Odiapua.com

ମଙ୍ଗଳବାର ଆନ୍ଦୋଳନ କରିବେ ନାଲକୋ ବିସ୍ଥାପିତ ୧୨ ପରିବାର

କୋରାପୁଟ ୨୯-୦୭ (ଓଡିଆ ପୁଅ /ରଂଜନ କୁମାର ଦାସ) ନାଲକୋ ପ୍ରତିଷ୍ଠା ନିମନ୍ତେ ଭିଟାମାଟି ଓ ଜମିବାଡି ହରାଇ ଥିବା ସତ୍ୱେ ଚାକିରୀ ପାଇନଥିବା ପ୍ରତିବାଦରେ ଆସନ୍ତା କାଲି ୧୨ ଟି ବିସ୍ଥାପିତ ପରିବାର ଆନ୍ଦୋଳନ କରିବେ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ୧୯୮୧ରେ ନାଲକୋ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଦାମନଯୋଡି, ଡୁମୁରିଗୁଡା, ଶୁକ୍ରିଗୁଡା, ପାଟିଆସିଲ୍, କଂଟାଗୁଡା, ସିନ୍ଧିପାର୍, ଗୌଡଗୁଡା, ବାରଗାପୁଟ, ଝୋଡିଗୁଡା ଏବଂ ୨୦୦୩ରେ ଚମ୍ପାପଦର ଓ ଖରାଗୁଡା ଗାଁ ଗୁଡିକୁ ଅଧିଗ୍ରହଣ କରିଥିଲେ। ସମସ୍ତ ଗ୍ରାମବାସୀଙ୍କୁ ଜମି ବାବଦରେ କ୍ଷତି ପୂରଣ, ଘର ଓ ଚାକିରୀ ପ୍ରଦାନ କରିବାକୁ ନାଲକୋ ଚୁକ୍ତି କରିଥିଲା। ବିସ୍ଥାପିତ ମାନଙ୍କୁ ମାଥାଲପୁଟ ନିକଟ ଅମଲାବାଡି ଓ ଦାମନଯୋଡି ରେଳ ଷ୍ଟେସନ ନିକଟ ମାଛଲିଗୁଡାରେ ଘରକରି ଥଇଥାନ କରାଗଲା। ବିସ୍ଥାପିତ ପରିବାରର ଅନେକ ଯୋଗ୍ୟ ବ୍ୟକ୍ତି ସେତେବେଳେ ଚାକିରୀ ପାଇଥିଲେ ମଧ୍ୟ ୯୦ଟି ପରିବାର କୌଣସି କାରଣବଶତଃ ସେତେବେଳେ ଚାକିରୀ ପାଇବାରୁ ବଂଚିତ ହୋଇଥିଲେ। ପରବର୍ତି ସମୟରେ ବଂଚିତ ହୋଇଥିବା ବିସ୍ଥାପିତ ପରିବାରର ଉତରାଧିକାରୀଙ୍କୁ ଚାକିରୀ ଦେବାକୁ ନିଷ୍ପତି ହୋଇଥିଲା। ୨୦୦୪ରେ ଉକ୍ତ ୯୦ଜଣ ଚାକିରୀ ନିମନ୍ତେ ଆବେଦନ କରି ଆରପିଡିଏସି ଅଧ୍ୟକ୍ଷ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ଦ୍ୱାରସ୍ତ ହୋଇଥିଲେ। ହେଲେ ଉପଯୁକ୍ତ କାଗଜ ପତ୍ର ପୈଠ କରି ନପାରିବାରୁ ତକ୍ରାଳୀନ ଆରଡିସି ୭୧ଜଣଙ୍କ ଆବେଦନକୁ ଖାରଜ କରି ସପୁରା ସାଉଁନ୍ତା, ଧାନୁ ଟାକ୍ରୀ, ବିନ ଖରା, ଗୋରୀ ଭୋଇ, ତ୍ରିଲୋଚନ ଗୌଡ, ଧନାଇ ଭୋଇ, ସୂର୍ଯ୍ୟମଣି ନାଗ, ଇଶ୍ୱର କନ୍ଦପାନ, କମୁଳୁ ଛାତି, ଲଇଚନ୍ ଟାକ୍ରୀ, ନବ ଖୀଲ, ଖଗପତି ହନ୍ତାଳ, ରାମିଲ କୁଲଦୀପ, ରୁନି ସାଉଁନ୍ତା, ସଇତାବତୀ କିର୍ଷାନୀ, ସାଧୁ ମାଳି, ଟଂକମଣି ମାଳି, ପୁର୍ଣମଣି ଖୋସ୍ଲା, ଓ ଭୂବନ ମାଳି ପ୍ରମୁଖ ୧୯ଜଣଙ୍କୁ ନିଯୁକ୍ତି ଦେବା ପାଇଁ ନାଲକୋ ପ୍ରଶାସନକୁ ଚିଠି ଲେଖିଥିଲେ। ଆରଡିସିଙ୍କ ନିର୍ଦ୍ଦେଶ କ୍ରମେ ଉପରୋକ୍ତ ୧୯ଜଣ ମଧ୍ୟରୁ ନାଲକୋ ପ୍ରଶାସନ ୭ଜଣକୁ ଚାକିରୀ ଦେଇ ଅନ୍ୟ ୧୨ ଜଣ ବିସ୍ଥାପିତଙ୍କୁ କୌଣସି କାରଣରୁ ନିଯୁକ୍ତି ଦେଲା ନାହିଁ। ଚାକିରୀରୁ ବଂଚିତ ୧୨ଜଣ ପୁଣି ୨୦୧୧ ପ୍ରାରମ୍ଭରେ ଆରଡିସିଙ୍କୁ ଗୁହାରୀ ଜଣାଇବା ପରେ ୨୦୧୧ ଜୁନ୍ ୩୦ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ନାଲକୋ ପ୍ରଶାସନ ପ୍ରତିଶୃତି ଦେଇଥିଲା। ହେଲେ ୧୨ଟି ପରିବାର ନାଲକୋ କ୍ଷତିଗ୍ରସ୍ତଙ୍କ ତାଲିକାରେ ନଥିବା ଦର୍ଶାଇ ନାଲକୋ ପ୍ରଶାସନ ପୁଣି ଦିନ ଗଡାଇ ନେଲା। କିନ୍ତୁ ଏହା ମଧ୍ୟରେ ୮ବର୍ଷ ବିତି ଯାଇଥିଲେ ମଧ୍ୟ ନାଲକୋ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ତେଣୁ କିଛି ମାସ ପୂର୍ବେ ବିସ୍ଥାପିତ ପରିବାର ଜିଲା ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ। କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର ପୁନର୍ବାର ତଦନ୍ତ କରି ଉକ୍ତ ୧୨ଟି ପରିବାର ବିସ୍ଥାପୀତ ହୋଇଥିବା ରିପୋର୍ଟ ପ୍ରଦାନ କରିଥିଲେ। ତଥାପି ନାଲକୋ ଚାକିରୀ ଦେବାର ନାଁ ଧରୁନଥିବାରୁ ପ୍ରତିବାଦ କରି ଆସନ୍ତାକାଲି ୧୨ଟି ପରିବାର ନାଲୋକ ମୁଖ୍ୟ ଫାଟକ ସମୁଖରେ ଧାରଣା ଦେବା ସହ ମାଇନଓ ରାସ୍ତା ଅବରୋଦ୍ଧ କରିବେ ବୋଲି ଜିଲାପାଳ, ଉପ-ଜିଲାପାଳ, ନାଲକୋ କର୍ତୂପକ୍ଷ ଓ ସ୍ଥାନୀୟ ପୁଲିସକୁ ଜଣାଇଛନ୍ତି।