Odiapua.com

ଶିକ୍ଷକଙ୍କ ବଦଳୀ ଦାବିରେ ସ୍କୁଲରେ ତାଲା ଠୁଙ୍କିଲେ ଅଭିଭାବକ

କୋରାପୁଟ ୨୫-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ) ଶିକ୍ଷକ ଶିକ୍ଷୟତ୍ରୀ ଠିକ ସମୟରେ ସ୍କୁଲକୁ ନ ଆସିବା ଓ ପାଠ ପଢାଇବାରେ ଅବହେଳା କରି ଆସୁଥିବା ଅଭିଯୋଗ କରି ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଂଚାୟତ ସଦର ମହକୁମା ସ୍ଥିତ ଉଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ଠୁଙ୍କିଛନ୍ତି। ଜିଲା ପରିଷଦ ସଦସ୍ୟା ସରୀତା ସାରଥୀଙ୍କ ନେତୃତ୍ୱରେ ଅଭିଭାବକମାନେ ମଙ୍ଗଳବାର ପୂର୍ବାହ୍ନରେ ସ୍କୁଲ ମୁଖ୍ୟ ଫାଟକ ସମେତ ସମସ୍ତ ଶ୍ରେଣୀଗୃହରେ ତାଲା ପକାଇ ପ୍ରତିବାଦ କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବଦଳୀ କରା ଯିବାକୁ ଦାବି କରିଥିଲେ। ମାଓ ଉପଦୃତ ଆଦିବାସୀ ବହୁଳ ବନ୍ଧୁଗାଁ ବ୍ଲକରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ଥିଲେ ମଧ୍ୟ ବିଦ୍ୟାଳୟରେ ଠିକ ପାଠ ପଢା ହେଉନଥିବା ଓ ସ୍କୁଲକୁ ନିୟମିତ ଆସୁନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ସୂଚନା ଥାଉକି, ଆଲମଣ୍ଡା ଉଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ମୋଟ ୪୨୧ଜଣ ଛାତ୍ରଛାତ୍ରୀ ଥିବାବେଳେ ୧୨ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି। କିନ୍ତୁ ଅନେକ ସମୟରେ ଅଧିକାଂଶ ଶିକ୍ଷକ ଶିକ୍ଷୟତ୍ରୀ ଅନୁପସ୍ଥିତ ରହୁଥିବାବେଳେ କେତେକ ଶିକ୍ଷକ ସ୍କୁଲରେ ଥାଇ ମଧ୍ୟ କ୍ଲାସ ନେଉନଥିବା ଅଭିଯୋଗ କରା ଯାଇଛି। ସ୍କୁଲରେ ତାଲା ପଡିବା ସୂଚନା ପାଇ ବନ୍ଧୁଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ କୁମାର ମିଶ୍ର ଘଟଣା ସ୍ଥଳରେ ପହଂଚି ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଜିଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି କର୍ତବ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ଓ ନିୟମିତ ସ୍କୁଲ ଆସୁନଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ସେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବ୍ଲକ ଶିକ୍ଷା ଅଧିକାରୀ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ତାଲା ଖୋଲିଥିବା ଜଣା ପଡିଛି।