Odiapua.com

ସରିଲା ବିଜେପୁର ମହାସମର: ଜିତିବା ନେଇ ବିଜେଡି ଓ ବିଜେପିର ଦୃଢୋକ୍ତି

ଭୁବନେଶ୍ୱର ୨୫-୨ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ବହୁ ଚର୍ଚ୍ଚିତ ବିଜେପୁର ଉପ ନିର୍ବାଚନର ମତଦାନ ସରିଛି। ଆସନ୍ତା ୨୮ ତାରିଖ ଦିନ ଗଣତି। ଏବେ ଫଳାଫଳକୁ ନେଇ ଚାଲିଛି ଅଙ୍କ କଷା। ମୁଖ୍ୟତଃ ବିଜେଡି ଓ ବିଜେପି କରୁଛନ୍ତି ଗଣିତ। କେତେ ଭୋଟ ପାଇବେ ଓ କେତେ ଭୋଟରେ ଜିତିବେ। ଏଥିରେ ପଛରେ ପଡି ଯାଇଛି କଂଗ୍ରେସ। କଂଗ୍ରେସ ଏହି ନିର୍ବାଚନରେ ଯେପରି ପ୍ରଦର୍ଶନ କରିବା କଥା ତାହା ଦୃଷ୍ଟି ଗୋଚର ହୋଇ ନଥିଲା। କେବଳ ଉପସ୍ଥାନ ପକାଇଥିଲା କଂଗ୍ରେସ। କଂଗ୍ରେସ ଗଡ କୁହାଯାଉଥିବା ବିଜେପୁର ଏବେ କଂଗ୍ରେସ ବିହୀନ ହୋଇ ଯାଇଛି, ଯାହା ଆମେ ପୂର୍ବରୁ ଉଲ୍ଲେଖ କରିଥିଲୁ। ଏବେ ଫଳାଫଳକୁ ନେଇ ବେଶୀ ଉତ୍ସାହିତ ଶାସକ ବିଜେଡି। ସେଠାରେ ଡେରା ପକାଇ ଥିବା ବିଜେଡି ତୁଙ୍ଗ ନେତା ଏବେ ରାଜଧାନୀ ମୁହାଁ। ସମସ୍ତଙ୍କ ମୁହଁରେ ଗୋଟିଏ କଥା ନିର୍ବାଚନ ଜିତିବା ଥୟ। ଏହି ନେତାମାନଙ୍କ ମତରେ ଆମେ ନିର୍ବାଚନ ପୂର୍ବରୁ ବିଜୟ ଆଶା ଧରି ବିଜେପୁର ଯାଇଥିଲୁ। ଆମର କେବଳ ଗୋଟିଏ ଟାର୍ଗେଟ ଥିଲା ବିଜେପିକୁ ତୃତୀୟ ସ୍ଥାନରେ ରଖିବା। ତାହା ସମ୍ଭବ ହୋଇ ପାରିଲା ନାହିଁ। ଅନେକ ବରିଷ୍ଠ ନେତା ଯେଉଁମାନେ ବିଜେପୁରରେ ବିଭିନ୍ନ ବ୍ଲକ ଦାୟିତ୍ୱରେ ଥିଲେ ସେମାନେଙ୍କ ମୁହଁରୁ ବିଜୟର ମାତ୍ରା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। କିଏ କହୁଛି ୨୭ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ଜିତିବୁ ତ କିଏ କହୁଛି ୨୦ ହଜାରରୁ ଉର୍ଦ୍ଧ୍ୱ। ବିଜେପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବା କିଛି ସ୍ଥାନୀୟ ନେତାଙ୍କ ଆକଳନ ବିଜୟ ବ୍ୟବଧାନ ୩୦ ହଜାରରୁ ଉପରେ। ଯଦି ଏହା ସତ୍ୟରେ ପରିଣତ ହୁଏ ତେବେ ଓଡିଶା ରାଜନିତୀରେ ଏହା ଏକ ବିପ୍ଲବ ସୃଷ୍ଟି କରିବ ଏବଂ ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ପୁନର୍ବାର ୧୦୦ରୁ ଉର୍ଦ୍ଧ୍ୱ ଆସନରେ ବିଜୟୀ ହୋଇ ସରକାର ଗଢିବ ଏଥିରେ ସନ୍ଦେହ ନାହିଁ।

ଅପରପକ୍ଷରେ ବିଜେପିର ନେତାମାନଙ୍କ ମତରେ ଆମେ ବିଜୟୀ ହେବୁ ଏବଂ ଅତି ସ୍ୱଳ୍ପ ବ୍ୟବଧାନରେ ହେବୁ। ସେମାନଙ୍କ ଆକଳନ ୫ ରୁ ୭ ହଜାର ଭିତରେ। କଂଗ୍ରେସ କିନ୍ତୁ କୌଣସି ଟିପ୍ପଣୀ ଦେବା ଅବସ୍ଥାରେ ନାହିଁ। କଂଗ୍ରେସ ମଧ୍ୟ ଭଲ ଭାବରେ ଜାଣିଛି ସେ ତୃତୀୟ ସ୍ଥାନରେ ରହିବ। କେବଳ ଭୋଟର ସଂଖ୍ୟା କେତେ ହେବ ତାହା ଜାଣିବା କଥା। ମତଦାନ ପାଖାପାଖି ୮୨ ପ୍ରତିଶତ ହୋଇଛି। ଯଦି କୌଣସି ନିର୍ବାଚନରେ ଭୋଟ ପ୍ରତିଶତ ବଢେ ତେବେ ସେଠାରେ ଶାସକ ଦଳ କ୍ଷତିରେ ପଢେ ବୋଲି ପୂର୍ବରୁ ଏକ ପରମ୍ପରା ରହିଛି। ମାତ୍ର ଏଠାରେ ଶାସକ ଦଳର ନେତାଙ୍କ ବୟାନ ପୂର୍ବ ସମସ୍ତ ଗାଣିତିକ ସଂକେତକୁ ଓଲଟପାଲଟ କରିଦେବା ଭଳି ଲାଗୁଛି। ରାଜନୈତିକ ବିଶେଷଜ୍ଞ ମଧ୍ୟ ଏହି ନେତାଙ୍କ ବୟାନରେ ଚୁପ୍। ଭୋଟ ପରବର୍ତ୍ତୀ ଅବସ୍ଥା ଏବେ ଯାହା ସେଥିରୁ ସ୍ପଷ୍ଟ ଅନୁମେୟ ବିଜେଡି ଭଲ ସ୍ଥିତିରେ ରହିଛି। ବିଭିନ୍ନ ବର୍ଗର ଲୋକଙ୍କ ମତାମତରୁ ଏହା ସ୍ପଷ୍ଟ ଅନୁମେୟ। ବିଜେପୁର ବ୍ଲକରେ ବିଜେଡି ଆଗୁଆ ରହିବ। ଏପରିକି ସନ୍ଦେହ କରାଯାଉଥିବା ବରପାଲି ବ୍ଲକ ଓ ଏନ୍ଏସିରେ ମଧ୍ୟ ବିଜେଡି ସନ୍ତୋଷଜନକ ସ୍ଥିତିରେ ରହିବ। ଖାଲି ବାକି ରହିଲା ଗାଇସିଲଟ୍ ବ୍ଳକ। ଏହି ବ୍ଳକ ହେଉଛି କଂଗ୍ରେସ ପ୍ରାର୍ଥି ପ୍ରଣୟ ସାହୁଙ୍କ ଘର। ସେଠାରେ ଯେଉଁ ଦଳ ଆଗୁଆ ରହିବ ସିଏ ନିଶ୍ଚିତ ଭାବରେ ଫଳାଫଳ ଉପରେ ଭାରି ପଡିବ ଏଥିରେ ସନ୍ଦେହ ନାହିଁ। ଏହି ବ୍ଲକରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ନିର୍ବାଚନ ପ୍ରଚାର ଅତି ଦମ୍ଦାର ଥିଲା। ମାତ୍ର ଏହି ବ୍ଲକରେ ଗୋଟିଏ କଥା ଶୁଣିବାକୁ ମିଳୁଛି। ତାହା ହେଉଛି କଂଗ୍ରେସ ପ୍ରାର୍ଥିଙ୍କ ପଟ୍ଟପରିବର୍ତ୍ତନ। କଂଗ୍ରେସ ପ୍ରାର୍ଥି ହେଉଛନ୍ତି କୁଲତା ସମାଜର। ତା ଛଡା କଂଗ୍ରେସର ମୂଳ ଭୋଟରଙ୍କ ସଂଖ୍ୟା ଏଠାରେ ଅନ୍ୟ ଦୁଇ ବ୍ଲକ ତୁଳନାରେ ଅଧିକା। ଶୁଣିବାକୁ ମିଳୁଛି କଂଗ୍ରେସ ପ୍ରାର୍ଥି ଆଉ କୌଣସି ଉପାୟ ନପାଇ ତାଙ୍କ ସମର୍ଥକ ଓ କଂଗ୍ରେସ ଭୋଟରଙ୍କୁ ବିଜେପି ସପକ୍ଷରେ ଭୋଟ ଦେବା ପାଇଁ ଶେଷ ମୁହୂର୍ତ୍ତରେ ଅନୁରୋଧ କରିଥିଲେ। ଏହା ସତ୍ୟ ହୋଇ ଥାଇ ନପାରେ। ମାତ୍ର ଯଦି ସତ୍ୟ ହୋଇଥାଏ ତେବେ ଫଳାଫଳ ସବୁ ପୁର୍ବାନୁମାନକୁ ଓଲଯାଇ ଦେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ବିଜେଡି ନେତାମାନେ ଜୋର ଦେଇ କହୁଛନ୍ତି ଆମେ ସବୁ ବ୍ଲକରେ ଭୋଟରଙ୍କୁ ବିଭିନ୍ନ ମାଧ୍ୟମରେ ପ୍ରଲୋଭିତ କରିବାରେ ସଫଳ ହୋଇଛୁ। ବିଜେପି ନେତାଙ୍କର ମଧ୍ୟ ସମାନ ବୟାନ। ମାତ୍ର ସ୍ଥାନୀୟ ନେତାଙ୍କର ମତାମତ କିନ୍ତୁ ଭିନ୍ନ। ସେମାନଙ୍କ ମତରେ ଦୁଇ ଦଳ ଯାହା କହୁଛନ୍ତି ତାହା ସତ୍ୟ। ମାତ୍ର ଭୋଟରଙ୍କ ମାନସିକ ସ୍ଥିତିକୁ ଏମାନେ ପରଖିବାରେ ଭୁଲ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ନିର୍ବାଚନ ପୂର୍ବରୁ ବିଜେପୁର ବାସିନ୍ଦା କାହାକୁ ଭୋଟ୍ ଦେବେ କହୁନଥିଲେ। ଏବେ ଭୋଟ୍ ଦେବା ପରେ ମଧ୍ୟ କାହାକୁ ଭୋଟ୍ ଦେଇଛନ୍ତି କହୁ ନାହାଁନ୍ତି। ଏଭଳି ସ୍ଥିତିରେ ସେଠାକାର ରାଜନୀତି ମାହୋଲ୍ରେ ଏକ ଚର୍ଚ୍ଚା ଜୋର୍ ଧରିଛି। ତାହା ହେଉଛି ଅଣ୍ଡର କରେଣ୍ଟ। ଏଭଳି ଏକ ପରିସ୍ଥିତିର ଅଭାସ ମିଳୁଛି ବର୍ତ୍ତମାନ ସମୟରେ ବିଜେପୁର ନିର୍ବାଚନମଣ୍ଡଳୀରେ। ଯଦି ଅଣ୍ଡର କରେଣ୍ଟ କାମ ଦିଏ ତେବେ ଫଳାଫଳ ଭିନ୍ନ ରୂପ ଧାରଣ କରିବ।

ଫଳାଫଳକୁ ନେଇ ରାଜନୈତିକ ବୟାନବାଜୀ ରହିବା ଗଣତନ୍ତ୍ରର ପରମ୍ପରା। ମାତ୍ର ଶାସକ ଦଳର ତୁଙ୍ଗ ନେତାଙ୍କ ବୟାନବାଜୀ ଗ୍ରହଣୀୟ ହେଉନାହିଁ ବିଜେପୁରବାସୀଙ୍କ ମଧ୍ୟରେ। ରାଜନୀତିରେ ରୁଚି ରଖୁଥିବା କିଛି ବୟସ୍କ ବିଜେପୁରବାସୀଙ୍କ ମତରେ ଆମେ ଦୀର୍ଘ ବର୍ଷ ଧରି ଏହି ଅଂଚଳ ରାଜନୀତି ସହିତ ଜଡିତ। ଅନେକ ନିର୍ବାଚନ ଦେଖିଛୁ। ମାତ୍ର ରାଜଧାନୀରୁ ଆସିଥିବା ଏହି ଦୁଇ ଦଳର ନେତାଙ୍କ ଅଙ୍କକଷା ଆମକୁ ଆଶ୍ଚର୍ଯ୍ୟ ଲାଗୁଛି।