(ବୁଦ୍ଧି, କର୍ମ ଓ ଭାଗ୍ୟ ମିଳିତ ହେଲେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିହୁଏ)
ବାହାଘର ପାଇଁ ଝିଅର ଉପଯୁକ୍ତ ବୟସ ହୋଇଗଲେ ବାପାମା’ଙ୍କର ଚିନ୍ତା ବଢେ। ଭଲ ବରପାତ୍ର ସହିତ ବାହାଘର ହୋଇଗଲେ ମୁଣ୍ଡରୁ ଚିନ୍ତା ଯାଏ। ଜଣେ ବୁଢ଼ୀମାଉସୀ ନିଜ ଝିଅର ବାହାଘର ପାଇଁ ମଧ୍ୟସ୍ଥିକୁ କହିଥାଏ। କିଛିଦିନ ପରେ ମଧ୍ୟସ୍ଥି ବରପାତ୍ରକୁ ସାଙ୍ଗରେ ନେଇ ବୁଢ଼ୀର ଘରେ ପହଁଚିଲେ। ବାରପାତ୍ରକୁ ଦେଖୁଦେଖୁ ବୁଢ଼ୀ ମନଟା ଭାଙ୍ଗିଗଲା। ସେ ଭାବିଲେ ଝିଅଟି ମୋର କେଡେ ସୁନ୍ଦର, ସୁନ୍ଦରିଆ ଜ୍ୱାଇଁଟି ମିଳିଲେ ଭଲ ହୁଅନ୍ତା। ଏହି ବିଷୟ ମଧ୍ୟସ୍ଥିକୁ କହିବାରୁ ମଧ୍ୟସ୍ଥି କହିଲା ରୂପରୁ କ’ଣ ମିଳିବ ? ପିଲାଟିର ଭଲ ବୁଦ୍ଧି ଅଛି. କେବଳ ଗୁଣବାନ ନୁହେଁ ଭଲ ଚରିତ୍ରବାନ ମଧ୍ୟ, କଥାରେ ଅଛି ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ର ନଥିଲେ ସବୁ ଅସାର। ପିଲାଟିକୁ ଗୁଣ ଆଉ ଚରିତ୍ରରେ କିଛି ବାଛିବାର ନାହିଁ। ମଧ୍ୟସ୍ଥି କଥାରେ ବୁଢ଼ୀ ରାଜି ହୋଇଗଲା। ଝିଅ ଦେଖା ସରିବା ପରେ, ବୁଢ଼ୀ କହିଲା ମୋ ଝିଅ ଆଉ ମୁଁ ଘରେ ଦୁଇ ଜଣ। ଆମ କଥା ବୁଝିବାକୁ କେହି ନାହିଁ, ବଜାରରୁ କିଛି ଆଣିପାରିନି, ତୁମେ ବସ ମୁଁ ଚକୁଳି ପିଠା କରିଦେଉଛି ଖାଇକି ଯିବ। ବରପାତ୍ର ଓ ମଧ୍ୟସ୍ଥି ଗୋଟେ ପରେ ଗୋଟେ ପିଠା ଖାଇ ଥାଳି ସଫା କରିଦେଲେ। ବୁଢ଼ୀ କଅଁଳେଇକି ପଚାରିଲା ଆଉ ପିଠା ଦେବିକି ?’ ବରପାତ୍ର କହିଲା ପିଠା ତ ସରିଯାଇଥିବ? ଆପଣ ତ ସମୁଦାୟ ୭ ଟା ପିଠା କରିଥିଲେ, ଆମେ ତ ସାତଟିଯାକ ଖାଇସାରିଲୁଣି। ଏ କଥା ଶୁଣି ବୁଢ଼ୀ ଆଶ୍ଚର୍ଯ୍ୟ ହେଲା। ବୁଢ଼ୀ ଭାବିଲା ମୁଁ ତ ପିଠା କରୁଥିଲି ରୋଷେଇ ଘରେ, ସେ ତ ଅଲଗା ଘରେ ବସିଥିଲେ, କେମିତି ଜାଣିଲେ ମୁଁ ୭ ଖଣ୍ଡି ପିଠା କରିଛି ବୋଲି ?’ ତା’ମାନେ ବରପାତ୍ର ସାଧାରଣ ନୁହନ୍ତି, ସବୁ ଜାଣିପାରୁଛନ୍ତି, ସେ ସର୍ବଜ୍ଞ। ଏମିତିକା ଜ୍ୱାଇଁକୁ ହାତଛଡା କରିବା ଠିକ୍ ନୁହେଁ। ଚାରିଆଡେ କହିବୁଲିଲେ ଆମର ଭାବି ଜ୍ୱାଇଁ ସର୍ବଜ୍ଞ। ତାଙ୍କ ଘରପାଖର ଲୋକମାନେ ମଧ୍ୟ ଜାଣିଗଲେ ଜ୍ୱାଇଁ ସବୁ ଜାଣିପାରନ୍ତି। ଦିନେ ଜଣେ କୃଷକର ଲଙ୍ଗଳ ଲୁହା ବିଲରେ ହଜିଯାଇଥାଏ। ସେ ଜ୍ୱାଇଁକୁ କହିଲା ଆପଣଙ୍କୁ ସବୁ କଥା ଜଣା ମୋତେ ଟିକେ କୁହନ୍ତୁ ମୋର ଲଙ୍ଗଳ ଲୁହାଟା ବିଲରେ କେଉଁଠି ପଡିଛି ? ତା’ପରେ ଜ୍ୱାଇଁ କହିବା ମୁତାବକ କୃଷକ ଲୁହାଟି ପାଇ ଅତ୍ୟନ୍ତ ଆନନ୍ଦିତ ହେଲା। ତୁଣ୍ଡ ବାଇଦ ସହସ୍ର କୋଷ, ଚାରିଆଡେ ପ୍ରଚାର ହୋଇଗଲା ଜ୍ୱାଇଁ ସର୍ବଜ୍ଞ। ରାଜାଙ୍କ ପାଖରେ ଖବର ପହଂଚିଗଲା ଯେ ଜଣେ ଲୋକ ସବୁ କିଛି ଜାଣିପାରୁଛନ୍ତି, ସେ ସର୍ବଜ୍ଞ। ତା’ପରେ ରାଜା ତାଙ୍କୁ ରାଜଦରବାରକୁ ଡାକି କହିଲେ ତମେ ସର୍ବଜ୍ଞ, ମୁଁ ତୁମର ପରୀକ୍ଷା ନେବାକୁ ଚାହୁଁଛି। ଏବେ କୁହ ମୋ ହାତରେ କ’ଣ ଅଛି ? ଜ୍ୱାଇଁଙ୍କ ଉତ୍ତର ଶୁଣି ରାଜା କହିଲେ ତୁମେ ଠିକ୍ କହିଛ ମୋ ହାତରେ ମଲ୍ଲି ଅଛି। ରାଜା ଖୁସି ହୋଇ କହିଲେ ଏମିତିକା ସର୍ବଜ୍ଞ ଅଛନ୍ତି ବୋଲି ମୁଁ ଆଜି ଜାଣିଲି। ତାଙ୍କର ଯେକୌଣସି ଅସୁବିଧା ଥିବ ସବୁକିଛି ଦୂର କରାଯିବ। ଜ୍ୱାଇଁ ଏତେ ବଡ଼ ସଫଳତା ପାଇଲା ପରେ ବୁଢ଼ୀ ଖୁସି ହୋଇ ପଚାରିଲା ଜ୍ୱାଇଁପୁଅ ମୁଁ ଜାଣିଥିଲି ତମେ ସର୍ବଜ୍ଞ, ହେଲେ ତମେ କେମିତି ସବୁ ଜାଣିପାର ? ଜ୍ୱାଇଁ କହିଲା ମୁଁ ସର୍ବଜ୍ଞ ନୁହେଁ। ବୁଢ଼ୀ କହିଲା ତା’ହେଲେ ତମେ କେମିତି ଚକୁଳି କେତେଟା କହିଦେଲ, କୃଷକର ଲୁହା କେଉଁଠି ହଜିଥିଲା ଜାଣିପାରିଲ, ରାଜାଙ୍କ ହାତରେ ମଲ୍ଲି ଥିଲା ବୋଲି କହିଦେଲ ?
ଜ୍ୱାଇଁ କହିଲା,
ସାତ ଚକୁଳି ଚଉଦ ଚେଁ,
ପଙ୍କ ଚିପି ଚିପି ପାଇଲି ଲୁହା,
ରାଜାଙ୍କ ହାତରେ ମଲି,
ବୁଢ଼ୀ କହିଲା ବାପ ତମେ କ’ଣ କହୁଛ ମୁଁ କିଛି ବୁଝିପାରୁନି ? ଜ୍ୱାଇଁ କହିଲା ପ୍ରଥମେ ଚକୁଳି ରହସ୍ୟ ଶୁଣନ୍ତୁ, ଗୋଟେ ଚକୁଳି ପଡିଲେ ଦୁଇ ଥର ଚେଁ କରି ଶବ୍ଦ ହୁଏ। ଆଣ ପକେଇଲା ବେଳେ ଥରେ ଚେଁ ଓ ଲେଉଟାଇଲା ବେଳେ ଆଉ ଥରେ ଚେଁ ହୁଏ। ମୁଁ ଶୁଣିଲି ସମୁଦାୟ ୧୪ ଚେଁ, ତା’ମାନେ ଆପଣ ୭ଟା ଚକୁଳି କରିଥିଲେ। ପଙ୍କ ଚିପି ଚିପି ପାଇଲି ଲୁହାର ରହସ୍ୟ ହେଉଛି ଯେତେବେଳେ ସେ କୃଷକ କହିଲା ତାର ଲଙ୍ଗଳ ଲୁହା ବିଲରେ ହଜିଛି, ରାତିରେ ମୁଁ ବିଲକୁ ଯାଇ ବହୁ ପରିଶ୍ରମ କରି ପଙ୍କ ଚିପି ଚିପି ଲୁହା ଖୋଜି ପାଇଥିଲି। ସେ ଲୁହାକୁ ବିଲର ଗୋଟେ କଣରେ ପୋତି ଦେଇ ଆସିଥିଲି। ତା’ପରେ କୃଷକକୁ କହିବାରୁ ସେ ଲୁହାଟିକୁ ସେହି ସ୍ଥାନରୁ ପାଇଥିଲା। ରାଜାଙ୍କ ହାତରେ ମଲି (ମଲ୍ଲି) ରହସ୍ୟ ହେଉଛି, ରାଜା ଯେତେବେଳେ ମୋତେ କହିଲେ ତାଙ୍କ ହାତରେ କ’ଣ ଅଛି ? ମୁଁ ଭାବିଥିଲି ମୁଁ ସର୍ବଜ୍ଞ ନୁହେଁ, ଠିକ୍ ଉତ୍ତରଟି କହିପାରିବିନି ତେଣୁ ଆଜି ରାଜାଙ୍କ ହାତରେ ମୃତ୍ୟୁ ସୁନିଶ୍ଚିତ। ଏମିତି ସବୁ ଭାବୁ ଭାବୁ ହଠାତ ମୋ ପାଟିରୁ ବାହାରିଗଲା ରାଜାଙ୍କ ହାତରେ ମଲି। ମୁଁ କହିଲି ମଲି, ରାଜାଙ୍କ ହାତରେ ଥିଲା ମଲ୍ଲି, ତେଣୁ ରାଜା ଜାଣିଲେ ମୁଁ ଠିକ୍ କହିଛି।
ସବୁ ଶୁଣିବା ପରେ ବୁଢୀ କହିଲା ଦୁନିଆରେ କିଛି ଲୋକ କର୍ମକୁ ବିଶ୍ଵାସ କରିଥାନ୍ତି ତ ଆଉ କିଛି ଲୋକ ଭାଗ୍ୟକୁ ବିଶ୍ୱାସ କରନ୍ତି। କିନ୍ତୁ ତମେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଚକୁଳି ସଂଖ୍ୟା କହିପାରିଲ, ପରଶ୍ରମ କରି ଲୁହା ପାଇଲ ଏବଂ ରାଜାଙ୍କ ପ୍ରଶ୍ନର ଉତ୍ତର ଦେଲା ବେଳେ ତୁମ ସହିତ ଭାଗ୍ୟ ଥିଲା। ତେଣୁ ତୁମେ ବୁଦ୍ଧି, କର୍ମ ଓ ଭାଗ୍ୟ ବଳରେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ସଫଳତା ପାଇଲ।
ଡଃ ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା