Odiapua.com

ଶିକ୍ଷା ଓ ଆମ ଗାଁ କାଶୀ

ଶିକ୍ଷା ଓ ଆମ ଗାଁ କାଶୀ
-ଦେବଦତ୍ତ ରଥ
ଶିକ୍ଷା କ’ଣ?ଯାହା ଆମେ ସ୍କୁଲ ବା କଲେଜ ଆଦି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଥାଏ ତାହା କ’ଣ ଶିକ୍ଷା?କେହି କେହି କୁହନ୍ତି ଏହା ଶିକ୍ଷା ନୁହେଁ ଏହା ତାଲିମ।ଗୁରୁ ଦ୍ରୋଣାଚାର୍ଯ୍ୟ ଅର୍ଜୁନଙ୍କୁ ଯାହା ଶିକ୍ଷା ଦେଇଥିଲେ ତାହା ତାଲିମ।କିନ୍ତୁ ମହାଭାରତ ଯୁଦ୍ଧ ସମୟରେ କୃଷ୍ଣ ଯାହା ଅର୍ଜୁନଙ୍କୁ ଶିକ୍ଷା ଦେଇଥିଲେ ତାହା ଶିକ୍ଷା।ଶିଖିବାର ଆଗ୍ରହ ଶିକ୍ଷା।ଶିକ୍ଷାର କେବେ ପରିସମାପ୍ତି ଘଟିନଥାଏ।

ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଅନ୍ତର୍ଗତ ତଳ ସାହି/ପାଟଣା ସାହିର କାଶୀ।କାଶୀନାଥ ତରେଇ।ବୟସ ୮୧।ଶିକ୍ଷାଗତ ଯୋଗ୍ୟତା ୨ୟ ପାସ।ସକାଳୁ ସକାଳୁ ନିଦ ଭାଙ୍ଗିଲେ ଚାଲି ଆସନ୍ତି ପଦୁ ଚା’ ଦୋକାନକୁ।ଉଦ୍ଦେଶ୍ୟ ଖବରକାଗଜ ପଢ଼ିବା।ଏହା ତାଙ୍କର ନୀତି ଦିନିଆ ଅଭ୍ୟାସ।ତନ୍ନତନ୍ନ କରି ପଢ଼ନ୍ତି ଖବରକାଗଜ।୮୧ ବର୍ଷ ବୟସରେ ମଧ୍ୟ ଚଷମା ବ୍ୟବହାର କରନ୍ତି ନାହିଁ କାଶୀ।କୁହନ୍ତି ବିନା ଚଷମାରେ ସେ ସ୍ପଷ୍ଟ ଭାବରେ ପଢ଼ି ପାରନ୍ତି।ଚଷମାର କି ଆବଶ୍ୟକ?

ବୃତ୍ତିରେ କାଶୀ ଜଣେ ଶ୍ରମିକ।ଦିନ ମଜୁରିଆ ଭାବରେ ପ୍ରତ୍ୟକ ଦିନ କାମକୁ ଯାଆନ୍ତି କାଶୀ।ଏବେ କିନ୍ତୁ ସ୍ୱାସ୍ଥ୍ୟ ସହଯୋଗ ଦେଉନଥିବାରୁ ଆଉ କାମକୁ ଯାଆନ୍ତି ନାହିଁ।କାମକୁ ଯିବା ସମୟରେ ଯୁବାବସ୍ଥାରୁ ସକାଳୁ ସକାଳୁ ପ୍ରଥମେ ଖବର କାଗଜ ପଢ଼ନ୍ତି କାଶୀ।ତାପରେ କାମକୁ ଯାଆନ୍ତି।ଆଲୋଚନା ସମୟରେ ଜଣାପଡ଼େ କାଶୀ ଏମିତି ଯେ, କେବଳ ଖବର କାଗଜ ପଢ଼ନ୍ତି ନାହିଁ।ସାଂପ୍ରତିକ ଘଟଣାବଳୀ ଉପରେ ଭଲ ତଥ୍ୟ ଭିତ୍ତିକ ଜ୍ଞାନ ରହିଛି ତାଙ୍କର।ବିଭିର୍ଣ୍ଣ ବିଷୟ ଉପରେ ସେ ଖୁବ୍ ଭଲ ମତ ଉପସ୍ଥାପନ କରି ପାରନ୍ତି।

ଯେ କେହି ଦେଖିଲେ ଭାବିନେବ ଯେ କାଶୀ ନିଶ୍ଚିତ ଅଧିକ ପଢ଼ାପଢ଼ି କରିଥିବେ।ସରକାରୀ ଚାକିରୀ କି କ’ଣ କରି ବୋଧେ ଅବସର ନେଇଥିବେ।ଅପରିଚିତ କେହି ବି ଲୋକ ଚିନ୍ତା କରିପାରିବେନି ଯେ କାଶୀ ୨ୟ ପାସ ଜଣେ ଦିନ ମଜୁରିଆ!ଏହା ହିଁ ଶିକ୍ଷା।ଶିଖିବାର ପ୍ରବଳ ଆଗ୍ରହ ତାଙ୍କର।କାଶୀ ତାଙ୍କର ପିଲା ବେଳ କଥା ମନେ ପକେଇ କୁହନ୍ତି,ସେତେବେଳେ ଗାଁ”ରେ ଯୋଡ଼େ ତିନୋଟି ଲୋକ ପଢିପାରୁଥିଲେ।ତେଣୁ ଚିଠି ପଢ଼େଇବା ପାଇଁ ଲୋକ ସେହି ଦୁଇ/ତିନୋଟି ଲୋକଙ୍କ ପାଖକୁ ଯାଉଥାଆନ୍ତି।ଏହାକୁ ବୋଧେ ସେ ସେବେଠୁ ମନର ଗଭୀରତାର ସହ ନେଇ ଯାଇଛନ୍ତି।ଏବଂ ଏହା ବୋଧେ ତାଙ୍କ ଭିତରେ ପଢ଼ିବାର/ଶିଖିବାର ପ୍ରବଳ ଆଗ୍ରହ ସୃଷ୍ଟି କରି ପାରିଛି।କେବଳ ଯେ ଗୋଳବାଇ ଗ୍ରାମର କାଶୀ ଏପରି ଜଣେ ବ୍ୟକ୍ତି ନୁହଁନ୍ତି।ବିଭିର୍ଣ୍ଣ ନିପଟ ମଫସଲ ଗାଁ”ରେ ଆମେ ଏମିତି ଗୋଟେ ଗୋଟେ କାଶୀଙ୍କୁ ଦେଖିବାକୁ ପାଉଥିବା।ଧନ୍ୟ ତାଙ୍କର ଏପରି ପଢ଼ିବାର,ଶିଖିବାର ଆଗ୍ରହ।