Odiapua.com

ଶେଷ ପର୍ଯ୍ୟାୟରେ ନିର୍ବାଚନୀ ପ୍ରଚାର

କୋରାପୁଟ ୦୮-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ) ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ଆଉ ମାତ୍ର ତିନିଦିନ ରହିଥିବାବେଳେ ମଙ୍ଗଳବାର ଅପରାହ୍ନ୍ନରେ ପ୍ରଚାର ସମୟ ଶେଷ ହେଉଥିବାରୁ ସବୁ ରାଜନୈତିକ ଦଳ ସାଧାରଣ ସଭା, ହାଟ ପ୍ରଚାର ଓ ରୋଡ୍ ସୋରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି। ଗତକାଲି କୋରାପୁଟ, ସେମିଲିଗୁଡାର ରବିବାର ସାପ୍ତାହିକି ହାଟରେ କଂଗ୍ରେସ୍, ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି, ବିଏସପି ସମେତ ଅନ୍ୟାନ୍ୟ ପ୍ରାର୍ଥୀ ମାନେ ଜୋରଦାର ପ୍ରଚାର କରିବା ସହ ସାଧାରଣ ସଭା କରି ନିଜ ଦଳର ଆଭିମୁଖ୍ୟ ସ୍ୱଷ୍ଟ କରିଛନ୍ତି। ବିଜେଡିର କାଳିଆ, ଟଙ୍କିକିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମମତା ଯୋଜନା, ମହିଳା ସଶକ୍ତି କରଣର ପ୍ରଚାରକୁ କଂଗ୍ରେସର କୃଷିରୁଣ ଛାଡ, ଗରିବ ପରିବାରକୁ ବର୍ଷକୁ ୭୨ ହଜାର ଟଙ୍କା, ମନରେଗାରେ ୧୫୦ ଦିନ କାମ ଟକ୍କର ଦେଉଥିବାବେଳେ ଭାରତୀୟ ଜନତା ପାର୍ଟି ଉଜ୍ଜାଲା ଯୋଜନା, ବେକାରୀଙ୍କୁ ନିଯୁକ୍ତି ପ୍ରମୁଖ ମୁଦ୍ଦା ନେଇ ପ୍ରଚାର ଚଳାଇଛି। ତେବେ ନେତାଙ୍କ ପାଖେ ସମୟ କମ୍ ଥିବାରୁ ଦଳୀୟ କର୍ମୀ ପ୍ରାର୍ଥୀଙ୍କୁ ନେଇ ବିଭିନ୍ନ ଗାଁ ଓ ସହରରେ ରୋଡ୍ ସୋ କରି ପ୍ରଚାର କରୁଥିବା ଦେଖିବୂାକୁ ମିଳିଛି। ବିଜେଡି ପ୍ରାର୍ଥୀ ରଘୁରାମ ପଡାଲ ଘରଘର ବୁଲି ପ୍ରଚାର କରୁଥିବାବେଳେ ବିଜେପି ପ୍ରାର୍ଥୀ ତ୍ରିପୁରା ଗରଡା ମଧୟ ଜୋରଦାର ପ୍ରଚାର ଚଳାଇଛନ୍ତି। ତେବେ କଂଗ୍ରେସ ପ୍ରାର୍ଥୀ କୃଷ୍ନ କୂଳଦୀପ ସ୍ଥାନୀୟ ନେତା ଓ ଦଳୀୟ କର୍ମୀଙ୍କୁ ନେଇ ପ୍ରତି ଗାଁରେ ପହଂଚୁଥିବା ଦେଖା ଯାଇଛି। ସୋମବାର କଂଗ୍ରେସ ପ୍ରାର୍ଥୀ ଶ୍ରୀ କୂଳଦୀପ ବ୍ଲକ ଅଧ୍ୟକ୍ଷା ନମିତା ମାଝି, ପିସିସି ସଦସ୍ୟ ଜଗଦିଶ ଖୋସ୍ଲା, କଂଗ୍ରେସ ନେତା ବାବୁଲା ବେନ୍ୟା, ତ୍ରିପତି ପାଣିଗ୍ରାହି, ରମେଶ ବାଙ୍କିଆ, ମହାଦେଇପୁଟ ସମିତି ସଭ୍ୟା ସୁନୀତା ମୁଦୁଲି, ଚନ୍ଦ୍ରପ୍ରଭା ହିଆଲ୍, ସୁମିତ୍ରା ଜେନା ପ୍ରମୁଖଙ୍କୁ ନେଇ ସଦର ବ୍ଲକ୍ ପଦ୍ମପୁର ପଂଚାୟତର କେନ୍ଦୁମାଳିଗୁଡା, ଚଉଗାଁ, ବନ୍ଧଗୁଡା, ଘାଟଗୁଡା, ମୋହନପଡା, ପୁରୁଣାଡୁମୁରିପୁଟ, ସାପସିଲ୍, ପଦ୍ମପୁର, ଲିମିକା, ଗୋପାଳପୁଟ, ଡୁମୁରିଗୁଡା, ଦୁରୁଗୁଡା, ବରଗୁଡା, ପାକନଡୋଲା ଗ୍ରାମରେ ପ୍ରଚାର କରିଥିଲେ।