Odiapua.com

ସମ୍ପର୍କ : ଏକ ମନୁଷ୍ୟକୃତ ସାମାଜିକ ବନ୍ଧନ (୨)

ଅନେକ ସମୟରେ ଏକ ତରଫା ସମ୍ପର୍କ ଦେଖିବାକୁ ମିଳେ ସମାଜରେ ଯାହା ହୁଏତ ମୋହର ପରିଣତି ହେଉ କିମ୍ବା ପ୍ରେମର ପାଗଳାମି। ମୋହରେ କାହାପ୍ରତି ପ୍ରଗାଢ଼ ଆନ୍ତରିକ ଭାବ ପ୍ରଦର୍ଶନ କରିବା କେବଳ ସନ୍ତାନ ପ୍ରତି ପିତାମାତାଙ୍କ ରହିଥାଏ। ଆଉ କେତେବେଳେ ବିପରୀତ ଲିଂଗି ପ୍ରେମର ଏକତରଫା ସମ୍ପର୍କ ଦେଖିବାକୁ ମିଳିଥାଏ ତ କେତେବେଳେ ଆନ୍ତରିକ ମାନ୍ୟତା କାରଣରୁ ଏକତରଫା ସମ୍ପର୍କ ଦେଖିବାକୁ ମିଳିଥାଏ। ଯାହା ହେଉ ଏହି ଏକ ତରଫା ସମ୍ପର୍କ ମଣିଷକୁ କେବେହେଲେ କୌଣସି ସୂତ୍ରରେ ସୁଖ, ଆନନ୍ଦ ପ୍ରଦାନ କରିବାରେ ସମର୍ଥ ହୁଏ ନାହିଁ। କାରଣ ଏକ ତରଫା ସମ୍ପର୍କର କୌଣସି ତରଙ୍ଗ ଦ୍ୱିତୀୟ ବ୍ୟକ୍ତି ପାଖରେ ପହଂଚିବା ସମ୍ଭାବନା ଅତ୍ୟନ୍ତ କ୍ଷୀଣ ହୋଇଥାଏ। ତେଣୁ ଏକତରଫା ସମ୍ପର୍କ ସ୍ଥାପନ କରୁଥିବା ମଣିଷ ସର୍ବଦା ଦୁଃଖୀ ହୋଇଥା’ନ୍ତି। ନିରୋଳା, ନିଷ୍ପାପ ଚିଂତନରୁ ଉଦ୍ଧୃତ ଆଶା ଶୂନ୍ୟ ଆନ୍ତରିକ ସ୍ନେହ ଜଡିତ ମନୋଭାବରୁ ଗଠିତ ସମ୍ପର୍କ ଚିରସ୍ଥାୟୀ ଏବଂ ଆମରଣ ସମ୍ପର୍କ ହୋଇଥାଏ। ଉପର ଦେଖାଣିଆ ଭିତରେ କଳୁଷିତ ଭାବଧାରା ରଖି ଗଢି ଉଠିଥିବା ସମ୍ପର୍କର ସଜ୍ଞା ଉଭୟଙ୍କୁ ସଠିକ ମାତ୍ରାରେ ଅନୁଭୂତ ହୋଇଥାଏ ଯାହାର ସ୍ଥଳ ବିଶେଷକୁ ନେଇ ଆନୁପାତିକ ଆଦାନ ପ୍ରଦାନ ହୋଇଥାଏ। ଏମିତି କିଛି ସମ୍ପର୍କ ମଧ୍ୟ ଦେଖିବାକୁ ମିଳେ ସମାଜରେ ଯେ ମୁହଁରେ ପ୍ରସଂଶା କରି ପଛରେ ନିନ୍ଦା କରୁଥିବା ଭଳି ରକ୍ତ ସମ୍ପର୍କ ହେଉକି ବନ୍ଧୁ ସମ୍ପର୍କର ଭାବ କିଛି ନିଆରା ରହିଥାଏ। ସେହିଭଳି ସମ୍ପର୍କରେ ଏକ ଈର୍ଷାତ୍ମକ ମନୋଭାବ ଦେଖିବାକୁ ମିଳେ। କୌଣସି କାରଣରୁ ନିଜଠାରୁ ନିଜ ନିକଟତମଙ୍କୁ ଊର୍ଦ୍ଧ୍ୱରେ ରହିଥିବା ଦେଖି ଏହିଭଳି ସମ୍ପର୍କ ସ୍ଥାପନ ହୋଇଥାଏ। ତାହାର ପରିଣାମ, ସମୟରେ ଅତ୍ୟନ୍ତ ଭୟାନକ ହୋଇଥାଏ ଯାହା ବର୍ଜନୀୟ ସୁନିଶ୍ଚିତ। ନତୁବା ଖସଡ଼ାର କେଉଁ ସ୍ତରରେ ନେଇ ପହଂଚାଇବ ସେହିଭଳି ସମ୍ପର୍କ ବୁଝିବା କ୍ଷମତା ବହିର୍ଭୁତ ହୋଇଥାଏ ସାଧାରଣ ମଣିଷଙ୍କ।

ଅନୁରୂପ ଆହୁରି ଅନେକ ପ୍ରକାର ସମ୍ପର୍କ ଦେଖିବାକୁ ମିଳେ ମଣିଷ ସମାଜରେ ଯାହାସବୁ ଏତେ କମ ବିଷୟ ମଧ୍ୟରେ ସମୀକ୍ଷା କରିବା ସମ୍ଭବ ନୁହେଁ। କି’ନ୍ତୁ ସଂସାରର ସବୁ ସମ୍ପର୍କ ମଧ୍ୟରେ ସବୁଠାରୁ ଶକ୍ତ ଏବଂ ଦୁର୍ବଳ ସମ୍ପର୍କ ବିଷୟରେ ସମୀକ୍ଷା କରି ଦେଖିଲେ ଜାଣିହେବ ଯେ ସନ୍ତାନ ହେଉଛି ଜନ୍ମଦାତ୍ରୀଙ୍କ ଏକ ଅବିଛେଦ୍ୟ ଅଙ୍ଗ ଯାହା ସେ ନିଜ ଶରୀର ମଧ୍ୟରୁ ଉତ୍ପନ୍ନ କରିଥାଏ ଏବଂ ନିଜ ଶରୀରର ପୋଷଣରେ ବଡ଼ କରିଥାଏ ଶିଶୁଟିକୁ। ଅର୍ଥାତ ଅଜ୍ଞାନ ନବଜନ୍ମିତ ଜନ୍ମଦାତ୍ରୀର ଗୋଟିଏ ଅଙ୍ଗ ବୋଲି ସ୍ୱଜ୍ଞାନରେ ଜାଣିନଥିଲେ ମଧ୍ୟ ତାର ଅନାବିଳ ପ୍ରେମର ମୋହରେ ଏମିତି ଏକ ବନ୍ଧନ ସୃଷ୍ଟି ହୋଇଥାଏ ଯେ କୌଣସି ମଣିଷ ଜ୍ଞାନ ପାଇବା ପରେ ତା’ ମା’ ସହିତ ମନାନ୍ତର ଭାବ ପୋଷଣ କରିବା କଷ୍ଟକର ହୋଇପଡେ ! ତେଣୁ ସଂସାରର ସବୁଠାରୁ ଶକ୍ତ ସମ୍ପର୍କ ସୃଷ୍ଟି ହୋଇଥାଏ ଜନ୍ମଦାତ୍ରୀ ଏବଂ ସନ୍ତାନ ମଧ୍ୟରେ। କି’ନ୍ତୁ ସମୟ ଚକ୍ରରେ ବେଳେବେଳେ କିଛି ମଣିଷଙ୍କ ଜନ୍ମଦାତ୍ରୀ ପ୍ରତି ସୃଷ୍ଟି ହେଉଥିବା ମନାନ୍ତର ଭାବ ଦେଖିବାକୁ ମିଳେ ସମାଜରେ ଯାହାଙ୍କୁ ଆମେ ଏକ ରକମ ବାଚଳ ପାଗଳ ବୋଲି କହି ପାରିବା। ସଂସାରର ସବୁଠାରୁ ଦୁର୍ବଳ ସମ୍ପର୍କ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ରହିଥାଏ ବୋଲି କହିବା ଏକ ଜଟିଳ ଅସମୀଚୀନ ବିଷୟ ହୋଇପାରେ, କାରଣ ସାଧାରଣ ନିର୍ବୋଧ ମଣିଷ ତାକୁ ଗ୍ରହଣ କରିବାରେ ଅସମର୍ଥ ରହିପାରନ୍ତି। ସ୍ତ୍ରୀ ମୋହରେ ପୁରୁଷ ଏମିତି ଏକ ବନ୍ଧନରେ ବାନ୍ଧି ହୋଇ ରହିଥା’ନ୍ତି ବିବାହ ପରେ ଯେ ତାକୁ ବୁଝିବା କ୍ଷମତା ରଖିନଥା’ନ୍ତି ସାଧାରଣ ମଣିଷ। କି’ନ୍ତୁ କଥାରେ ଅଛି ନାରୀ ମାୟା, ନଈ ପାଣି ବ୍ରହ୍ମା ନପାରିଲେ ଜାଣି ! ତେଣୁ ସାଧାରଣ ମଣିଷ ଅବା ବୁଝିବେ କାହୁଁ ଯେ ନାରୀ ମାୟାରେ ଯେଉଁ ବନ୍ଧନରେ ସେମାନେ ବାନ୍ଧି ହୋଇ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ସ୍ଥାପନ କରିଥା’ନ୍ତି ତାହାର ମହତ୍ୱ କେତେ….! କି’ନ୍ତୁ ଏହା ସତ୍ୟ ଯେ ଉପର ଶକ୍ତ ସମ୍ପର୍କର ଭିତର ଦୁର୍ବଳ ଅବସ୍ଥାରେ ରହିବା ଏକ ସ୍ୱାଭାବିକ ଅବସ୍ଥା ଦେଖିବାକୁ ମିଳିବ ଉପଯୁକ୍ତ ସମୀକ୍ଷା କଲେ। ଏମିତି ହେବାର କାରଣ କ’ଣ ବିଚାରକୁ ନେଲେ ଜାଣିହେବ ଯେ ଯେତେବେଳେ ଦୁଇ ସମ୍ପର୍କ ମଧ୍ୟରେ ଜୀବନର ସବୁକିଛି ସମ୍ପୂର୍ଣ୍ଣ ଉନ୍ମୁକ୍ତ ଅବସ୍ଥାକୁ ଚାଲିଆସେ ସେଇଠି ଉଭୟ ଉଭୟଙ୍କ ଅନ୍ତର୍ନିହିତ ଗୁଣ, ଚରିତ୍ର ଗୁଡିକୁ ଅତ୍ୟନ୍ତ ସମୀପରୁ ଦେଖି, ଅନୁଭବ କରି କେତେକ ମାନସିକ ଆନ୍ଦୋଳିତ ଭାବାବେଗ ସୃଷ୍ଟି କରିଥାଏ ମନରେ ଯାହା ସେମାନଙ୍କ ସମ୍ପର୍କକୁ ଦୁର୍ବଳ କରିବାରେ ଯଥେଷ୍ଟ କ୍ରିୟାଶୀଳ ହୋଇଥାଏ। ଅର୍ଥାତ ସମ୍ପର୍କ ମଧ୍ୟରେ ଅତ୍ୟନ୍ତ ଖୁଲାସା ହେବାଦ୍ୱାରା ଉଭୟଙ୍କ ସମ୍ପୂର୍ଣ୍ଣ ବ୍ୟବହାରିକ, ଚାରିତ୍ରିକ ବିଚାରଧାରା ଗୁଡିକୁ ଅନୁଭବ କରିବା ପରେ କିଛି ଅନାସକ୍ତ ମନୋଭାବ ସୃଷ୍ଟି ହେବା ମଣିଷର ଏକ ପ୍ରାକୃତିକ ଲକ୍ଷଣ ଯଦି ସେଗୁଡିକ ନିଜକୁ ଭଲ ନଲାଗିଲା। ଆଉ ଦୁଇଟି ମା’ର ଦୁଇଟି ସନ୍ତାନ ମଧ୍ୟରେ ବିଚାରଧାରାରେ ପାର୍ଥକ୍ୟ ରହିବା ଅତ୍ୟନ୍ତ ସ୍ୱାଭାବିକ କଥା ଯାହା ସେମାନଙ୍କ ନିଜ ନିଜ ଜିନ୍ ଗତ ହୋଇଥାଏ। ତେଣୁ ସମୟ କ୍ରମରେ ସେଗୁଡିକର ବେତାଳ ବିଚାର, ସମ୍ପର୍କକୁ ଦୁର୍ବଳ କରିଥାଏ। ଏମିତି ୯୯ କ୍ଷେତ୍ରରେ ହେବା ସ୍ୱାଭାବିକ, ହୁଏତ ୧ ସେଇଥିରୁ ବାଦ୍ ପଡି ପାରନ୍ତି କେଉଁ ସମୟରେ ଯାହା ଅତ୍ୟନ୍ତ ବିରଳ ଦେଖିବାକୁ ମିଳିବ।

ଗୋଟିଏ ଉଦାହରଣ ନେଇ ବିଚାର କଲେ ଜାଣିହେବ ଯେ ପୁରୁଷ ପ୍ରାଧାନ୍ୟତା ବିଚାର ପ୍ରାୟତଃ ସବୁ ମଣିଷଙ୍କ ମନରେ ରହିଥାଏ ଅନ୍ତତଃ ନିଜ ସ୍ତ୍ରୀ ପାଖରେ। ତେଣୁ ପ୍ରତ୍ୟେକ ସମୟରେ ନିଜ ସ୍ତ୍ରୀ ପାଖରେ ପୁରୁଷ ନିଜର ବଡ଼ିମା ଦେଖାଇବା ପାଇଁ ପ୍ରୟାସ କରିଥା’ନ୍ତି। ଠିକଣା ସମୟରେ ସ୍ତ୍ରୀ ସ୍ୱାମୀଙ୍କ କଥାରେ ସହମତି ପ୍ରକାଶ କରିବାରେ କୁଣ୍ଠାବୋଧ କରୁଥିଲେ ମଧ୍ୟ ମୁହଁରେ ସ୍ୱୀକାର କରି ମନ ମାନସରେ ସେ କଥାକୁ ଅଗ୍ରାହ୍ୟ କରିଥା’ନ୍ତି। କାରଣ ସେ ନିଜ ସ୍ୱାମୀକୁ ହେୟଜ୍ଞାନ କରି କିଛି ଜାଣିନାହାନ୍ତି ବୋଲି ଭାବୁଥିବା ଏକ ସାଧାରଣ ସାମାଜିକ ବିଭୀଷିକା ଆଜି ସମୟର। ସ୍ୱାମୀଙ୍କ କଥାକୁ ଅଗ୍ରାହ୍ୟ କରି ଅନ୍ୟ କାହାର କଥାକୁ ଗ୍ରହଣ କରୁଥିବା ସ୍ତ୍ରୀଙ୍କ ଭାବଧାରରେ ପୁରୁଷ କ୍ଷୁବ୍ଧତା ଅନୁଭବ କରୁଥିଲେ ମଧ୍ୟ ଚୁପ ରହିଥା’ନ୍ତି ପରିପାର୍ଶ୍ୱିକ ପରିସ୍ଥିତିକୁ ଅନୁଧ୍ୟାନ କରି ନିଜର ସମ୍ମାନ ରକ୍ଷା କରିବା ପାଇଁ। କି’ନ୍ତୁ ଏହି ମନାନ୍ତର ଭାବ ସେମାନଙ୍କ ଆନ୍ତରିକ ସମ୍ପର୍କକୁ ଦୁର୍ବଳ କରିବାରେ ଲାଗିଥାଏ ସମୟ କ୍ରମରେ। ସାଧାରଣତଃ ସବୁ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଅତ୍ୟନ୍ତ ନିକଟରୁ ଜାଣିବା ପରେ ଏହିଭଳି ହେୟଜ୍ଞାନ ମନୋଭାବ ସୃଷ୍ଟି ହୋଇଥାଏ ସେମାନଙ୍କ ମନରେ କେବଳ ନିର୍ବୋଧତା ହେତୁ। ସେମାନଙ୍କ ଅପରିଣାମଦର୍ଶି କ୍ଷୀଣ ବିଚାର, ଦୂର ସମ୍ପର୍କ କିମ୍ବା ପାରିପାର୍ଶ୍ୱିକ ମିଥ୍ୟାବାଦୀ ମଣିଷଙ୍କ ପ୍ରତି ଯଥେଷ୍ଟ ଆକର୍ଷଣ ସୃଷ୍ଟି କରୁଥିବା ବେଳେ ସବୁବେଳେ ନିଜ ପାଖରେ ରହି ଦେହଘସଡା ସ୍ୱାମୀଙ୍କ ପ୍ରତି ଏକ ରକମ ଅନାଦର ଭାବ ସୃଷ୍ଟି କରିଥା’ନ୍ତି ମନରେ, କି’ନ୍ତୁ ବାହ୍ୟରେ ନୁହେଁ ! (କ୍ରମଶଃ)

ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଂଜାମ

ସମ୍ପର୍କ : ଏକ ମନୁଷ୍ୟକୃତ ସାମାଜିକ ବନ୍ଧନ (୧)