Odiapua.com

ବୁଥ ଅଭିମୁଖେ ପୋଲିଂ ପାର୍ଟି

କୋରାପୁଟ;୦୯-୦୪-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଜିଲାର ସମସ୍ତ ବୁଥ ଅଭିମୁକ୍ଷେ ପୁଲିଂ ପାର୍ଟି ବାହାରି ଯାଇଛନ୍ତି। ମଙ୍ଗଳବାର ପୂର୍ବାହ୍ନରୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀ ଓ ଘରୋଇ ଗାଡି ଚାଳକ କୋରାପୁଟ ସରକାରୀ ମହାବିଦ୍ୟାଳୟରେ ପହଂଚି ଭୋଟ ଗ୍ରହଣ ନିମନ୍ତେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ, ଭିବିପାଟ୍ ମେସିନ୍ ସମେତ ଆବଶ୍ୟକୀୟ ଅନ୍ୟାନ୍ୟ ସାମଗ୍ରୀ କାଉଂଟରରୁ ସଂଗ୍ରହ କରିବା ପରେ ନିଜ ନିଜ ବୁଥ୍ ଅଭିମୁଖେ ଯାତ୍ରା କରିଥିଲେ। ସୁରକ୍ଷା କର୍ମଚାରୀଙ୍କ ପାଇଁ ଜିଲା ପୁଲିସ ତରଫରୁ ସରକାରୀ ମହାବିଦ୍ୟାଳୟରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇଥିଲା। ନିର୍ବାଚନରେ ନିୟୋଜିତ କର୍ମଚାରୀମାନେ ଯେପରି ଅତି ସୁବିଧାରେ ସେମାନଙ୍କ ଆବଶ୍ୟକୀୟ ସାମଗ୍ରୀ ପାଇପାରିବେ ସେଥି ନିମନ୍ତେ ଜିଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିଲା। ଚଳିତ ନିର୍ବାଚନରେ ପୋଲିଂ ପାର୍ଟିଙ୍କ ଯାତାୟତ ପାଇଁ ବସ୍, ଟାଟା ମେଜିକ୍, ମିନିବସ୍, କମାଣ୍ଡର, ବଲେରୋ ଜିପ୍ ଓ କାର୍ ବ୍ୟବସ୍ଥା କରା ଯାଇଥିବାବେଳେ ମାଲବାହୀ ଟ୍ରକ୍, ଭ୍ୟାନ୍ ଇତ୍ୟାଦିକୁ ବାରଣ କରା ଯାଇଥିବା ଜଣା ପଡିଛି। କୋରାପୁଟ ଉପଖଣ୍ଡର ପଟ୍ଟାଙ୍ଗି, କୋରାପୁଟ ଏବଂ ଲକ୍ଷ୍ମୀପୁର ବିଧାନସଭା କ୍ଷେତ୍ର ପାଇଁ କୋରାପୁଟ ସରକାରୀ ମହାବିଦ୍ୟାଳୟରୁ ପୁଲିଂ ଟିମ୍ ଯାଇଥିବାବେଳେ ଜୟପୁର ଓ କୋଟପାଡ ଆସନ ନିମନ୍ତେ ଜୟପୁର ବିକ୍ରମ ଦେବ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ କର୍ମଚାରୀମାନେ ନିଜନିଜ ବୁଥକୁ ଯାତ୍ରା କରିଛନ୍ତି। ଆସନ୍ତା ୧୧ ତାରିଖରେ କୋରାପୁଟ ଲୋକସଭା ସମେତ ଜିଲାର ସମସ୍ତ ବିଧାନସଭାରେ ୧୧୪୧ଟି କେନ୍ଦ୍ରରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ୨ ହଜାର ପୁଲିସ୍ କର୍ମଚାରୀ ଓ ୫ହଜାର ଅନ୍ୟାନ୍ୟ ବିଭାଗର ସରକାରୀ କର୍ମଚାରୀ ବୁଥକୁ ଯାଇଛନ୍ତି। ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ କେ.ସୂଦର୍ଶନ ଚକ୍ରବର୍ତି, ଏସପି ଡା.କେ.ଭି.ସିଂହ, ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ, ଅତିରିକ୍ତ ଏସପି ଉତ୍କଳ ରଂଜନ ଦାସ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମହମ୍ମଦ୍ ଅବଦୁଲ୍ ଅଖତାର୍, ଜିଲା ସହରାଂଚଳ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାଶ, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ସୁନାବେଡା ଉପଖଣ୍ଡ ପୋଲିସ ଅଧିକାରୀ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ପୁଲିଂ ଟିମ୍ ଯିବା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।