Odiapua.com

ମାଛ ତେଲରେ ମାଛ ଭଜା

ଜଣେ ରାଜା ଥିଲେ ସେ ଯେତିକି ଜନମଙ୍ଗଳ କାର୍ଯ୍ୟ କରୁଥିଲେ, ରାଜାଙ୍କ ପାଖ କର୍ମଚାରୀ ରାଜାଙ୍କର ଗୁଣଗାନ କରି ଅଧିକ ପ୍ରଚାର ପ୍ରସାର କରୁଥିଲେ। ରାଜ୍ୟର କିଛି ଲୋକ ଭାବୁଥିଲେ ପ୍ରକୃତରେ ଏମିତି ରାଜା ମିଳିବେନି ସେ ଯାହା ଯାହା କରୁଛନ୍ତି ଆଉ କେହି କରିପାରିବେନି। କେହି କେହି ଭାବୁଥିଲେ ରାଜା ଯାହା ବି ଜନମଙ୍ଗଳ କାର୍ଯ୍ୟ କରୁଛନ୍ତି ସବୁ ଆମରି ଟଙ୍କାରେ, ଯାହା ଆମେ କର ହିସାବରେ ପୈଠ୍ୟ କରୁଛେ। ରାଜା ଭଲ ଶାସନ କରୁଛନ୍ତି ବୋଲି ତାଙ୍କ ମନରେ ଗର୍ବ ଓ ଅହଂକାର ସୃଷ୍ଟି ହେଲା। ମୁଁ ଯାହା କରୁଛି ଆଉ କେହି କରିପାରିବେନି। ମୁଁ ନଥିଲେ କିଛି ହବନି, ମୋ ଦ୍ୱାରା ହିଁ ସବୁ କିଛି ସମ୍ଭବ, ମୁଁ ସବୁ ଦେଉଛି। ଦିନେ ରାଜା ଜନମଙ୍ଗଳ କାର୍ଯ୍ୟର ସମୀକ୍ଷା କରିବା ପାଇଁ ରାଜ୍ୟର କିଛି ବଛା ବଛା ଜ୍ଞାନୀଗୁଣି ମାନଙ୍କୁ ନିମନ୍ତ୍ରଣ କଲେ। ସଭା କାର୍ଯ୍ୟ ଆରମ୍ଭ ହେଲା, ପ୍ରଥମେ ମହାମନ୍ତ୍ରୀ କହିଲେ ଏମିତି ରାଜା ଖଣ୍ଡମଣ୍ଡଳରେ ମିଳିବେନି। ରାଜ୍ୟର ସବୁ ପ୍ରଜା ଭଲରେ ଅଛନ୍ତି କେବଳ ରାଜାଙ୍କ ଦୟାରୁ। ମହାମନ୍ତ୍ରୀଙ୍କ କଥା ଶୁଣି କିଛି ଲୋକ ହଁ ହଁ କହୁଥାନ୍ତି। ଠିକ ସେତିକିବେଳେ ଜଣେ ସନ୍ଥ କହିଲେ, ମୋତେ ଲାଗୁଛି ପ୍ରଜାମାନେ ଯେମିତି ରାଜାଙ୍କ ଦାୟର ପାତ୍ର, ହେଲେ ରାଜା ଯାହା ଯାହା କରୁଛନ୍ତି ସେ ଟଙ୍କା କେଉଁଠୁ ଆଣୁଛନ୍ତି ? ରାଜା ଯେଉଁ ଜନମଙ୍ଗଳ କାର୍ଯ୍ୟ କରୁଛନ୍ତି ତାହା ସମ୍ଭବ ହୋଇପାରୁଛି କେବଳ ପ୍ରଜାମାନଙ୍କ ଠାରୁ ଆଦାୟ କରାଯାଉଥିବା ରାଜସ୍ୱ ପାଇଁ। ରାଜା ନିଜର ବୁଦ୍ଧି ଜ୍ଞାନ ଖଟାଇ ସେହି ଟଙ୍କା ବିନିଯୋଗ କରି ପ୍ରଜାମଙ୍ଗଳ କାର୍ଯ୍ୟ କରୁଛନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ପ୍ରଜାମାନଙ୍କ ଟଙ୍କା ପ୍ରଜାମାନଙ୍କ କାର୍ଯ୍ୟରେ ଲାଗୁଛି, ଯାହା କି ରାଜା ମାଛ ତେଲରେ ମାଛ ଭାଜୁଛନ୍ତି। ନା ସେ ମାଛ ରାଜାଙ୍କର, ନା ମାଛ ଦେହରେ ଥିବା ତେଲ ରାଜାଙ୍କର। ମାଛକୁ କେତେ ଭଲ ଭାବରେ ଭାଜି ପାରିବେ କେବଳ ସେହି ଦାଇତ୍ୱ ରାଜାଙ୍କର। ସନ୍ଥଙ୍କ କଥା ରାଜାଙ୍କ ମନକୁ ଆନ୍ଦୋଳିତ କଲା, ତାଙ୍କର ଚେତନା ପଶିଲା, ସେ ଭାବିଲେ ସନ୍ଥ ଠିକ କହୁଛନ୍ତି। ଆଜି ପର୍ଯ୍ୟନ୍ତ ମୁଁ କେବଳ ମୁଁ ସର୍ବସ୍ୱରେ ବୁଡି ରହି ଦିଗହାର ହେଇଯାଇଥିଲି, ସନ୍ଥ ହିଁ ମୋର ଆଖି ଖୋଲିଦେଲେ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା