Odiapua.com

ବିହାରବାସୀ ପୁଣି ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ୍ ସରକାରକୁ ନିଶ୍ଚିତ ସମର୍ଥନ କରିବେ – ଧର୍ମେନ୍ଦ୍ର ପ୍ରଧାନ

ବିହାରରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

– ପାକିସ୍ତାନର ଭାଷା କହୁଛନ୍ତି କଂଗ୍ରେସ ନେତା
– ବାଙ୍କା, ଭାଗଲପୁର, ପାଟନାରେ ନିର୍ବାଚନ ପଚାର
– ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ନିବେଦନ
– ମୋଦିଙ୍କ ଶାସନ କାଳରେ ଦେଶର ବିକାଶ ଦ୍ରୁତଗାମୀ ହୋଇଛି
– ବିହାର ସମେତ ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ

ବିହାର/ଭୁବନେଶ୍ୱର, ଅକ୍ଟୋବର ୨୧ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ ସମର୍ଥନ କରିବେ ବୋଲି ସେଠାରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ବିହାରର ବାଙ୍କା, ଭାଗଲପୁର, ପାଟନାରେ ନିର୍ବାଚନ ପ୍ରଚାର କରିବା ପରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦେଶରେ ଅନେକ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦେଶର ବିକାଶ ଦ୍ରୁତଗାମୀ ହୋଇଛି। ବିହାର ଠାରୁ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ଗରିବଙ୍କୁ ଘର, ବିଜୁଳି, ଶୌଚାଳୟ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି। କୃଷି, ଉଦ୍ୟୋଗ, ସ୍ୱାସ୍ଥ୍ୟ, ଶିକ୍ଷା ତଥା ସବୁ କ୍ଷେତ୍ରରେ ଉନ୍ନତି ହୋଇଛି। ତେଣୁ ଏହି ବିକାଶର କାମକୁ ଆଗକୁ ନେବା ପାଇଁ ମୋଦି ସରକାରଙ୍କ ଅନୁଗାମୀଙ୍କୁ ଜିତାଇବାର ଆବଶ୍ୟକତା ରହିଛି।

ଅପରପକ୍ଷରେ କଂଗ୍ରେସ ଦଳ ପାଖରେ କୌଣସି ପ୍ରସଙ୍ଗ ନାହିଁ। କଂଗ୍ରେସ ଦଳର ନେତା ପାକିସ୍ତାନର ଭାଷା କହୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପୂର୍ବ ଭାରତର ବିକାଶ ନହେଲେ ସମଗ୍ର ଭାରତର ବିକାଶ ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ତେଣୁ ବିହାର ସମେତ ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତିବଦ୍ଧ। ସେହିପରି ଭାରତ ଧୀରେଧୀରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ରୂପେ ଉଭା ହେଉଛି। ତେବେ ଭାରତକୁ ବିଶ୍ୱଗୁରୁ କରିବା ପାଇଁ ମୋଦି ସରକାରଙ୍କ ହାତ ମୁଠାକୁ ଅଧିକ ଟାଣ କରିବାର ଆବଶ୍ୟକତା ରହିଛି। ଏହି ଅବସରରେ ଶ୍ରୀ ପ୍ରଧାନ ଆଗାମୀ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ବିହାରରକୁ ଆର୍ଥିକ ରୂପେ ସମ୍ପନ୍ନ କରି ମୁଖ୍ୟସ୍ରୋତରେ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ଉଦ୍ୟମରତ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହିଁ ବିହାରରେ ଦୀର୍ଘ ଦିନରୁ ଅଚଳ ପଡିଥିବା ବରୋନି ବିଶୋଧନାଗାରକୁ କାର୍ଯ୍ୟକ୍ଷମ କରାଗଲା। ସେହିପରି ନିକଟରେ ବିହାରରେ ଗ୍ୟାସର ଚାହିଦାକୁ ପୂରଣ କରିବା ନିମନ୍ତେ ପାରାଦୀପ-ହଳଦିଆ-ଦୁର୍ଗାପୁର-ମୁଜାଫରପୁର ପାଇପଲାଇନର ବାଙ୍କା ପର୍ଯ୍ୟନ୍ତ ସଂପ୍ରସାରଣ ଏବଂ ବିହାରର ବାଙ୍କା ଠାରେ ଏଲପିଜି ବଟଲିଂ ପ୍ଲାଂଟ୍ ଏବଂ ଚମ୍ପାରନରେ ଏଲପିଜି ବଟଲିଂ ପ୍ଲାଂଟ୍ର ଲୋକାର୍ପଣ କରାଯାଇଛି ବୋଲି ସେ କହିଛନ୍ତି।