Odiapua.com

ଶିକ୍ଷକ: ମାର୍ଗଦର୍ଶକ 

ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଗଢିବାରେ ଶିକ୍ଷକମାନେ ବିଶ୍ୱକର୍ମାର ଭୂମିକା ଗ୍ରହଣ କରିଥାନ୍ତି। ସେ ଜାଣିପାରନ୍ତି ଯେ ଛାତ୍ରଛାତ୍ରୀଙ୍କର କ’ଣ ଅଭାବ ରହିଛି ? ଶିକ୍ଷକଙ୍କ ପାଖରେ ହିଁ ସମାଧାନର ସୂତ୍ର ଥାଏ। ଜଣେ ଭଲ ଶିକ୍ଷକ ଛାତ୍ରଛାତ୍ରୀଙ୍କର ଉର୍ନ୍ନତି ପାଇଁ ଚେଷ୍ଟା କରିଥାନ୍ତି। ଛାତ୍ରଛାତ୍ରୀଙ୍କର ମଧ୍ୟ ଶିକ୍ଷକଙ୍କ କଥା ଉପରେ ବିଶ୍ୱାସ ରହିବା ଆବଶ୍ୟକ ଏବଂ ଭକ୍ତିର ସହିତ ଅନୁସରଣ କରିବା ଉଚିତ।

ଜଣେ ଛାତ୍ର ଥିଲେ ଯଦିଓ ସେ ପାଠ ପଢ଼ାରେ ଅନ୍ୟମାନଙ୍କ ଠାରୁ ଆଗରେ ଥିଲେ କିନ୍ତୁ ଛୋଟ ଛୋଟ କଥାରେ ରାଗି ଯାଉଥିଲେ। ଏହି ଗୁଣ ପାଇଁ ସମସ୍ତେ ତାଙ୍କୁ କହୁଥିଲେ ଯେ ଏତେ ରାଗିବା ଭଲ ନୁହେଁ। ଦିନେ ଜଣେ ଶିକ୍ଷକ ଛାତ୍ରଟିକୁ କହିଲେ ତୁମେ ଆସନ୍ତା କାଲି ସକାଳେ ଆମ ଘର ଆଡେ ଟିକେ ଆସ। ତା’ପର ଦିନ ଛାତ୍ର ଜଣକ ଶିକ୍ଷକଙ୍କୁ ଭେଟିବାକୁ ଯାଉଥିବା ସମୟରେ ସୁଇପର ରାସ୍ତାରେ ସଫା କରୁଥିବା ମଇଳା ଛାତ୍ରଙ୍କ ପୋଷାକ ଉପରେ ପଡିଗଲା। ସୁଇପର ଛାତ୍ରଟିକୁ କ୍ଷମା ମାଗି କହିଲେ ଅଜାଣତରେ ଏହା ଘଟିଗଲା ଦୟାକରି ରାଗନ୍ତୁ ନାହିଁ। ସୁଇପର କ୍ଷମା ମାଗିବା ପରେ ମଧ୍ୟ ଛାତ୍ରଟି ରାଗିଯାଇ ଗାଳି ଦେଲା, ‘ତୁମେ ମୂର୍ଖ, ମୋ ପୋଷାକର ମୂଲ୍ୟ କ’ଣ ବୁଝିବ ? ଏବେ ମୋତେ ଏହି ପୋଷାକକୁ ଧୋଇ ସୁଖେଇବାକୁ ପଡିବ ଏବଂ ପୁନର୍ବାର ସ୍ନାନ କରିବାକୁ ପଡିବ, ଏମିତି ଅନେକ କଥା। ସେଦିନ ଛାତ୍ର ଜଣକ ଆଉ ଶିକ୍ଷକଙ୍କୁ ସାକ୍ଷାତ କରିବାକୁ ଗଲେ ନାହିଁ। ତା’ପର ଦିନ ଶିକ୍ଷକଙ୍କୁ ଦେଖା କରିବାକୁ ଯିବା ବାଟରେ ସମାନ ପ୍ରକାର ଘଟଣା ଘଟିଲା। ରାସ୍ତାରେ ଗାଡି ଯାଉଥିବା ସମୟରେ ଛାତ୍ର ଜଣକ ଉପରେ ମଇଳା ପାଣି ଛିଟିକି ପଡିଲା। ଛାତ୍ରଟି ରାଗି ବଡ ପାଟିରେ ଚିତ୍କାର କରି ଗାଳି କରୁଥାଏ କିନ୍ତୁ ଗାଡିଟି ତାର ଗନ୍ତବ୍ୟସ୍ଥଳ ଅଭିମୁଖେ ଚାଲିଯାଇଥାଏ। ଛାତ୍ରଟି ରାଗିକି ଆଉ ଶିକ୍ଷକଙ୍କୁ ଦେଖା କରିବାକୁ ଗଲେ ନାହିଁ। କିଛିଦିନ ପରେ ଦୈବାତ ଛାତ୍ର ସହିତ ଶିକ୍ଷକଙ୍କ ଦେଖା ହୋଇଗଲା। ଛାତ୍ରଟି ଶିକ୍ଷକଙ୍କ ଘରକୁ ନଯିବାର କାରଣ ଗୋଟି ଗୋଟି କରି ବର୍ଣ୍ଣନା କଲେ। ଶିକ୍ଷକ କହିଲେ ମୋତେ ଦେଖା ନକରିବାର କାରଣ ତୁମର କ୍ରୋଧ ଯାହାକି ତୁମକୁ ଲକ୍ଷ୍ୟସ୍ଥଳରେ ପହଂଚିବାକୁ ଦେଲା ନାହିଁ। ଛାତ୍ର କହିଲେ ସେଦିନ ରାଗିବାର କାରଣ ଯଥେଷ୍ଟ ଥିଲା। ଶିକ୍ଷକ କହିଲେ ରାସ୍ତାରେ ଆସିବା ବେଳେ ତୁମର କ’ଣ କିଛି ଭୁଲ ନଥିଲା ? ତୁମେ ମଧ୍ୟ ରାସ୍ତାର ଅବସ୍ଥା ଓ ଗାଡିକୁ ଲକ୍ଷ୍ୟ କରି ସାବଧାନତାର ସହିତ ଆସିବାର ଥିଲା। ସୁଇପର ଭୁଲ କରି କ୍ଷମା ପ୍ରାର୍ଥନା କଲା ପରେ ତୁମେ ରାଗିବା କେତେଦୂର ଯଥାର୍ଥ ? ଦ୍ଵିତୀୟ ଦିନରେ ଗାଡିଟି ଚାଲିଯିବା ପରେ ତମେ ଏତେ ମାତ୍ରାରେ ଚିତ୍କାର କରି ଗାଲିକରିବାର ଆବଶ୍ୟକତା କ’ଣ ଥିଲା? କ୍ରୋଧ ଏକ ସାମୟିକ ଉତ୍ତେଜନା। କ୍ରୋଧ ଆସିଲେ ଭୁଲ୍ ଠିକ୍ ବିଚାର କରିବା ଅସମ୍ଭବ। କ୍ରୋଧାବସ୍ଥାର ଆମେ ଉଚିତ୍ ମୁକାବିଲା ଆଦୌ କରିପାରନ୍ତି ନାହିଁ ଯାହା ତୁମର ଘଟିଲା। ତେଣୁ କ୍ରୋଧ ଠାରୁ ଦୁରେଇ ରହିବାକୁ ଚେଷ୍ଟା କର ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇପାରିବ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା