Odiapua.com

ମସିପୁଟ ଗ୍ରାମବାସୀଂକ ନିଷ୍ପତି ରାସ୍ତା ନାହିଁତ ଭୋଟ ନାହିଁ

କୋରାପୁଟ ୦୮-୦୪-୧୯ ( ଓଡିଆ ପୁଅ /ରଂଜନ କୁମାର ଦାସ) ପ୍ରତି ଗାଁକୁ ଯୋଗାଯୋଗ ବ୍ୟବସ୍ଥା କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ସଡକ ଯୋଜନା, ମୁଖ୍ୟ ମନ୍ତ୍ରୀ ସଡକ ଯୋଜନା ଭଳି ଜନ ହିତକର ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଜିଲା ସଦର ମହକୁମା ଠାରୁ ମାତ୍ର ୭କିଲୋମିଟର ଦୂର ମସିପୁଟ ଗାଁକୁ ଆଜି ଯାଏ ପକ୍କା ରାସ୍ତା ହୋଇନପାରିବା ବିଡମ୍ବନାର ବିଷୟ। କୋରାପୁଟ ପୈାର ପରିଷଦ ଅନ୍ତର୍ଗତ ୧୯ ନମ୍ବର ୱାର୍ଡରେ ରହିଥିବା ଏହି ଗ୍ରାମରେ ମାଳି, ଆଦିବାସୀ ଓ ଏବଂ ଦଳିତ ସମ୍ପ୍ରଦାୟର ୭୦ଟି ପରିବାରର ପ୍ରାୟ ୩୫୦ ମହିଳା ପୁରୁଷ ବସବାସ କରନ୍ତି। ମୂଳରୁ ଏହି ଗାଁଟି କୋରାପୁଟ ପୌର ପରିଷଦ ଅଧୀନରେ ରହିଥିଲେ ମଧ୍ୟ ପୌର ପରପିଷଦର ଅନ୍ୟ ଅଂଚଳ ଭଳି ଗ୍ରାମର ବିକାଶ ହୋଇ ପାରିନଥିବା ଗ୍ରାମର ଭକ୍ତ ଭୋଇ, ନିଳ ମାଳି ପ୍ରକାଶ କରିଛନ୍ତ। କୋରାପୁଟ ସହର ଉପକଣ୍ଠ କହ୍ନେଇପୁଟରୁ ଏକାଧିକ ନାଳ ଡେଇଁ ଅଙ୍କାବଙ୍କା ରାସ୍ତାରେ ଗଲେ ମସିପୁଟ ଗାଁରେ ପହଂଚି ହୁଏ। ନିର୍ବାଚନ ସମୟରେ ବଡ ବଡ ପ୍ରତିଶୃତି ମିଳେ କିନ୍ତୁ ଭୋଟ ପାଇବା ପରେ କାହାର ଦେଖା ମିଳେ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଥିବାବେଳେ ୨୦୧୪ ନିର୍ବାଚନ ପରଠାରୁ ବିଧାୟକ କିମ୍ବା ସାଂସଦ କେହି ମସିପୁଟ ମାଡି ନଥିବା ଗ୍ରାମବାସୀ କହିଛନ୍ତି। ଗାଁକୁ ଭଲ ରାସ୍ତାଟିଏ ନଥିବା ଯୋଗୁଁ ଛାତ୍ରଛାତ୍ରୀ, ରୋଗୀ, ଗର୍ଭବତୀ ମହିଳା ଓ ପ୍ରସୂତୀ ନାନା ଅସୁବିଧାର ସମୁଖୀନ ହୋଇ ଥାଆନ୍ତି। ଏପରିକି ରାସ୍ତା ନଥିବା ହେତୁ ବର୍ଷାଦିନେ ଗାଁକୁ ଆମ୍ବୁଲାନ୍ସତ ଦୂରର କଥା କୌଣସି ଅଟୋରିକ୍ସା ମଧ୍ୟ ଯିବାକୁ ରାଜି ହୁଅନ୍ତି ନାହିଁ, ତେଣୁ ଜରୁରୀ ସମୟରେ ରୋଗୀ ଓ ପ୍ରସୂତୀ ମାନଙ୍କୁ ଭାର କରି ହସ୍ପିଟାଲ ନିଆ ଯାଏ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ମସିପୁଟ ସମତେ ଡୁମୁରିଗୁଡା, ଚଣ୍ଡାଳଗୁଡା, ଥାଟପୁଟ କୋଲାବ ଗ୍ରାମର ଲୋକେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରି ଥାଆନ୍ତି। ତେଣୁ ପ୍ରଶାସନିକ ଓ ଲୋକ ପ୍ରତିନିଧିଙ୍କ ଅବହେଳାର ଉଚିତ୍ ଜବାବ୍ ଦେବାକୁ ୧୧ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସେମାନେ ଭୋଟ ଦେବେ ନାହିଁ ବୋଲି ମସିପୁଟ ସମତେ ଡୁମୁରିଗୁଡା, ଚଣ୍ଡାଳଗୁଡା, ଥାଟପୁଟ ଗ୍ରାମବାସୀ ନିଷ୍ପତି ନେଇଛନ୍ତି। ଗାଁକୁ ରାସ୍ତା ନାହିଁତ ଭୋଟ ନାହିଁ ବୋଲି ଗାଁ ମୁଣ୍ଡରେ ପୋଷ୍ଟର ମାରି ରାଜନୈତିକ ଦଳ ଗୁଡିକୁ ଗ୍ରାମବାସୀ ଚେତାବନୀ ଦେଇଥିବାବେଳେ ଗାଁ ମାନଙ୍କରେ କାହାକୁ ପୁରାଇଦେଉ ନାହାନ୍ତି।