁବରଣ କରିଥିଲେ ସୁଦ୍ଧା ପେନସନ ନେଉଛନ୍ତି ତାହା ଆସନ୍ତା ସାମାଜିକ ସମୀକ୍ଷା ବୈଠକ ପରେ ଜଣାପଡିବ ।ତେବେ ଏଠି ପ୍ରଶ୍ନ ଉଠୁଛି ଏହି ଦୁର୍ନିତିର ଚେର କେତେ ଯାଇ ଲମ୍ବିଛି ତାହା ତଦନ୍ତ ସାପେକ୍ଷ ଅଟେ ବୋଲି ସାଧାରଣରେ ଦାବି ହେଉଛି ।