ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସଭାଗୃହରେ ୧୬ ଦିବସୀୟ ଲିଙ୍ଗ ଭିତିକ ଅଭିଯାନ ଅବସରରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ହିଂସା ବିଲୋପ ପାଇଁ ସମ୍ବଳିତ ପ୍ରୟାସ ଶୀର୍ଷକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁ ବିଭାଗ, ଓଡ଼ିଶା ସରକାର ଏବଂ ଫେଲୋସିପ, ଆସିଆନା ଓ ନୁହାସ୍ ଶକ୍ତି ସଦନ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଫେଲୋସିପ୍ର ସମ୍ପାଦକ ଏସ୍.ଏମ୍.ଫାରୁକ୍ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୂପେ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଯୋଗଦେଇ ନିଜ ଅଭିଭାଷଣରେ ପରିବାରରେ ସଚେତନତା ମୁଖ୍ୟ ବୋଲି କହିବା ସହ ବିଭିନ୍ନ ହୃଷ୍ଟାନ୍ତ ମୂଳକ ଉଦାହରଣ ଦେଇଥିଲେ । ସ୍ୱାଗତ ଭାଷଣରେ ଫେଲୋସିପ୍ ସଂପାଦକ ଲଲାଟେନ୍ଦୁ ମହାନ୍ତି କାର୍ଯ୍ୟକ୍ରମର ମୂଳ ବିଷୟ ବସ୍ତୁ ‘ମହିଳାମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ’ ଉପରେ ଆଲୋକପାତ କରିଥିଲେ । ସମ୍ମାନୀୟ ଅତିଥିଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସମ୍ବିତ ମାଝୀ, ଅରୁପ ଅଭିଶେକ୍ ଯୋଗଦେଇ ସମାଜରେ ଘଟୁଥିବା ହିଂସା ପାଇଁ ଆମକୁ ପ୍ରଥମେ ସଜାଗ ରହିବା ସଂଗେ ସଂଗେ ଆଇନ୍ର ସାହାଯ୍ୟ ନେବା ପାଇଁ ପରାମର୍ଶ ଦେଇଥିଲେ । ଡ଼ି.ଏସ୍.ପି. ବିଶ୍ୱପତି ପଣ୍ଡା, ଦୀପ୍ତିରେଖା ପ୍ରିୟଦର୍ଶନୀ ସାହୁ, ନିରୀକ୍ଷଣ ଅଧିକାରିଣୀ ବନ୍ଦନା ଦେବୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଆଇନ୍ ଅଧିକାରୀ ସୁବ୍ରତ ଦାସ ପ୍ରମୁଖ ଯୋଗଦାନ କରି ସାମାଜିକ ଗଣମାଧ୍ୟମର ବ୍ୟବହାର ପ୍ରତି ସର୍ତକ ଓ ସଚେତନତା ରହିବା ସହ ସର୍ବଦା ମନବଳ ଦୃଢ଼ ରଖି ବିଭିନ୍ନ ବିଭାଗ ସହ ସମନ୍ୱୟ ସହଯୋଗ ରଖିଲେ ଅପରାଧ ଓ ଅପରାଧି କବଳରୁ ରକ୍ଷା ପାଇପାରିବେ ବୋଲି ମତପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୧ନଂ ୱାର୍ଡ଼ କାଉନ୍ସିଲର ପ୍ରତିନିଧି ପଙ୍କଜ ବଳ, ଚାଇଲଡ଼ି ଲାଇନ୍ର ସଂଯୋଜିକା ଶୁଭଶ୍ରୀ କର, ହନିଫ୍ କ୍ଲବର ବରିଷ୍ଠ ସଦସ୍ୟ ନାସିରୁଦ୍ଧିନ୍ ଖାନ୍, ସେକ୍ ଜହିର୍, ଏମ୍.ଏସ୍.ଏଫ୍.ର ପରାମର୍ଶଦାତା ସେକ୍ ଆସିଫ୍ ଇକ୍ବାଲ, ସଭାପତି ସେକ୍ ଇମ୍ଦାଦ, ଫେମିଲି କାଉନ୍ସିଲର ପରାମର୍ଶଦାତ୍ରୀ ସ୍ନେହଲତା ପଣ୍ଡା, ପ୍ରିୟଙ୍କା ସାହୁ ପୋଲିସ୍ ଅଧିକାରୀ, ଓମେନ୍ ହେଲ୍ପ ଲାଇନ୍ର ୧୮୧ର କର୍ମକର୍ତା ଏବଂ ଜାନକୀ ଦେବୀ ନର୍ସିଂ ସ୍କୁଲ ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆସିଆନା ସଂଯୋଗ ରିଆଜ ଅହମଦ୍ ପରିଚାଳନା କରିଥିବା ବେଳେ ଫେଲୋସିପ୍ର ଅଧ୍ୟକ୍ଷ ଯୋଗମାୟା ଚାନ୍ଦ, ନୁହାସ୍ ଅଧ୍ୟକ୍ଷ ଉଷାରାଣୀ ବେହେରା, ୱାନ୍ ଷ୍ଟପ୍ ସେଣ୍ଟରର ଏକାଉଟାଂଟ ଲିପ୍ସା ନାୟକ, ଫେଲୋସିପ୍ର କର୍ମକର୍ତା ଜିତେନ୍ଦ୍ର ନାୟକ ସହଯୋଗ କରିଥିଲେ । ପରିଶେଷରେ ସଖୀ କେନ୍ଦ୍ରପ୍ରଶାସିକା ପୁଷ୍ପଲତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।