Odiapua.com

ମଣ୍ଡିରେ ବିକ୍ରୀ ହୋଇଥିବା ମାଣ୍ଡିଆର ଅର୍ଥ ପ୍ରଦାନ କରିବାକୁ ଦାବି

କୋରାପୁଟ ୨୦-୦୪(ଓଡିଆ ପୁଅ /ରଂଜନ ଦାସ)ମଣ୍ଡିରେ ଚାଷୀ ମାଣ୍ଡିଆ ବିକ୍ରୀ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅର୍ଥ ପାଇ ନ ଥିବାରୁ ଚାଷୀମାନେ ଆଜି ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ  ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।ଦାବିପତ୍ର ପ୍ରଦାନ ସମୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଉପସ୍ଥିତ ଥିଲେ ।ଚାଷୀମାନଙ୍କର ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ।ଗତମାସ ୨୭ ତାରିଖରେ ଚାଷୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଟିଡିସିସି ଶାଖା ପରିଚାଳକ , ଏଡିଏମ ,ଡିଆରସିଏସ ଓ ସିଡିଏଓ ମଣ୍ଡି ଯାଇ ତଦନ୍ତ କରିଥିଲେ ।ଜିଲ୍ଲାର ବିଭିନ୍ନ ମଣ୍ଡିର ବାହାରେ ମାଣ୍ଡିଆ ପଡିରହି ନଷ୍ଟ ହୋଇଯାଇଥିବା ଟିଡିସିସି ଶାଖା ପରିଚାଳକ ଗଙ୍ଗାଧର ମହାନ୍ତି ସୂଚନା ଦେଇଛନ୍ତି ।ଭୁବନେଶ୍ୱରରୁ ଗତ ୧୪ ତାରିଖ ଦିନ ଦୁଇ ଜଣିଆ ପ୍ରତିନିଧି ଦଳ ଆସି ତଦନ୍ତ କରିଯାଇଥିବା ସେ ପ୍ରକାଶ କରିଛନ୍ତି । ମାଣ୍ଡିଆ କ୍ରୟ କଲା ପରେ ରାଜ୍ୟ କାର୍ଯ୍ୟାଳୟରୁ ବିନା ଚିଠିରେ ମାଣ୍ଡିଆ କ୍ରୟ କରିବାକୁ ବନ୍ଦ କରିବାକୁ କୁହାଯାଇଥିଲା ଓ ଅନଲାଇନକୁ ବନ୍ଦ କରିଦିଆଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି ।ଅନଲାଇନ ବନ୍ଦ କରିଦେବାରୁ ଚାଷୀମାନେ ଅର୍ଥ ପାଇପାରୁ ନ ଥିବା ସେ ସୂଚନା ଦେଇଛନ୍ତି ।ଜିଲ୍ଲାର ଚାଷୀମାନଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି ।
ରାଜ୍ୟ ସରକାର ମଣ୍ଡି ସ୍ଥାପନ କରି ଚାଷୀଙ୍କଠାରୁ ମାଣ୍ଡିଆ କ୍ରୟ କରୁଥିବାରୁ କୋରାପୁଟ ଜିଲ୍ଲାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି ପାଇଥିଲା ଓ ଚାଷୀ ସରକାରୀ ମଣ୍ଡିରେ ମାଣ୍ଡିଆ ବିକ୍ରୀ କରିବା ନିମନ୍ତେ ଉତ୍ସାହିତ ଥିଲେ ।ମିଲଟ ମିଶନ ଓ ଟିଡିସିସି ତରଫରୁ ମାଣ୍ଡିଆ କ୍ରୟ କରାଯାଇଥିଲା ।କିନ୍ତୁ ମାଣ୍ଡିଆ ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକା କ୍ରୟ ହୋଇଥିବା ଦର୍ଶାଇ  ମାଣ୍ଡିଆ କ୍ରୟ କରିବା ବନ୍ଦ କରିଦେଇଥିଲେ । ଯଦ୍ୱାରା ଏବେ ମଣ୍ଡିରେ ମାଣ୍ଡିଆ ବିକ୍ରୀ ନ ହୋଇ ପଡିରହିଥିବା   ଭୁବନ ଜାନି ପ୍ରକାଶ କରିଛନ୍ତି । ବର୍ତମାନ ଜିଲ୍ଲାରେ ୩୬୯ ଜଣ ଚାଷୀଙ୍କ ୪୫୧୩ .୫୧ କ୍ୱିଟାଂଲ ମାଣ୍ଡିଆ ବିକ୍ରୀ କରାଯାଇଛି କିନ୍ତୁ ଚାଷୀମାନେ ଟଙ୍କା ପାଇ ନ ଥିବା ସେ ଅଭିଯୋଗ କରିଛନ୍ତି ।୩୧୩ ଜଣ ଚାଷୀଙ୍କ୨୭୯୫.୭୭ କ୍ୱିଟାଂଲ ମାଣ୍ଡିଆ ଖୋଲା ମଣ୍ଡିରେ ପଡିରହିଥିବା ବେଳେ ଜିଲ୍ଲାରେ ଅଦିନିଆ ବର୍ଷାରେ ମାଣ୍ଡିଆ ଓଦା ହେଉଥିବା ସେ ଆହୁରୀ ଅଭିଯୋଗ କରିଥିଲେ  ାକୋରାପୁଟ ଜିଲ୍ଲା ପାଇଁ ୭୧ ହଜାର ୩୦୦ କ୍ୱିଟାଂଲ ମାଣ୍ଡିଆ କ୍ରୟ କରିବା ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ରହିଥିବା ବେଳେ ୭୧୧୮୪.୪୨ କ୍ୱିଟାଂଲ ମାଣ୍ଡିଆ କ୍ରୟ କରାଯାଇଥିବା ଟିଡିସିସି ଶାଖା ପରିଚାଳକ ଗଙ୍ଗାଧର ମହାନ୍ତି ସୂଚନା ଦେଇଛନ୍ତି ।ଜିଲ୍ଲାରେ ୪୦ ଟି ମଣ୍ଡି କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି ।ସମୁଦାୟ ୬୬୬୭୦.୯୧ କ୍ୱିଟାଂଲ ମାଣ୍ଡିଆର ଅର୍ଥ ପୈଠ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ଏକ କୋଟି  ୪୮ ଲକ୍ଷ ୭୦ ହଜାର ଟଙ୍କା ଚାଷୀମାନେ ପାଇବାକୁ ରହିଥିବା ସେ ପ୍ରକାଶ କରିଛନ୍ତି ।ଆମ୍ଭର କିଛି ଭୂଲ ନାହିଁ ସବୁକିଛି ରାଜ୍ୟ କାର୍ଯ୍ୟାଳୟର ଭୁଲ ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।ଚାଷୀମାନେ କିପରି ସେମାନଙ୍କ ପ୍ରାପ୍ୟ ଅର୍ଥ ପାଇବେ ଓ ରହିଯାଇଥିବା ମାଣ୍ଡିଆକୁ ସରକାର ତୁରନ୍ତ କ୍ରୟ କରିବାକୁ ସାଧାରଣରେ ଦାବି ହେଉଛି ।