Odiapua.com

ମାଟ୍ରିକ ପରୀକ୍ଷାରେ ଏ-୧ ଓ ଏ-୨ରେ ଉର୍ତିର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ

କୋରାପୁଟ ୨୧-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାରେ ଚଳିତ ମାଟ୍ରିକ ପରୀକ୍ଷାରେ ଏ-୧ ଓ ଏ-୨ରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ସ୍ଥାନୀୟ ଦକ୍ଷତାବୃଦ୍ଧି ତାଲିମ ସଭାଗୃହଠାରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ। ଆନ୍ତରିକତା, କଠିନ ପରିଶ୍ରମ ଓ ଲକ୍ଷ୍ୟ ରଖି ପାଠ ପଢିଲେ ଯୁକ୍ତଦୁଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିବ ବୋଲି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଗୁରୁଜନ ଓ ଶିକ୍ଷକମାନଙ୍କ ସଦାସର୍ବଦା ସମ୍ମାନ ଦେବାକୁ କହିବା ସହ ମୋବାଇଲରେ ସୋସିଆଲ ମେଡିଆକୁ ତ୍ୟାଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଶିକ୍ଷକମାନେ ସ୍କଲରେ ଛାତ୍ରଛାତ୍ରୀମାନଙ୍କୁ ଉଚିତ ଶିକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କୋରାପୁଟ ଜିଲ୍ଲାରେ ଚଳିତ ମାଟ୍ରିକ ପରୀକ୍ଷାରେ ଏ-୧ରେ ୭ ଓ ଏ-୨ରେ ୮୦ ଜଣ ଉତୀର୍ଣ୍ଣ ହୋଇଥିଲେ। କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା ଅଧ୍ୟକ୍ଷତାରେ ଆୟୋଜିତ ୭୫ ଜଣ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ହୋଇଥିଲେ।ଆସନ୍ତାବର୍ଷ ପରୀକ୍ଷା ଯେପରି ଭଲ ହେବ ସେଥି ନିମନ୍ତେ ଖସଡା ପ୍ରସ୍ତୁତି ହୋଇସାରିଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା ପ୍ରକାଶ କରିଥିଲେ। ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଆଲୋଚନା ଶେଷ ହୋଇଯାଇଥିବା ବେଳେ ପ୍ରତ୍ୟେକ ବିଷୟର ଶିକ୍ଷକ ଓ ଶିକ୍ଷାବିତ ଏବଂ ଅଭିଭାବକମାନଙ୍କୁ ନେଇ ବୈଠକ କରାଯିବା ପରେ ଯାହା ନିର୍ଯ୍ୟାସ ବାହାରିବ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଥିଲେ।ଏହି ଉତ୍ସବରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପାଳିତ ଓ ଏଚଡିଏଫସି ବ୍ୟାଙ୍କର କ୍ଲଷ୍ଟର ମୁଖ୍ୟ ସାଜନ କୁମାର ଶର୍ମା ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ। ଶିକ୍ଷୟତ୍ରୀ ମୀନତୀ ସ୍ୱାଇଁ, ଅନିତା ପଟନାୟକ ଓ ରଶ୍ମିତା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଜୟ ସାହୁ, ଶିବ ପ୍ରସାଦ ପାଢୀ, ରଶ୍ମିରଂଜନ ସେଠୀ, ଜଗନ୍ନାଥ ଦାସ, ପ୍ରଶାନ୍ତ ସାବତ, ଚିତରଂଜନ ପଣ୍ଡା, ଶିବ ଶକଂର ପଟନାୟକ, ଲଲିତ ମୋହନ ପଟନାୟକ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ। ଏହି ଉତ୍ସବ ଆଗାମୀ ପୀଢିକୁ ଉତ୍ସାହ ଯୋଗାଇଦେବ ବୋଲି ଛାତ୍ର ଅକ୍ଷୂର୍ଣ୍ଣ ବାରିକ କହିବା ସହ ଭବିଷ୍ୟତରେ ଆଇଏଏସ ହୋଇ ଦେଶ ସେବା କରିବାକୁ ଲକ୍ଷ୍ୟ ରଖିଛି ବୋଲି ପ୍ରକାଶ କରିଥିଲେ। ଭବିଷ୍ୟତରେ ଜଣେ ବୈଜ୍ଞାନିକ ହୋଇ ଇସ୍ରୋରେ କାମ କରିବାର ଲକ୍ଷ୍ୟ ରଖିଛି ବୋଲି ସମ୍ବର୍ଦ୍ଧିତ ଛାତ୍ର ଓମକାର ପ୍ରୀୟଦର୍ଶି ପ୍ରକାଶ କରିଥିଲେ।