Odiapua.com

ବୁଢ଼ା ବାପାର କୋହଭରା କଥା

ରଙ୍କ ବାବୁ ୧୦ ବର୍ଷ ହେଲାଣି ଚାକିରିରୁ ଅବସର ନେଲେଣି। ଆଗଭଳି ଆଉ ବାହାରକୁ ବୁଲାବୁଲି କରିବାକୁ ଆସୁନାହାନ୍ତି କି କୌଣସି ଦୋକାନ ଆଗରେ ବସି ଦେଶଦୁନିଆ ବିଷୟରେ ଚର୍ଚ୍ଚା କରୁନାହାନ୍ତି। ଅଧିକାଂଶ ସମୟରେ ସେ କୁହନ୍ତି ସ୍ୱାସ୍ଥ୍ୟ ହିଁ ସମ୍ପଦ, ଦେହ ଭଲ ଥିଲେ ମନ ଭଲ ରହେ ଆଉ ମନ ଭଲ ଥିଲେ କାମ କରିବାକୁ ଇଛା ହୁଏ।

ପିଲାବେଳୁ ରଙ୍କ ବାବୁ ଟିକେ ଆମିଷ ପ୍ରିୟ। ପ୍ରତି ବୁଧବାର ଓ ରବିବାର ଦିନ ମାଛ ତାରକାରୀ ଟିକେ ତାଙ୍କ ପାଟିରେ ନବାଜିଲେ ଦିନଟା ଭଲରେ କଟେନି। ଆଜିକାଲି ସେ ଆଉ ମାଛ ହାଟକୁ ଆସିପାରୁ ନାହାନ୍ତି କି ଆଗଭଳି ମନମୁତାବକ ମାଛ ଖାଇପାରୁନାହାନ୍ତି। ମାଛ ଖାଇବାକୁ ଇଛା ହେଲେ ପୁଅ ଉପରେ ନିର୍ଭର କରିବାକୁ ପଡୁଛି। ଦିନକର କଥା ରଙ୍କ ବାବୁ ସକାଳୁ ଉଠି ପୁଅକୁ କହିଲେ ଆଜି ବୁଧବାର ମାଛ ହାଟକୁ ଟିକେ ଯାଅ, ଦେଶି ଭାକୁର ମାଛ ଦେଖିବୁ ଯଦି ନମିଳିବ, ତେବେ ଚୁନା ମାଛ ଆଣିବୁ। ଗତ ବୁଧବାର ଦିନ ମାଛ ଖାଇପାରିନି, କ’ଣ କହିଲୁ ନା ମାଛ ହାଟକୁ ବିଳମ୍ବରେ ଯିବାରୁ ଭଲ ମାଛ ମିଳିଲାନି। ଆଜି ଟିକେ ଶୀଘ୍ର ଯାଅ ଭଲ ମାଛ ମିଳିଯିବ। ପୁଅ କହିଲା ଆମ ଗାଁ କୁ ଜଣେ ମାଛ ବିକାଳି ଆସୁଛି, ଆଜି ତାରି ପାଖରୁ କିଣିବା। କିଛି ସମୟ ପରେ ରଙ୍କ ବାବୁ ପଚାରିଲେ, କାହିଁ ସେ ମାଛ ବାଲା କୁଆଡେ ଗଲା ? ପୁଅ କହିଲା ନାଇଁ ବାପା, ଏତେ ଶୀଘ୍ର ସେ ଆସେନି, ସେ ଯେତେବେଳେ ଗାଁ ଭିତରକୁ ଆସିବ, ମାଛ ନବ ମାଛ, ମଧୁର ଜଳର ମାଛ, ସୁଆଦିଆ ମାଛ କହି ବଡ଼ ପାଟିରେ ଡାକ ଛାଡିବ। ରଙ୍କ ବାବୁଙ୍କ ମନ କିନ୍ତୁ ମାଛ ପାଖରେ ଥାଏ, ସେ ଭାବୁଥାନ୍ତି ଯଦି ମାଛ ବାଲା ନ ଆସେ ତେବେ ଆଜି ବି ମାଛ ଟିକେ ଖାଇ ହବନି। ପୁଣି କିଛି ସମୟ ପରେ ରଙ୍କ ବାବୁ ପୁଅକୁ ପଚାରିଲେ ବାହାରେ ଟିକେ ବୁଲିକି ଦେଖେ, କାଳେ ସେ ମାଛ ବାଲା ଡ଼ାକିଥିବ ଆମେ ଶୁଣିପାରିନଥିବା। ପୁଅ କହିଲା ତମେ ଚିନ୍ତା କରନି ସେ ଆସିଲେ ମୁଁ ଜାଣିପାରିବି। ରଙ୍କ ବାବୁଙ୍କ ମନ କିନ୍ତୁ ବୁଝୁନଥାଏ, କିଛି ସମୟ ପରେ ପୁଣି ସେହି ସମାନ କଥା, ଏତେ ସମୟ ହେଲାଣି ସେ ମାଛ ବାଲା କାହିଁ ? ଆଜି ବୋଧେ ସେ ଆସିବନି। ଏଥର ପୁଅ ବିରକ୍ତି ହୋଇ କହିଲା ତମେ ଟିକେ ଚୁପ ରୁହ, ସକାଳୁ ଖାଲି ମାଛ ମାଛ…., ଗୋଟେ କଥାକୁ ବାରମ୍ବାର ଶୁଣି ମୋତେ ବିରକ୍ତି ଲାଗିଲାଣି, ଦିନେ ମାଛ ନଖାଇଲେ ଏମିତି କ’ଣ ଟା ଭାସିଯିବ କି ? ମୋ ମୁଣ୍ଡରେ ଦୁନିଆ ଚିନ୍ତା ତମର ଖାଲି ମାଛ ମାଛ …, ରଙ୍କ ବାବୁ ଆଶ୍ଚର୍ଯ୍ୟ ହୋଇ ପୁଅ ଆଡକୁ ଅନେଇଥାନ୍ତି। ଦୁଃଖର ସହିତ ପୁଅକୁ କହିଲେ ତୋର ଏ କଟୁବାକ୍ୟ ଶୁଣିସାରିବା ପରେ ମୋର ମାଛ ଖାଇବା ଇଛା ଟା ମରିଗଲା ରେ… ଏମିତିକା କଥାଗୁଡା ତୋ ପାଖରୁ ଶୁଣିବି ବୋଲି କେବେ ଭାବିନଥିଲି। ପିଲାଦିନ କଥା ତୋର ମନେନଥିବ ସେତେବେଳେ ତୁ ଗୋଟେ କଥାକୁ ବାରମ୍ବାର କହିଥିଲୁ, କାହିଁ ମୁଁ ତ ତୋତେ ଚୁପ ରହିବାକୁ କହୁନଥିଲି କି ତୋ’ ଉପରେ ବିରକ୍ତ ହେଉନଥିଲି ? ବରଂ ସ୍ନେହର ସହିତ ତୋର ସବୁ କଥା ଶୁଣୁଥିଲି। ତୁ ଯେତେବେଳେ କଲେଜରେ ପଢ଼ୁଥିଲୁ ସତେବେଳେ ମୋର ଆର୍ଥିକ ଅବସ୍ଥା ଭଲ ନଥିଲା। ମୁଁ ଦୁଃଖରେ ଓ ଚିନ୍ତାରେ ଥିଲେ ମଧ୍ୟ ତୋର ସବୁ ଇଛା ପୂରଣ କରୁଥିଲି, କାହିଁ ମୁଁ ତ ତୋ ଉପରେ ବିରକ୍ତି ହୋଇନଥିଲି କି ରାଗୁନଥିଲି ? ଏ ବୁଢା ବାପାର ୩ ପଦ କଥା ଶୁଣିବାକୁ ତୋର ଧର୍ଯ୍ୟ ନାହିଁ ? ମୋର କଥା ଗୁଡା କ’ଣ ଏତେ ଖରାପ ? ଯାହାଫଳରେ ତୁ ଚୁପ ରହିବାକୁ କହୁଛୁ, ବିରକ୍ତି ହେଉଛୁ, ରାଗିଯାଉଛୁ…, ରଙ୍କ ବାବୁଙ୍କ କୋହଭରା କଥା ଶୁଣି ପୁଅ ଲଜ୍ଜିତ ହେଲା ଓ ନିଜର ଭୁଲ ବୁଝିପାରି କ୍ଷମା ପ୍ରାର୍ଥନା କଲା।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା