Odiapua.com

ରାସ୍ତା ନିର୍ମାଣ କାମରେ ନିୟୋଜିତ ଜେସିବି ପୋଡିଲେ ଦୁର୍ବୃତ୍ତ

କୋରପୁଟ :୧/୧୦ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନାରାୟଣ ପାଟଣା ବ୍ଲକର ଦୁର୍ଗମ ଅଞ୍ଚଳରେ ଦୀର୍ଘ ଦିନ ପରେ ନୀରବତା ପରେ ରାସ୍ତା ନିର୍ମାଣ କାମରେ ନିୟୋଜିତ ଜେସିବି ମେସିନ ଗାଡ଼ି ପୋଡ଼ା ଘଟଣା ଘଟିଛି। ଗତକାଲି ରାତିରେ ପ୍ରାୟ ଆଠ ଘଣ୍ଟା ପାଖାପାଖି ସମୟରେ ପୋଡପଦର ଗ୍ରାମପଞ୍ଚାୟତର କଲକି ପୁଟ ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିୟୋଜିତ ଠିକା ସଂସ୍ଥାର ଏକ ଜେସିବି ମେସିନକୁ କିଛି ଦୁର୍ବୁତ୍ତ ପୋଡ଼ି ଦେଇଥିବା ସୂଚନା ମିଳିଛି। ଗାଡ଼ି ପୋଡ଼ା ଘଟଣାରେ ମାଓବାଦୀଙ୍କ ସଂପୃକ୍ତି ଥିବା ନେଇ ସନ୍ଦେହ କରାଯାଇଛି। ପ୍ରକୃତରେ କିଏ ପୋଡିଛି ସ୍ପଷ୍ଟ ଜଣାପଡିନାହିଁ। ଉକ୍ତ ଘଟଣାର ପରେ ଠିକା ସଂସ୍ଥାର ସୁପର ଭାଇଜର ଟେଲିଫୋନ ଯୋଗେ ମାଲିକଙ୍କୁ ଅବଗତ କରିଥିଲେ। ସଂପୃକ୍ତ ଠିକାଦାର ଏଥି ନେଇ ପୋଲିସକୁ ଜଣାଇଥିଲେ। ରାତି ଅଧିକ ହୋଇଥିବାରୁ ଦୁର୍ଗମ ଅଞ୍ଚଳ ଯୋଗୁଁ ପୋଲିସ ପହଞ୍ଚିବାରେ ବିଳମ୍ବ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ କିଛି ମୁଖା ପିନ୍ଧା ଦୁର୍ବୁତ୍ତ ରାସ୍ତା କାମରେ ନିୟୋଜିତ ଜେସିବି ମେସିନକୁ ପୋଡ଼ିଦେଇଥିବା ଜଣାପଡିଛି। ଏହି ଘଟଣା ମାଓବାଦୀଙ୍କର ବୋଲି ଉଭୟ ପୋଲିସ ଓ ଠିକା ସଂସ୍ଥାର ମାଲିକ ସନ୍ଦେହ କରୁଥିଲେ ହେଁ ସତ୍ୟାସତ୍ୟ ଜଣାପଡିନାହିଁ। ଆଜି ସକାଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରାଗଲେ ସତ୍ୟା ସତ୍ୟ ଜଣାପଡିବ ବୋଲି ପୋଲିସ କହିଛି। ଏହି ଘଟଣା ପରେ ପୋଡପଦର ପଞ୍ଚାୟତ ଠାରେ ମୁତୟନ ଥିବା ବିଏସଏଫ ଯବାନଙ୍କୁ କରାଯିବା ସହ ରାତ୍ରିକାଳୀନ ପେଟ୍ରୋଲିଙ୍ଗ କଡ଼ାକଡ଼ି କରିଦିଆଯାଇଛି। ପ୍ରକାଶ ଥାଉକି ଗତ କିଛି ଦିନ ହେବ ନାରାୟଣ ପାଟଣା ଅଞ୍ଚଳରେ ମାଓବାଦୀଙ୍କ ଚଳ ପ୍ରଚଳ ନେଇ ସୂଚନା ମିଳିଥିଲା। ଗତ୨୦୧୭ ମସିହାରେ ତଲଗୁମାଣ୍ଡି ପଞ୍ଚାୟତର ଡକରି ଘାଟିରେ ପୋଲିସ ଓ ମାଓବାଦୀ ଗୁଳିବିନିମୟରେ ତିନି ଜଣ କ୍ୟାଡ଼ର ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା ଓ ମାଓବାଦୀଙ୍କ ପ୍ରାଦୁର୍ଭାଵ କମିଯାଇଥିଲା। ଜେସିବି ମେସିନ ପୋଡ଼ା ଘଟଣା ପରେ ପୋଲିସ ପାଇଁ ନୁହଁ ବରଂ ନାରାୟଣ ପାଟଣା ଅଞ୍ଚଳ ବାସୀଙ୍କ ପାଇଁ ଚିନ୍ତା ବଢ଼ିଯାଇଛି। ପୋଲିସ ତଦନ୍ତ ଆରମ୍ଭ କରିଥିବା ନେଇ ନାରାୟଣ ପାଟଣା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ସୂଚନା ଦେଇଛନ୍ତି।