Odiapua.com

ଷ୍ଟାଫନର୍ସଙ୍କୁ ଦୁର୍ବ୍ୟବହାର ନେଇ ନର୍ସମାନେ ଧାରଣାରେ ବସିଲେ: ପ୍ରତିଶୃତି ପାଇଲା ପରେ ଧାରଣାରୁ ଓହରିଲେ

କୋରାପୁଟ ୧୫-୦୭-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଷ୍ଟାଫନର୍ସଙ୍କୁ ରୋଗୀ ସଂପର୍କିୟ ର୍ଦୁବ୍ୟବହାର କରିଥିବା ଅଭିଯୋଗ କରି ସମସ୍ତ ଷ୍ଟାଫନର୍ସମାନେ ହସପିଟାଲ ବାରଣ୍ଡାରେ ଧାରଣାରେ ବସିଥିଲେ ଓ ପ୍ରତିଶୃତି ପାଇଲା ପରେ ଧାରଣାରୁ ଓହରିଯାଇଥିବା ଜଣାପଡିଛି। ଗତକାଲି ରାତ୍ରୀରେ ସର୍ଜରୀ ୱାର୍ଡରେ କାର୍ଯ୍ୟରତ ଷ୍ଟାଫନର୍ସଙ୍କୁ ରୋଗୀ ସଂପର୍କିୟ ଓ ୨ ଜଣ ପୋଲିସ ର୍ଦୁବ୍ୟବହାର କରିଥିବା ଅଭିଯୋଗ କରି ହସପିଟାଲର ପ୍ରଶାସନିକ ଅଧିକାରୀ ମଧୁମିତା ନାୟକଙ୍କୁ ମିଶିବାକୁ ଯାଇଥିଲେ। କିନ୍ତୁ ୩ ଜଣ ଷ୍ଟାଫନର୍ସ ମିଶିବାକୁ କହିଥିଲେ ବୋଲି ପୁରୁଷ ଷ୍ଟାଫନର୍ସ ମାନସ କୁମାର ବାରିକ ସୂଚନା ଦେଇଥିଲେ। ଏହାପରେ ନର୍ସମାନେ ଏକତ୍ରୀତ ହୋଇ ସମସ୍ତ ୱାର୍ଡରେ କାର୍ଯ୍ୟରତ ନର୍ସମାନଙ୍କୁ ଡାକିଆଣି ଧାରଣାରେ ବସିଥିଲେ। ପ୍ରଶାସନିକ ଅଧିକାରୀ ଅଣଦେଖା କରିଥିବା ଶ୍ରୀ ବାରିକ ଅଭିଯୋଗ କରିଥିଲେ। ଏ ସଂପର୍କରେ ପ୍ରଶାସନିକ ଅଧିକାରୀ କୌଣସି ପ୍ରତିକ୍ରୀୟା ଦେଇ ନ ଥିଲେ। ନର୍ସମାନେ ଧାରଣାରେ ବସିବାରୁ ହସପିଟାଲର ବିଭିନ୍ନ ୱାର୍ଡରେ ଏକ ପ୍ରକାର ଅଚଳ ଅବସ୍ଥା ଦେଖାଦେଇଥିଲା। ପ୍ରାୟ ୨ ଘ.ପରେ ହସ୍ପିଟାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କୋରାପୁଟ ଏସଡିପିଓ ଟି.ଜଗନ୍ନାଥ ରେଡ୍ଡି, ଟାଉନାଥାନା ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଛତ୍ରୀଆ, ପୋଲିସ ଆରଆଇ ସୁବାସ ଚନ୍ଦ୍ର ନାୟକ, ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଧ୍ୟକ୍ଷ ଡାକ୍ତର କୃଷ୍ଣଚନ୍ଦ୍ର ବିଶ୍ୱାଲ, ଭାରପ୍ରାପ୍ତ ହସପିଟାଲ ଅଧିକ୍ଷକ ଡାକ୍ତର ବିଜୟ କୁମାର ଷଡଙ୍ଗୀ, ପ୍ରଶାସନିକ ଅଧିକାରୀ ମଧୁମିତା ନାୟକ ପ୍ରମୁଖ ଆଲୋଚନା କରିଥିଲେ। ଏହାପରେ ଆନ୍ଦୋଳନରତ ନର୍ସମାନଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟରତ ଷ୍ଟାଫନର୍ସଙ୍କ ସୁରକ୍ଷା ନିମନ୍ତେ ପୋଲିସ ବ୍ୟବସ୍ଥା ସୁଦୃଢ କରାଯିବା ସହ କଲେଜ ପ୍ରଶାସନ ତରଫରୁ ମଧ୍ୟ ସୁରକ୍ଷା କଡାକଡି କରାଯିବ ବୋଲି କୁହାଯାଇଥିଲା ବୋଲି କୋରାପୁଟ ଏସଡିପିଓ ଶ୍ରୀ ରେଡ୍ଡି ସୂଚନା ଦେଇଥିଲେ। ଗତକାଲି ରାତ୍ରୀର ଘଟଣାରେ କେଉଁମାନେ ସଂପୃକ୍ତ ତାହା ସିସିଟିଭିରୁ ଯାଞ୍ଚ କରିବାପରେ ଦୃଢ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି କହିବା ପରେ ଷ୍ଟାଫନର୍ସମାନେ ଧାରଣାରୁ ଓହରି କାର୍ଯ୍ୟରେ ଯୋଗଦେଇଥିଲେ। ହସପିଟାଲକୁ ଆସୁଥିବା ପରିଦର୍ଶକ ପାସ କରାଯାଉ ନ ଥିବାରୁ ଏଭଳି ଆଉସୁବିଧା ବାରମ୍ବାର ହେଉଥିବା ପୁରୁଷ ନର୍ସ ଚନ୍ଦ୍ରମଣି ନନ୍ଦ ପ୍ରକାଶ କରିଥିଲେ।ଏ ସଂପର୍କରେ ହସପିଟାଲ ମ୍ୟାନେଜର ଓ ଅଧିକ୍ଷକଙ୍କୁ ବାରମ୍ବାର ଜଣାଇବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଟାନ ନେଇ ନ ଥିବାରୁ ଅନେକ ଅସୁବିଧା ହେଉଥିବା ସେ ସୂଚନା ଦେଇଥିଲେ।

ଗତକାଲିର ଘଟଣାକୁ ନେଇ ଷ୍ଟାଫନର୍ସମାନେ ଆନ୍ଦୋଳନ କରିବାକୁ ଏକତ୍ରୀତ ହେଉଥିବା ବେଳେ କିପରି ହସପିଟାଲ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ ତାହା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ହସପିଟାଲ ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇ କୋରାପୁଟରେ ନ ଥିବାରୁ ନର୍ସମାନେ ପ୍ରଶାସନିକ ଅଧିକାରୀଙ୍କୁ ମିଶିବାକୁ ଯାଇଥିଲେ ସେ କାହିଁକି ମିଶିଲେ ନାହିଁ ଓ ଧାରଣାସ୍ଥଳକୁ ଯାଇ ସମସ୍ୟା ସମାଧାନ ସଂପର୍କରେ ଆନ୍ଦୋଳନରତ ନର୍ସମାନଙ୍କ ସହ କାହିଁକି ଆଲୋଚନା କଲେ ନାହିଁ ତାହ ଏବେ ବଡ ପ୍ରଶ୍ନ ହୋଇଛି।