ଦିନେ ଅଭୟ ବାବୁ ଜଣେ ଜୀବନ ବୀମା ଏଜେଣ୍ଟଙ୍କ ସହିତ ଆଲୋଚନା କରୁଥିଲେ। ଏଜେଣ୍ଟ ବାବୁ ଜଣକ ଗୋଟି ଗୋଟି କରି ସବୁ ବୁଝାଇଲା ପରେ ଅଭୟ ବାବୁ କହିଲେ, ମଲା ପରେ ଏତେ ସୁବିଧା ? ବଞ୍ଚିଥିବା ଅବସ୍ଥାରେ କ’ଣ କ’ଣ ସବୁ ସୁବିଧା ଅଛି ଟିକେ କୁହନ୍ତୁ ? ସେ ଏଜେଣ୍ଟ ବାବୁ ଜଣକ ବିରକ୍ତି ହୋଇ ସେ ସ୍ଥାନ ଛାଡି ପଳେଇଲେ। ଅଭୟ ବାବୁ ଜଣେ ଶିକ୍ଷିତ, ସଚେତନ ଓ ମଜାଳିଆ ଲୋକ। ଅଧିକାଂଶ ବିଷୟରେ ଜାଣିବା ପାଇଁ ସେ ଯେଉଁ ପ୍ରଶ୍ନ ଗୁଡା ପଚାରନ୍ତି, ଆଲୋଚନା କରନ୍ତି ଓ ପରାମର୍ଶ ଦେଇଥାନ୍ତି କିଛି ଲୋକଙ୍କୁ ଅଖାଡୁଆ ଲାଗେ। କିନ୍ତୁ ତାଙ୍କର ଉଦ୍ଦେଶ୍ୟ ଖରାପ ନଥାଏ।
କିଛି ଦିନ ତଳେ ମାଛ ହାଟରେ ଅଭୟ ବାବୁଙ୍କୁ ଦେଖିଲି। ସେହି ସମୟରେ ସେ ଜଣେ ବାହାଘର ମଧ୍ୟସ୍ଥିକୁ କହୁଥିଲେ, ଏ ବର୍ଷ କେତେ ଟା ବାହାଘର କରିଛନ୍ତି ? ମିଛ କଥା କହି କାହାର ବାହାଘର କରିବା ଭଲ ନୁହେଁ। ତମେ ପାଉଣା ପାଇଲା ପରେ ତମ କାମ ଶେଷ କିନ୍ତୁ ପରେ ନବ ଦମ୍ପତିଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହେବ। ମୁଁ ଭାବିଲି ଏବେ ଯଦି ସେ ମୋତେ ଦେଖିଦେବେ, ପୁଣି ମାଛ ବିଷୟରେ କି ଆଉ କେଉଁ ବିଷୟରେ ଆଲୋଚନା ଆରମ୍ଭ କରିଦେବେ। ମୁଁ ଏତିକି ଭାବି ମାଛ ହାଟ ଭିତରକୁ ଯିବା ସମୟରେ, ସେ ପଛରୁ ଡାକିଲେ ସାର୍ ? ଆଗକୁ ବିଶ୍ୱ ମତ୍ସ୍ୟ ଦିବସ ଆସୁଛି, ମାଗଣାରେ କିଛି ମାଛ ମିଳିବାର ଯୋଜନା ଅଛି କି ? ମୁଁ କହିଲି ଆଜ୍ଞା, ମାଗଣାରେ ସେମିତି କିଛି ମିଳିବାର ନାହିଁ, ଆପଣଙ୍କର କ’ଣ ଟଙ୍କା ଅଭାବ ଅଛି ? ସେ କହିଲେ ନାହିଁ ଆଜ୍ଞା ମଜାରେ କହିଦେଲି। ତା’ପରେ ମୋତେ ପଚାରିଲେ ଆଉ ଖବର କ’ଣ ? ମୁଁ କହିଲି ଆପଣ ସମାଜ ସେବା କରୁଛନ୍ତି, ସମାଜର ସବୁ ଖବର ଆପଣଙ୍କ ପାଖରେ। ସେ କହିଲେ ଯାହା ହେଉ ସରକାରଙ୍କର ବିଭିନ୍ନ ଯୋଜନା ଗୁଡିକ ମାଛ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଉଛି। ବାୟୋଫ୍ଲକ୍ ମାଛ ଚାଷ ଶିକ୍ଷିତ ଯୁବକଯୁବତୀ ମାନଙ୍କୁ ଆକର୍ଷିତ କରିଛି। କେଜ୍ କଲଚର ମାଧ୍ୟମରେ ମାଛ ଚାଷ କରିବାକୁ ବର୍ତ୍ତମାନ ବହୁ ଚାଷୀ ଆଗ୍ରହୀ। ମହିଳା ସ୍ୱୟଂ ସହାୟିକା ମାନେ ମାଛ ଚାଷ କରି ଲାଭବାନ ହେଲେଣି। ମୋଟାମୋଟି ଭାବରେ କହିବାକୁ ଗଲେ ମାଛ ଚାଷ ଦ୍ୱାରା ବହୁ ଲୋକ ସ୍ୱାବଲମ୍ବୀ ହେଉଛନ୍ତି। ମୁଁ କହିଲି ସବୁ ଖବର ଆପଣଙ୍କ ପାଖରେ।
ସେ କହିଲେ ମାଛ ଉତ୍ପାଦନ ବଢିବା ସହିତ ମାଛ ଖାଇବାକୁ ଲୋକମାନଙ୍କ ମଧ୍ୟରେ ଆଗ୍ରହ ମଧ୍ୟ ବଢିଯାଇଛି। ଦିନକୁ ଦିନ ମାଛର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ମାଛ ତରକାରୀ ଅଧିକାଂଶ ଲୋକଙ୍କର ଭାରି ପ୍ରିୟ। ମାଛ, ଚିଙ୍ଗୁଡ଼ି, କଙ୍କଡା କଥା ଶୁଣିବା ମାତ୍ରେ ପାଟିରୁ ଲାଳ ଆସିଯାଏ। ଆମକୁ ସୁସ୍ଥ ରହିବାକୁ ହେଲେ ଖାଦ୍ୟରେ ଅଧିକରୁ ଅଧିକ ପରିମାଣର ମାଛ ସାମିଲ କରିବା ଦରକାର। ଆମର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମାଛ ଉପଯୋଗୀ ଅଟେ। ମୁଁ କହିଲି ଆପଣ ଭଲ ଭାବରେ ମାଛର ଉପକାରିତା ବିଷୟରେ ଜାଣିଛନ୍ତି।
ସେ ପୁଣି କହିଲେ ଭୁବନେଶ୍ୱର ରେ “ଚିଲିକା ଫ୍ରେଶ”ଦେଖିଥିଲି ବହୁତ ପରିସ୍କାର ପରିଚ୍ଛନ୍ନ ଓ ସୁନ୍ଦର ହୋଇଛି। ଚିଲିକା ମାଛର ସ୍ୱାଦ ସୁବିଧାରେ ଏବଂ ତଟକାରେ ମିଳୁଛି। ଚିଙ୍ଗୁଡ଼ି, କଙ୍କଡ଼ା ଓ ମାଛ ପାଇଁ ଆଉ ଦୂରକୁ ଯିବାକୁ ପଡୁ ନାହିଁ। ଦେଖିବାକୁ ବାକି ରହିଲା ଆମ ଆଡେ କେବେ “ଚିଲିକା ଫ୍ରେଶ” ହେଉଛି ? ଆମ ଆଡେ ଯେଉଁ ମାଛ ହାଟ ଗୁଡିକ ଅଛି ତାର କୌଣସି ସ୍ଥିରତା ନାହିଁ। ଆଜି ଗୋଟେ ଜାଗାରେ ତ, କାଲିକୁ ଆଉ ଗୋଟେ ଜାଗାରେ। ସେଥିରେ ପୁଣି ସେ ହାଟର ଅବସ୍ଥା ଯାହା, ଆଗକୁ ଅନେଇ ମାଛ କିଣିଲା ବେଳକୁ ପଛ ପଟରେ ଗାଡି ଲାଗି ଗଲାଣି। ପରିସ୍କାର କଥା ନକହିଲେ ଭଲ। ସାଧାରଣତଃ ଯେଉଁଠାରେ ସହଜ ଓ ସୁବିଧାରେ ଭଲ ମାଛ ମିଳେ ସେହିଠାରୁ ଲୋକମାନେ କିଣି ଥାଆନ୍ତି। ଯେମିତିକି କେହି କେହି ମାଛ ଅବତରଣ କେନ୍ଦ୍ରରୁ, ନଦୀ ପାଖରୁ, କେନାଲ ବନ୍ଧରୁ, ମାଛ ଚାଷୀଙ୍କ ପୋଖରୀ ପାଖରୁ, ଭେଣ୍ଡରଙ୍କ ଠାରୁ ଇତ୍ୟାଦି ଇତ୍ୟାଦି। କିନ୍ତୁ ଅଧିକ ସଂଖ୍ୟକ ଗ୍ରାହକ ନିର୍ଭର କରିଥାନ୍ତି ମାଛ ହାଟ ଗୁଡିକ ଉପରେ। ସେହି ହାଟ ଗୁଡିକ ପରିସ୍କାର ଓ ସ୍ୱାସ୍ଥ୍ୟପଦ ରଖିବାକୁ ଉଦ୍ୟମ କରାଯିବା ଆବଶ୍ୟକ।
ମୁଁ କହିଲି ପରିସ୍କାର ପରିଚ୍ଛନ୍ନ ସବୁ କ୍ଷେତ୍ରରେ ଆବଶ୍ୟକ, ଆପଣ ଠିକ୍ କହିଛନ୍ତି। ସେ କହିଲେ ସପ୍ତାହର ଅଧିକାଂଶ ଦିନ ମାଛ ହାଟକୁ ଆସିବାକୁ ପଡୁଛି। ଆଜିକାଲି ଏମିତି ହେଲାଣି ମାଛ ତରକାରୀ ଟିକେ ପାଟିରେ ନବାଜିଲେ ଖାଇବାର ମଜା ଆସୁନି। ମୁଁ କହିଲି ଆପଣଙ୍କ ଘରେ କ’ଣ ସବୁ ଦିନ ଆମିଷ ହୁଏ ? ଅଭୟ ବାବୁ କହିଲେ, ଧର୍ମପତ୍ନୀଙ୍କର ନିର୍ଦ୍ଦେଶ ଥାଏ, ସୋମବାର ଓ ଗୁରୁବାର ଦିନ ଘରକୁ ଆମିଷ ଆସିବା ନିଷେଧ। ମୁଁ ମଧ୍ୟ ସେ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିଥାଏ। ଖାଇବା ବ୍ୟତୀତ ଆଉ ଗୋଟେ ଭଲ କାମରେ ମାଛ ମୋତେ ସାହାଯ୍ୟ କରେ, ଯାହା ଶୁଣିଲେ ଆପଣଙ୍କୁ ମିଛ ଲାଗିପାରେ କିନ୍ତୁ ସତ କଥା। ମୁଁ କହିଲି ଆପଣ କୁହନ୍ତୁ ମୋତେ ଯାହା ଲାଗିବା କଥା ଲାଗୁ। ଅଭୟ ବାବୁ କହିଲେ,
ଧର୍ମପତ୍ନୀ ମୋର ଯେବେ ରାଗି ଥାଆନ୍ତି
ମାଛ ଦେଖିଦେଲେ ସବୁ ଭୁଲି ଯାଆନ୍ତି।।
ମୁଁ ହସି କି କହିଲି ଭଲ କଥା, ଯଦି ଆପଣଙ୍କ ଧର୍ମପତ୍ନୀ ସୋମବାର କିମ୍ବା ଗୁରୁବାରରେ ରାଗି ଥାଆନ୍ତି, ସେଦିନ ତ ମାଛ ଆପଣଙ୍କ ଘରକୁ ଯାଏନି, ତେବେ ଧର୍ମପତ୍ନୀଙ୍କ ରାଗ କେମିତି ଶାନ୍ତ କରି ଥାଆନ୍ତି? ଅଭୟ ବାବୁ ହସି ହସି କହିଲେ ପରେ କହିବି ……
ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା