Odiapua.com

ଶାବର ଶ୍ରୀକ୍ଷେତ୍ରରେ ୩ ରଥ ଗଡିବ; ରଥ ଓ ପଥ ପ୍ରସ୍ତୁତ; ମହିଳା ଭକ୍ତ ଦେବୀ ସୁଭଦ୍ରାଙ୍କ ରଥ ଟାଣିବେ

କୋରାପୁଟ ୦୩-୦୭-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଥିବା ବେଳେ ଶାବର ଶ୍ରୀକ୍ଷେତ୍ରରେ ୩ଟି ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିବା ଜଣାପଡିଛି। ରଥଯାତ୍ରା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇରହିଛି। ସକାଳ ୯ ଘ.ରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡି କରାଯାଇ ରଥାରୁଢ କରାଯିବ। ଜଗନ୍ନାଥ ରଥରେ ଦାସି ନାୟକ ଛେରା ପହଁରା କରିବେ ଓ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥରେ ଜିଲ୍ଲା ପ୍ରଶାନର ୨ ଅଧିକାରୀ ଛେରା ପହଁରା କରିବେ। ଛେରା ପହଁରା ପରେ ଜିଲ୍ଲାପାଳ ଭକ୍ତମାନଙ୍କୁ ଶିରୋପା ପ୍ରଦାନ କରିବା ପରେ ପ୍ରଥମେ ଆଦିବାସୀମାନଙ୍କ ଭୋଗ ପୂଜା କରାଯିବ। ଚଳିତ ବର୍ଷ ୩ ଟି ରଥରେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ ହେବେ। ଦେବୀ ସୁଭଦ୍ରାଙ୍କୁ ମହିଳା ଭକ୍ତମାନେ ପହଣ୍ଡି କରି ରଥାରୁଢ କରିବା ସହ ରଥକୁ କେବଳ ମହିଳା ଭକ୍ତମାନେ ଟାଣିବେ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା ସୂଚନା ଦେଇଛନ୍ତି। ରଥଯାତ୍ରା ପାଇଁ ଭୁବନେଶ୍ୱରରୁ ମୋନାଲିସା ତ୍ରୀପାଠୀ କୋରାପୁଟ ଆସିଛନ୍ତି। କମିଟିର ୩ ରଥ ନିର୍ମାଣ ଓ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିବା ନିଷ୍ପତିକୁ ସ୍ୱାଗତ କରିଛନ୍ତି।ମୁଁ କେବଳ ସୁଭଦ୍ରାଙ୍କ ରଥ ଟାଣିବା ନିମନ୍ତେ ଆସିଛି ବୋଲି ସେ ପ୍ରକାଶ କରିଥିଲେ। ପୁରୀର ଢାଂଚାରେ କୋରାପୁଟ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଥିବା ଓ ଖୁବ ସୁନ୍ଦର ହୋଇଥିବା ପୁରୀରୁ ଆସିଥିବା ମଧୁମିତା ମହାନ୍ତି, ଶିବ ନାରାୟଣ ଦାସ, ନିବେଦିତା ରାୟ ପ୍ରକାଶ କରିଥିଲେ।ବାରିପଦା ଭଳି କୋରାପୁଟରେ କେବଳ ମହିଳାମାନେ ସୁଭଦ୍ରାଙ୍କ ରଥକୁ ଟାଣିବାର କମିଟି ନିଷ୍ପତି ନିଆଯାଇଥିବାରୁ ସ୍ୱାଗତ କରିଥିଲେ।ଏପରିକି ପୁରୀରେ ମଧ୍ୟ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିବାର ବନ୍ଦୋବସ୍ତ କଲେ ଭଲ ହୁଅନ୍ତା ବୋଲି ଶିବ ନାରାୟଣ ଦାସ ମତବ୍ୟକ୍ତ କରିଥିଲେ। କୋରାପୁଟରେ ୧୯୭୨ ମସିହାରୁ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି।ଅବିଭକ୍ତ କୋରାପୁଟ ଜିଲ୍ଲାର କୋଣଅନୁକୋଣରୁ ଭକ୍ତମାନେ କୋରାପୁଟ ରଥଯାତ୍ରା ଦେଖିବାକୁ ଆସିଥାନ୍ତି। କାଳକ୍ରମେ ସବୁ ସହରରେ ରଥଯାତ୍ରା ପାଳନ କରାଯାଇଥିବାରୁ ଭକ୍ତମାନେ ନିଜ ଅଂଚଳରେ ରଥଯାତ୍ରାରେ ଯୋଗଦେଇଥାନ୍ତି। କିନ୍ତୁ ଚଳିତବର୍ଷ ୩ ଟି ରଥ କୋରାପୁଟରେ ଗଡିବାକୁ କମିଟି ନିଷ୍ପତି ନେଇଥିବାରୁ ଭକ୍ତମାନଙ୍କ ସଂଖ୍ୟା ବୃଦ୍ଧିପାଇପାରେ ଆଶା କରିଛନ୍ତି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା। ପ୍ରବଳ ଜନ ଗହଳି ହେବାର ଆଶଙ୍କା କରି ପୋଲିସ ପକ୍ଷରୁ ଶାନ୍ତି ଶୃଂଖଳା ରକ୍ଷା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯିବା ସହ ପୂର୍ବାହ୍ନ ୧୧ଟାରୁ ରାତି ୮ଟା ଯାଏ ମୁଖ୍ୟ ରାସ୍ତାରେ ସମସ୍ତ ଯାନ ବାହାନ ଚଲାଚଳ ବନ୍ଦ ରହିବ ବୋଲି ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ ବାସୁଦେବ ଛତ୍ରିଆ ସୂଚନା ଦେଇଥିବାବେଳେ ସେହି ସମୟରେ ସମସ୍ତ ଗାଡି କଳାନିକେତନ ଛକରୁ ବ୍ଲକ କଲୋନୀ, ଟେଲଫୋନ ଭବନ, ମେଡିକାଲ୍ କଲେଜ ରୋଡ ଦେଇ ବାଟ ମଙ୍ଗଳା ମନ୍ଦିର ଛକ ରାସ୍ତାରେ ଚଳାଚଳ କରିବ ବୋଲି କହିଛନ୍ତି।