Odiapua.com

ଶାବର ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ; ୩ ରଥ କୋରାପୁଟ ବଡଦାଣ୍ଡରେ ପହଂଚିଲେ

କୋରାପୁଟ ; ତା୧୨-୦୭-୧୯(ଓଡିଆପୁଅ /ରଂଜନ କୁମାର ଦାସ) ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ମହାଆନନ୍ଦ ଉହ୍ଲାସର ସହ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମଝିରେ ମଝିରେ ଅସରାଏ ବର୍ଷା ହୋଇଥିବା ସତ୍ୱେ ବାହୁଡା ଯାତ୍ରା ଦେଖିବାକୁ ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଜନ୍ମବେଦୀରୁ ପ୍ରଭୁ ଜଗନ୍ନାଥ,ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଆଜି ରତ୍ନବେଦୀକୁ ଫେରୁଥିବାରୁ ବିଭିନ୍ନ ସ୍ଥାନରୁ ୨୦ ହଜାରରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ବାହୁଡା ଯାତ୍ରା ଦେଖିବାକୁ ପୂର୍ବାହ୍ନରୁ ଆସି ମାଉସୀମାଁ ଛକରେ ରୁଣ୍ଡ ହୋଇଥିଲେ । ପ୍ରତ୍ୟୁଷରୁ ଶ୍ରୀଜିଉମାନଙ୍କ ଯଥାରୀତି ଅନୁଯାୟୀ ନୀତି ସମ୍ପନ୍ନ କରାଯାଇ ପୂର୍ବାହ୍ନରେ ଚତୁର୍ଦ୍ଧାମୁର୍ତିଙ୍କର ପହଣ୍ଡି ଆରମ୍ଭ କରାଯାଇଥିଲା । ଚଳିତ ବର୍ଷ ଠାରୁ ଶାବର ଶ୍ରୀକ୍ଷେତ୍ରରେ ତିନୋଟି ରଥ ଟଣା ଯାଉଥିବାରୁ ରଥଯାତ୍ରା ଦିନ ଭଳି ଦେବୀ ସୁଭଦ୍ରାଙ୍କୁ କେବଳ ମହିଳା ମାନେ ପହଣ୍ଡି କରିବା ସହ ରଥ ଟାଣିଥିଲେ । ପ୍ରଥମେ ଶ୍ରୀସୁଦର୍ଶନ,ଦ୍ୱିତୀୟରେ ପ୍ରଭୁ ବଳଭଦ୍ର,ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡିରେ ଆଣାଯାଇ ରଥାରୁଢ କରା ଯାଇଥିଲା । କୋରାପୁଟ ସାଂସଦ ସପ୍ତଗିରି ଉଲକା ,କୋରାପୁଟ ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି , ପୂର୍ବତନ ବିଧାୟକ ନିମାଁଇ ଚରଣ ସରକାର , କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି ,ଦକ୍ଷିଣ-ପଶ୍ଚିମାଂଚଳ ରେଜଂ ଡିଆଇଜି ହିମାଂଶୁ କୁମାର ଲାଲ୍,ବିଦାୟୀ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି,ଏସପି ଡା.ଳେ.ଭି.ସିଂହ, ଭାରପ୍ରାପ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,ଶାବର ଶ୍ରୀକ୍ଷେତ୍ର ପରିଚାଳନା କମିଟି ସମ୍ପାଦକ ଗଦାଧର ପରିଡା,ସଦସ୍ୟ ଜଗବନ୍ଧୁ ସାମଲ, ପ୍ରଫୁଲ ମହାପାତ୍ର,ତ୍ରିନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତି ଶୃଂଖଳା ରକ୍ଷା ନିମନ୍ତେ ଜିଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରା ଯାଇଥିବାବେଳେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସମସ୍ତ ଭାରୀ ଯାନ ଚଳାଚଳକୁ କୋରାପୁଟ ସହର ମଧ୍ୟରେ ଦିନ ୧୨ରୁ ରାତି ୯ଟା ଯାଏ ବନ୍ଦ ରଖା ଯାଇଥିଲା ।