Odiapua.com

ରାଜ୍ୟସ୍ତରୀୟ ‘ଦିବ୍ୟାଲୋକ ସନ୍ଧାନେ’ ସମ୍ମାନ ପାଇବେ ଡାକ୍ତର ପି.କେ. ଦାଶ

କଟକ୨୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଅନ୍ତର୍ଜାତିକସ୍ତରର ପ୍ରଖ୍ୟାତ ହୃଦ୍‌ରୋଗ ବିଶେଷଜ୍ଞ, ଗଭୀର ଅଧ୍ୟାତ୍ମବାଦୀ ବ୍ୟକ୍ତିତ୍ୱ ତଥା ଏଇ ନିକଟରେ କ୍ୟାପିଟାଲ ହସ୍ପିଟାଲର ହୃଦ୍ ଓ ସିଟିଭିଏସ୍ ବିଭାଗର ନିର୍ଦ୍ଦେଶକ ପଦବିରେ ଯୋଗ ଦେଇଥିବା ଡାକ୍ତର ପ୍ରଭାତ କୁମାର ଦାଶଙ୍କୁ ଚଳିତ ବର୍ଷ ରାଜ୍ୟସ୍ତରୀୟ ‘ଦିବ୍ୟାଲୋକ ସନ୍ଧାନେ ସମ୍ମାନ-୨୦୨୦’ ପ୍ରଦାନ କରାଯିବ ବୋଲି ପତ୍ରିକାରେ ମୁଖ୍ୟ ସମ୍ପାଦକ ଡଃ ଶରତ କୁମାର ରଥ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । ଓଡ଼ିଶାର ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ’ର ୧୯ ତମ ସ୍ୱନକ୍ଷତ୍ର ଉପଲକ୍ଷେ ଆସନ୍ତା ଜାନୁଆରୀ ୫ ତାରିଖରେ କଟକ ମହାନଦୀ ବିହାରସ୍ଥିତ ‘ମହାନଦୀ ଭବନ’ରେ ଆୟୋଜିତ ଏହି ମହାସତସଙ୍ଗରେ ଉପସ୍ଥିତ ସାଧୁସନ୍ଥ ତଥା ଅତିଥିମାନଙ୍କ ଦ୍ୱାରା ଏହି ସମ୍ମାନ ପ୍ରଦାନ କରାଯିବ । ଏତଦ୍ ବ୍ୟତୀତ ସୁନ୍ଦରଗଡ଼ର ଆଚାର୍ଯ୍ୟ ରଫିକ୍ ଖାନ୍‌ଙ୍କୁ ‘ଯୋଗାଚାର୍ଯ୍ୟ ଓ ସଦ୍‌ଭାବନା ସମ୍ମାନ’, ନିଆଳିର ସ୍ମୃତିରଞ୍ଜନ ରାଉତଙ୍କୁ ‘ସାଧୁତା ସମ୍ମାନ’ ଅନୁଗୁଳର ସାମ୍ବାଦିକ ସୁଧିରେନ୍ଦ୍ର ପରିଜାଙ୍କୁ ‘ଶ୍ରୀନାରଦ ସମ୍ମାନ’, ଖୋର୍ଦ୍ଧାର ପାଲାକାର ପ୍ରଭାତ ଦାସଙ୍କୁ ‘ଗାୟକ ଗୌରବ ସମ୍ମାନ’, ଭୁବନେଶ୍ୱରର ପ୍ର.ଗଜେନ୍ଦ୍ର କୁମାର ନାଥଙ୍କୁ ‘ଜ୍ୟୋତିଷ ଗୌରବ’, ଅନ୍ତର୍ଜାତିକ ଯୁବ ବାସ୍ତୁବିତ୍ ଡଃ ମନୋଜ କୁମାର ଲେଙ୍କାଙ୍କୁ ‘ବାସ୍ତୁ ଶିରୋମଣି ସମ୍ମାନ’, ସୁଶ୍ରୀ ବୀଣାପାଣୀ ଦାସଙ୍କୁ ‘ଆଦର୍ଶ ପ୍ରଧାନଶିକ୍ଷକ ସମ୍ମାନ’, ଆଡଭୋକେଟ ସମୀର ମିଶ୍ରଙ୍କୁ ‘ଆଦର୍ଶ ଅଧିବକ୍ତା ସମ୍ମାନ’, ଯୁବ ସମାଜସେବୀ ଚିନ୍ମୟ ପାତ୍ରଙ୍କୁ ‘ସଚ୍ଚା ଗୋ-ସେବକ ସମ୍ମାନ’ ଏବଂ ମହୀଧରପଡ଼ା ସରକାରୀ ହାଇସ୍କୁଲର ଡଃ ଦେବଦତ୍ତ ପ୍ରଧାନଙ୍କୁ ‘ଶିକ୍ଷକ ରତ୍ନ’ ସମ୍ମାନରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ଏଥିସହିତ ରାଜ୍ୟର ୧୦୦ଟି ହାଇସ୍କୁଲର ଜଣେ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ‘ଆଦର୍ଶ ବିଦ୍ୟାର୍ଥୀ’ ଭାବେ ମାନପତ୍ର ସହ ସମ୍ମାନିତ କରାଯିବ ବୋଲି ପତ୍ରିକାର ସମ୍ପାଦକ ତଥା ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ବକାର ଇଂ. ଶ୍ରୀସନ୍ନ୍ୟାସୀ ଜଣାଇଛନ୍ତି । ଉକ୍ତ ସତସଙ୍ଗରେ ପ୍ରଖ୍ୟାତ ସନ୍ଥ ସ୍ୱାମୀ ଶୁଦ୍ଧାନନ୍ଦ ସରସ୍ୱତୀ ‘ମନୁଷ୍ୟ ଜୀବନର ଲକ୍ଷ୍ୟ ଏବଂ କର୍ତ୍ତବ୍ୟ’ ପ୍ରସଙ୍ଗ ଉପରେ ନିଜର ମାର୍ଗଦର୍ଶନ ରଖିବେ । ବହୁ ସାଧୁସନ୍ଥ ଓ ବିଦ୍ୱାନ ଯୋଗଦେବାକୁ ଏହି ସତସଙ୍ଗରେ ସାମିଲ ହେବା ନିମନ୍ତେ ପତ୍ରିକାର ପରିଚାଳନା ସମ୍ପାଦକ ଇଂ. ବିପ୍ଲବ ଦାସ ସୂଚନା ଦେଇଛନ୍ତି ।